Home > ସଂମ୍ପୂର୍ଣ୍ଣ ଖବର
ହଙ୍ଗକଙ୍ଗ ସୀମାକୁ ସେନା ପଠାଉଛି ଚୀନ: ଟ୍ରମ୍ପ
Khabar Odisha:International-Donald-Trump-claims-that-Chinese-government-is-moving-troops-to-border-with-Hong-Kong

ୱାସିଂଟନ ଡିସି, ଅଗଷ୍ଟ ୧୪ (ଖବର ଓଡ଼ିଶା): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦାବି କରିଛନ୍ତି ଯେ, ଚୀନ ସରକାର ହଙ୍ଗକଙ୍ଗ ସୀମାରେ ନିଜର ସେନାକୁ ମୁତୟନ କରୁଛି । ହଙ୍ଗକଙ୍ଗରେ ବିରାଟ ଧରଣର ପ୍ରଦର୍ଶନ ଚାଲିଥିବା ବେଳେ ଟ୍ରମ୍ପ ଏହି ଟୁଇଟ କରିଛନ୍ତି । ପ୍ରଦର୍ଶନ ଯୋଗୁଁ ହଙ୍ଗକଙ୍ଗର ଅର୍ଥବ୍ୟବସ୍ଥା ଠାରୁ ଆରମ୍ଭ କରି ବିମାନ ଉଡାଣ ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଛି । 

ଆମେରିକା ରାଷ୍ଟ୍ରପତି ମଙ୍ଗଳବାର ଟୁଇଟ କରିଛନ୍ତି ଯେ, ଗୁଇନ୍ଦା ସଂସ୍ଥା ଦ୍ୱାରା ତାଙ୍କୁ ସୂଚନା ହସ୍ତଗତ ହୋଇଛି ।  ଚୀନର ସରକାର ହଙ୍ଗକଙ୍ଗ ସୀମା ଆଡ଼କୁ ସେନା ପଠାଉଛନ୍ତି । ସମସ୍ତେ ଶାନ୍ତି ଓ ସୁରକ୍ଷିତ ଅଛନ୍ତି । ଏହା ପୂର୍ବରୁ ଟ୍ରମ୍ପ ଅନ୍ୟ ଏକ ଟୁଇଟରେ ପ୍ରଶ୍ନ କରିଥିଲେ ଯେ, ସେହି ଅଞ୍ଚଳରେ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ପାଇଁ ତାଙ୍କୁ କାହିଁକି ଦାୟୀ କରାଯାଉଛି । ସେ ପ୍ରଶ୍ନ କରିଛନ୍ତି ଯେ, ହଙ୍ଗକଙ୍ଗରେ ଦେଖାଯାଇଥିବା ଅସ୍ଥିରତା ପାଇଁ କିଛି ଲୋକେ ମୋତେ ଦାୟୀ କରୁଛନ୍ତି । କାହିଁ ପାଇଁ ଏମିତି କୁହାଯାଉଛି, ମୁଁ ବୁଝି ପାରୁନାହିଁ । 

ସୂଚନାଯୋଗ୍ୟ ମଙ୍ଗଳବାର ହଙ୍ଗକଙ୍ଗ ବିମାନବନ୍ଦରରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହାତାହାତି ହୋଇଥିଲା । ବଡ଼ ସଂଖ୍ୟାରେ ପ୍ରଦର୍ଶନକାରୀମାନେ ପ୍ରସ୍ଥାନ ଟର୍ମିନାଲକୁ ବ୍ଲକ କରିଛନ୍ତି । ଫଳରେ ବିମାନବନ୍ଦରରୁ ବିମାନ ଉଡ଼ିବା ପ୍ରଭାବିତ ହୋଇଛି । 

 

 

  • Tags: