Home > ସଂମ୍ପୂର୍ଣ୍ଣ ଖବର
ବାତ୍ୟା ଅମ୍ଫାନ୍ କ୍ଷୟକ୍ଷତି ପାଇଁ ଓଡ଼ିଶାକୁ ୫୦୦ କୋଟି ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Khabar Odisha:Narendra-Modi-declared-500-crore-for-Odisha-due-to-cyclone-amfan
ଭୁବନେଶ୍ୱର, ମେ 22 ( ଖବର ଓଡ଼ିଶା):

 ଓଡ଼ିଶାକୁ ବାତ୍ୟା ପରବର୍ତ୍ତୀ ସହାୟତା ୫୦୦ କୋଟି ।  ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାସହ ଓଡ଼ିଶା ପାଇଁ ୫୦୦ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ମୋଦୀ ।

ଆଜି ନରେନ୍ଦ୍ର ମୋଦୀ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବାତ୍ୟା ଅମ୍ଫନ୍ ସମୀକ୍ଷା ବୈଠକରେ ପ୍ରଧାମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ସହାୟତା ରାଶି ଘୋଷଣା କରିଥିଲେ।

ମୋଦୀ କହିଛନ୍ତି, “କରୋନା ସଂକଟ ବେଳେ ମହାବାତ୍ୟା ସଂକଟ ଆସିଥିଲା। ପଶ୍ଚିମବଙ୍ଗ ଯିବା ବେଳେ ଓଡ଼ିଶାରେ ବି ଏହା କ୍ଷତି କରିବା ଆଶଙ୍କା କରାଯାଉଥିଲା। କିନ୍ତୁ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିଲା ଲୋକଙ୍କୁ ଠିକ୍ ସୂଚନା ମିଳିଥିବାରୁ  ଜୀବନ ରକ୍ଷା ହୋଇଛି। ବାତ୍ୟା ମୁକାବିଲା ପାଇଁ ଓଡ଼ିଶାବାସୀ, ନବୀନ ବାବୁ ଓ ତାଙ୍କ ଟିମ୍‌କୁ ଅଭିନନ୍ଦନ” ଜଣାଇଛନ୍ତି ମୋଦୀ ।

ରାଜ୍ୟ ସରକାର ବାତ୍ୟା ଅମ୍ଫନ୍ କ୍ଷୟକ୍ଷତି ଆକାଳନ କରି ରିପୋର୍ଟ ଦେବେ। ଏଥିସହିତ କେନ୍ଦ୍ରୀୟ ଟିମ୍‌ ମଧ୍ୟ ଆସି କ୍ଷୟକ୍ଷତି ଆକଳନ କରିବେ। ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ।  ତେବେ ଆଗୁଆ ସହାୟତା ପାଇଁ ୫୦୦ କୋଟି କେନ୍ଦ୍ର ଦେବ ବୋଲି ସମୀକ୍ଷା ବୈଠକରେ ମୋଦୀ କହିଛନ୍ତି।

  • Tags: