Home > ସଂମ୍ପୂର୍ଣ୍ଣ ଖବର
ଭାରତ ଲକଡାଉନ: ଦିଲ୍ଲୀରୁ ପାଦରେ ଚାଲି ଚାଲି ଉତ୍ତର ପ୍ରଦେଶ ଗଲେ ଏହି ଯୁବକମାନେ
Khabar Odisha:Nation-Coronavirus-migrant-workers-walk-along-a-road-to-return-to-their-villages-during-a-21-day-nationwide-lockdown

ନୂଆଦିଲ୍ଲୀ, ମାର୍ଚ୍ଚ ୨୬ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସଂପୂର୍ଣ୍ଣ ଭାରତ ଲକଡାଉନ ହେବା ପରେ ଦିଲ୍ଲୀରୁ କିଛି ଯୁବକ ପାଦରେ ଚାଲି ଚାଲି ଉତ୍ତର ପ୍ରଦେଶ ଯାଉଛନ୍ତି । ଦିଲ୍ଲୀର ଗାଜୀପୁର ସୀମାରେ ଦିଲ୍ଲୀ ଓ ଉତ୍ତର ପ୍ରଦେଶ ପୋଲିସର କଡ଼ାସୁରକ୍ଷା ମଧ୍ୟରେ ୨୦ରୁ ୨୧ ବର୍ଷିଅ ଯୁବକମାନେ ମୁଣ୍ଡ ଓ କାନ୍ଧରେ ବ୍ୟାଗ ଧରି ନିଜର ଯାତ୍ରା କରିଛନ୍ତି । ସେମାନଙ୍କୁ ଦେଖି ଜାଣି ହେଉ ନାହିଁ ଯେ, ସେମାନେ ବହୁ ଦୂରରୁ ପାଦରେ ଚାଲିଚାଲି ଆସୁଛନ୍ତି । କିଛି ଯୁବକ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ଅନ୍ୟ ଯୁବକମାନେ ରୁମାଲ ବାନ୍ଧିଥିଲେ । ସେମାନେ ନିଜ ନିଜ ଭିତରେ ଦୂରତା ରଖିଥିଲେ । ପୋଲିସ ସେମାନଙ୍କୁ ଅଟକାଇ ପଚାରିବାରୁ ସତ ଜାଣିବାକୁ ପାଇଥିଲା । 

ଯୁବକମାନଙ୍କ ମଧ୍ୟରୁ ଜଣେ ପୋଲିସକୁ କହିଥିଲେ ବସ ଅଥବା ଟ୍ରେନ ଚାଲୁ ନାହିଁ । ଅନ୍ୟ ପରିବହନ ସେବା ମଧ୍ୟ ବନ୍ଦ ହୋଇଯାଇଛି । ତେଣୁ ଉପାୟ ଶୂନ୍ୟ ହୋଇ ପାଦରେ ଚାଲି ଘରକୁ ଯାଉଛୁ । ଅତିକମରେ ବିଳମ୍ବରେ ହେଲେ ବି ଘରକୁ ପହଞ୍ଚିବୁ ବୋଲି ଆଶା ରଖିଛୁ । ପୋଲିସ ଜାଣିବାକୁ ପାଇଥିଲା ଯେ, ଯୁବକମାନେ ଦିଲ୍ଲୀର ଗାନ୍ଧୀନଗରରେ ଦିନ ମଜୁରୀ କରୁଥିଲେ । ଲକଡାଉନ ହେବା ପରେ ସେମାନଙ୍କୁ କାମ ନମିଳିବାରୁ ଅନ୍ୟ ଉପାୟ ନପାଇ ଘରକୁ ବାହାରିଯିବାକୁ ଚିନ୍ତା କରିଥିଲେ । କିନ୍ତୁ ଉପାୟ ଶୂନ୍ୟ ହୋଇ ପାଦରେ ଚାଲିବାକୁ ଶ୍ରେଷ୍ଠ ମନେ କରିଥିଲେ ।     

ସଂପୃକ୍ତ ଯୁବକମାନେ ବ୍ୟାଗ ଭିତରେ କିଛି ଖାଦ୍ୟ ରଖିଥିଲେ । ଅନେକ ଦୂର ଚାଲିବା ପରେ ଯେଉଁଠି ଭୋକ ଲାଗୁଥିଲା । ସେହିଠାରେ ଖାଉଥିଲେ । କିଛି ସମୟ ବିଶ୍ରାମ ନେଇ ପୁଣି ଆଗକୁ ବଢୁଥିଲେ । ଜଣେ ଯୁବକ ପୋଲିସକୁ କହିଥିଲେ, ପିଇବା ପାଣି ଶେଷ ହୋଇଯାଇଛି । ଏହା ପରେ ପୋଲିସ ନିଜ ପାଖରେ ରଖିଥିବା ବୋତଲରୁ ପାଣି ଦେଇଥିଲା । 

ସୂଚନାଯୋଗ୍ୟ, ଲକଡାଉନ ଘୋଷଣା ହେବା ପରେ ସାଧାରଣ ଜନତାଙ୍କ ଜୀବନଶୈଳୀ ବଦଳି ଯାଇଛି । ଲୋକେ ବାଧ୍ୟ ହୋଇ ଗୋଟିଏ ସ୍ଥାନରେ ହିଁ ରହିଯାଇଛନ୍ତି । ଯେଉଁ ଲୋକମାନେ ବାହାରେ କାମ କରୁଛନ୍ତି, ସେମାନେ ଏବେ ଘରକୁ ଆସିବାକୁ ଚାହୁଁଥିଲେ ମଧ୍ୟ ଆସିପାରୁ ନାହାନ୍ତି । ଲକଡାଉନ ଶେଷ ହେବା ପରେ ମଧ୍ୟ, ସେମାନେ କେମିତି ପେଟପୋଷିବେ ତାହା ମଧ୍ୟ ଚିନ୍ତା ବଢ଼ିଛି । କାରଣ ଏପ୍ରିଲ ୧୪ ପରେ ମଧ୍ୟ ସେମାନଙ୍କୁ କାମ ମିଳିବ କି ନାହିଁ ତାହା ମଧ୍ୟ ଚିନ୍ତାର ବିଷୟ । 

 

  • Tags: