Home > ସଂମ୍ପୂର୍ଣ୍ଣ ଖବର
କରୋନା: ଭାରତରେ ପୁଣି ୭ ଜଣଙ୍କ ଜୀବନ ଗଲା, ମୃତ୍ୟୁ ସଂଖ୍ୟା ୨୦, ଆକ୍ରାନ୍ତ ସଂଖ୍ୟା ୭୨୭
Khabar Odisha:Nation-Seven-deaths-from-covid-19-infections-take-toll-to-20-positive-cases-cross-700-in-India

ନୂଆଦିଲ୍ଲୀ, ମାର୍ଚ୍ଚ ୨୭ (ଖବର ଓଡ଼ିଶା): କରୋନା ଭାଇରସରେ ଗୁରୁବାର ଦେଶବ୍ୟାପି ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମ ଓ ବିଶ୍ୱବ୍ୟାପି କରୋନା ଭାଇରସ ଜନିତ ମୃତ୍ୟୁ, ସଂକ୍ରମିତ ତଥ୍ୟ ଯୋଗାଉଥିବା ୱେବସାଇଟ୍ ‘ୱାଲ୍ଡୋମିଟର  ଡଟ ଇନଫୋ’ର ତଥ୍ୟ ଅନୁସାରେ ଏହା ଭାରତ ପାଇଁ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ । ଭାରତରେ ଗୁରୁବାର ସକାଳ ୭ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚି ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୭ ହୋଇଛି । ରିପୋର୍ଟ ଅନୁସାରେ ୭୧ ଜଣ ନୂଆଁ ରୋଗୀ ଚିହ୍ନଟ ହୋଇଛନ୍ତି ।          

ପୂରା ବିଶ୍ୱରେ ଭାଇରସ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୭୯୯ ହୋଇଥିବା ବେଳେ ୨୪ ହଜାର ୭୧ ଜଣଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷେ ୧ ଲକ୍ଷ ୨୩ ହଜାର ୯୯୪ ଜଣ ରୋଗୀ ଭଲ ହୋଇପାରିଛନ୍ତି । ସେହିଭଳି ୩ ଲକ୍ଷ ୮୩ ହଜାର ୭୮୬ ଜଣଙ୍କ ଚିକିତ୍ସା ଜାରି ଥିବା ବେଳେ ଏଥିରୁ ୧୯ ହଜାର ୩୫୭ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି । 

ଭାରତର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ୧୬ ଅଟେ । ସେହିଭଳି ୮୮ଟି ନୂଆ ମାମଲା ସଂପର୍କରେ ସୂଚନା ଦିଆଯାଇଛି । ସେହିପରି ସଂକ୍ରମିତ ସଂଖ୍ୟା ୬୯୪ ବୋଲି ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଏଥିରେ ମୁମ୍ବାଇରେ ୨ ଜଣଙ୍କ ମୃତ୍ୟୁ (ଉଭୟ ୬୫ ବର୍ଷୀୟ ମହିଳା) । ଏହା ବ୍ୟତୀତ ଜମ୍ମୁ କଶ୍ମୀରର ସୋପାରରେ ଜଣେ ୬୫ ବର୍ଷିଅ ବ୍ୟବସାୟୀ, ରାଜସ୍ଥାନର ଭୀଲୱାଡାରେ ଜଣେ ୭୩ ବର୍ଷିଅ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରେ ବୃଦ୍ଧଙ୍କ ସଂଖ୍ୟା ଅଧିକ । 

ମଧ୍ୟପ୍ରଦେଶରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ୩୫ ବର୍ଷିଅ ଯୁବକ ସାମିଲ ଅଛନ୍ତି । ସେ ବିଦେଶ ଯାତ୍ରା କରି ନଥିଲେ । ଜ୍ୱର, କାଶ ଓ ଶ୍ୱାସ ଜନତି ସମସ୍ୟାର ସମ୍ମୁଖୀନ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ଜଣେ ୬୫ ବର୍ଷିଅ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । 

ଗୁଜୁରାଟରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । କେରଳରେ ସର୍ବାଧିକ ୧୩୭ ଜଣଙ୍କ ଚିକିତ୍ସା ଜାରି ରହିଛି । କେବଳ ଗୁରୁବାର ୧୯ଟି ମାମଲା ଆସିଛି । ସେହିପରି ମହାରାଷ୍ଟ୍ରରେ ୮ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଏବେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୩୦ରେ ପହଞ୍ଚିଛି । ଦିଲ୍ଲୀରେ ପୁଣି ୪ ଜଣ ରୋଗୀ ଚିହ୍ନଟ ହେବା ପରେ ଏହି ସଂଖ୍ୟା ଏବେ ୩୯ରେ ପହଞ୍ଚିଛି । କର୍ଣ୍ଣାଟକରେ ୫୫ ଜଣ, ତେଲେଙ୍ଗାନାରେ ୪୫ ଜଣ ଓ ଗୁଜୁରାଟରେ ୪୪ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । 

 

  • Tags: