Home > ସଂମ୍ପୂର୍ଣ୍ଣ ଖବର
22 ବର୍ଷରେ ଅରବପତି ଶିବକୁମାରଙ୍କ ଝିଅ, ନୋଟିସ ଜାରି କଲା ଇଡି
Khabar Odisha:National-news-Ed-Has-Sent-A-Notice-To-Dk-Shivakumars-Daughter
ବେଙ୍ଗାଲୁରୁ,ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ବାପା ପରେ ଝିଅକୁ ନୋଟିସ । ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା କଂଗ୍ରେସର ସଙ୍କଟ ମୋଚକ ଶିବକୁମାରଙ୍କ ଝିଅଙ୍କୁ ସଂସ୍ଥା ନୋଟିସ ଜାରି କରିଛି । ଦିଲ୍ଲୀର ଏକ କୋର୍ଟ ଶିବକୁମାରଙ୍କୁ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛନ୍ତି । ଏପରି ଚର୍ଚ୍ଚା ଜୋର ଧରିଥିଲା ଯେ ଶିବକୁମାର ନିଜର ଝିଅ ଐଶ୍ୱର୍ଯ୍ୟାଙ୍କ ନାଁରେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି । 2018ରେ  ନିର୍ବାଚନ ସମୟରେ ଶିବକୁମାର ନିଜ ନାଁରେ 618 କୋଟି ଟଙ୍କା ଏବଂ ନିଜ ଝିଅ ଐଶ୍ୱର୍ଯ୍ୟାଙ୍କ ନାଁରେ 108 କୋଟି ଟଙ୍କାର ସମ୍ପତ୍ତି ଥିବା ନିଜର ନିର୍ବାଚନୀ ସତ୍ୟପାଠରେ ଦର୍ଶାଇଥିଲେ । 

2013 ମସିହାର ସତ୍ୟପାଠରେ ଶିବକୁମାରଙ୍କ ଝିଅଙ୍କ ନାଁରେ ମାତ୍ର 1.1 କୋଟି ଟଙ୍କାର ସମ୍ପତ୍ତି ଥିବା ଦର୍ଶାଇଥିଲେ । ଏହା ଉପରେ ପ୍ରଶ୍ନ ଉଠିବା ପରେ ଶିବକୁମାର ସଫେଇ ଦେଇ କହିଥିଲେ ଯେ, “ମୋ ଝିଅ ମୋ ଉପରେ ନିର୍ଭର କରୁ ନାହିଁ, ଜନ ପ୍ରତିନିଧି ଆଇନ ଅନୁସାରେ ତାଙ୍କ ସମ୍ପତ୍ତିକୁ ସାର୍ବଜାନୀନ କରୁଛି” । ମ୍ୟାନେଜମେଣ୍ଟରେ ଗ୍ରାଜୁଏଟ ହାସଲ କରିଥିବା ଐଶ୍ୱର୍ଯ୍ୟା ନିଜ ବାପାଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ଲୋବାଲ ଏକାଡେମୀ ଅଫ ଟେକ୍ନୌଲଜିର ଟ୍ରଷ୍ଟି ଅଛନ୍ତି । ଐଶ୍ୱର୍ଯ୍ୟା ବେଙ୍ଗାଲୁଲୁର ବେଲନ୍ଦର ଅଞ୍ଚଳରେ ସୋଲ ସ୍ପେସ ସ୍ପ୍ରିଟ ମଳରେ 76.1 କୋଟି ଟଙ୍କା ବିଟଲ-ଅଫ ଏରିଆ କିଣିଥିବା ଶିବକୁମାର ନିଜ ସତ୍ୟପାଠରେ ଉଲ୍ଲେଖ କରିଥିଲେ ।  

ଐଶ୍ୱର୍ଯ୍ୟାଙ୍କୁ କେଫ କଫି ଡେରୁ 20 କୋଟି ଟଙ୍କାର ଲୋନ ମିଳିଥିବା ଇଡିର ତଦନ୍ତରେ ସାମ୍ନାକୁ ଆସିଛି । ତଦନ୍ତକାରୀ ଅଧିକାରୀମାନେ ଐଶ୍ୱର୍ଯ୍ୟଙ୍କୁ ଏହି ଧନରାଶିର ଉପରେ ଜେରା କରିବେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ 2017 ମସିହା ଜୁଲାଇ ମାସରେ ବିଜନେସ ଡିଲ ପାଇଁ ନିଜ ଝିଅ ସହ ସିଙ୍ଗାପୁର ଯାତ୍ରା କରିଥିସେ । ଏହି ଯାତ୍ରାକୁ ନେଇ ମଧ୍ୟ ତଦନ୍ତକାରୀ ସଂସ୍ଥା ପଚରାଉଚୁରା କରିବ ।