Home > ସଂମ୍ପୂର୍ଣ୍ଣ ଖବର
ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀଙ୍କ ନଜର, ଜାରି ହେଲା ହାଇ ଆଲର୍ଟ, କାଶ୍ମୀର ଯିବେ ଗୃହମନ୍ତ୍ରୀ ଅମିତ ଶାହା
Khabar Odisha:National-odisha-ahead-of-amit-shahs-kashmir-visit-forces-prepare-plan-to-deal-with-pulwama-like-attack-on-amarnath-yatra
ନୂଆଦିଲ୍ଲୀ, ଜୁନ୍ ୨୫(ଖବର ଓଡିଶା):

ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀଙ୍କ ନଜର ରହିଥିବା କାରଣରୁ ହାଇ ଆଲର୍ଟ ଜାରି କରାଯାଇଛି । ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ ଏବେ ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀଙ୍କ ନଜର ରହିଛି । ଅମରନାଥ ଯାତ୍ରା ସମୟରେ ପୁଲୱାମା ଭଳି ଆଉ ଏକ ଆତଙ୍କି ଆକ୍ରମଣ କରିବା ଉଦ୍ଦେଶ୍ୟରେ ରହିଚନ୍ତି କିଛି ଆତଙ୍କି ସଙ୍ଗଠନ । ତେବେ ଯାତ୍ରୀମାନଙ୍କ ସୁରକ୍ଷା ଏବେ ସବୁଠାରୁ ବଡ ବିଷୟ ପାଲଟିଥିବା ବେଳେ ଗୃହମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମଥର ପାଇଁ କାଶ୍ମୀର ଗସ୍ତ କରିବେ ଅମିତ ଶାହା । 

ଅମିତ ଶାହାଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡିକ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ହେବାକୁ ଥିବା ଅମରନାଥ ଯାତ୍ରାରେ ସବୁଠାରୁ ଅଧିକ ଯବାନ ମୁତୟନ ରହିବେ । ସେନା ଓ ଜାମ୍ମୁ-କାଶ୍ମୀର ପୁଲିସ ବ୍ୟତୀତ ପାଖାପାଖି ୪୨ ହଜାର ଅର୍ଦ୍ଧସୈନିକ ବଳର ଯବାନ ମୁତୟନ ରହିବେ । ଚଳିତ ବର୍ଷ ଜୁଲାଇ ୧ରୁ ୪୬ ଦିନ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଅମରନାଥ ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କର ସୁରକ୍ଷାରେ ଏହି ଯବାନମାନେ ମୁତୟନ ରହିବେ ।

ନିଜର ନାମ ଗୁପ୍ତ ରଖିବା ସର୍ତ୍ତରେ ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ଆମେ ନାଇଟ୍ ଏରିଆ ଡୋମିନେଶ ଏକସରସାଇଜ୍ କରୁଛୁ, ଆମ ପାଖରେ ମୋବାଇଲ୍ ଚେକ୍ ପୋଷ୍ଟ, କ୍ୟୁଏଟି ଭଙ୍ଗାରୁଜା ବିରୋଧି ପ୍ରତିରୋଧ ରହିଛି । ଆମେ ଏହା ମଧ୍ୟ ସୁନିଶ୍ଚିତ କରିଛୁ ଯେ, ଯାତ୍ରୀମାନଙ୍କ ବସରେ ଆର୍‌ଏଫ୍‌ଆଇଡି ଟ୍ୟାଗ ରହିବ, ଏବଂ ଯାତ୍ରୀମାନଙ୍କର ନିଜର ବାର୍‌କୋଡ୍ ରହିବ, ଫଳସ୍ୱରୂପ ସେମାନଙ୍କର ସୁରକ୍ଷା ଉପରେ ବିଶେଷ ଦୃଷ୍ଟି ଦିଆଯାଇପାରିବ ଏବଂ ଗୋଟିଏ ଥରରେ ସଦିଗ୍ଧମାନଙ୍କୁ ଚିହ୍ନଟ କରାଯାଇପାରିବ । 

ଅଧିକାରୀଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ୪୨ ହଜାର ସୁରକ୍ଷାକର୍ମୀ ଅମରନାଥ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ମୁତୟନ କରାସରିଛି । ୨୦୧୮ ମସିହାରେ ୩୨ ହଜାର ସୁରକ୍ଷାକର୍ମୀ, ୨୦୧୭ରେ ୩୦ ହଜାର ସୁରକ୍ଷାକର୍ମୀ, ୨୦୧୬ରେ ୧୮ ହଜାର ସୁରକ୍ଷାକର୍ମୀ ଏବଂ ୨୦୧୫ରେ ୧୫ ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଥିଲା । ଅଧିକାରୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷର ଅମରନାଥ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଆଇଟିବିପି, ଏସଏସବି ଏବଂ ସିଆଇଏସଏଫର ଅନେକ ଅତିରିକ୍ତ କମ୍ପାନୀକୁ ସେବାରେ ମୁତୟନ କରାଯାଇଛି ।