Home > ସଂମ୍ପୂର୍ଣ୍ଣ ଖବର
ଚନ୍ଦ୍ରଯାନ-୨ ମିଶନ: ପ୍ରକ୍ଷେପଣକୁ ବାକି ରହିଲା କିଛି ଘଣ୍ଟା, ଜାଣନ୍ତୁ କେମିତି ପୂରା ହେବ ପ୍ରକ୍ରିୟା
Khabar Odisha:National-odisha-chandrayaan-2-mission-countdown-starts-know-all-about-it
ଚେନ୍ନାଇ, ଜୁଲାଇ ୧୪(ଖବର ଓଡ଼ିଶା):

ଚନ୍ଦ୍ରଯାନ-୨ ମିଶନର ଉତକ୍ଷେପଣକୁ ଆଉ କିଛି ଘଣ୍ଟା ବାକି ରହିଛି। ଇସ୍ରୋର ସବୁଠୁ ମହତ୍ଵାକାଂକ୍ଷୀ ମିଶନ କୁହାଯାଉଥିବା ଚନ୍ଦ୍ରଯାନ-୨କୁ ନେଇ ସମଗ୍ର ଦେଶରେ ଉତ୍ସାହ ଦେଖିବାକୁ ମିଳିଛି। ଜୁଲାଇ ୧୫ ପ୍ରାତଃ ୨ଟା ୫୧ ମିନିଟରେ ଏହି ମିଶନ ପ୍ରକ୍ଷେପଣ ହେବ ଏବଂ ଏହା ସହିତ ଭାରତ ପ୍ରଥମ ଥର ଚନ୍ଦ୍ରପୃଷ୍ଠରେ ଯାନ ଓହ୍ଲାଇବାକୁ ଯାଉଛି।  ଏମିତି କରିବାରେ ଭାରତ ଦୁନିଆର ଚତୁର୍ଥ ଦେଶ ହେବ। ଦୁନିଆର ମହାକାଶ ମହାଶକ୍ତି କୁହାଯାଉଥିବା ଭାରତ ପାଇଁ ଏହି ମିଶନ ମହାକାଶ ବିଜ୍ଞାନରେ ଏକ ମାଇଲ ଖୁଣ୍ଟହେବ। ଚେନ୍ନାଇରୁ ୧୦୦ କିମି ଉତ୍ତରରେ ସ୍ଥିତ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକେଶ କେନ୍ଦ୍ରରୁ ଏହାକୁ ଉତକ୍ଷେପଣ କରାଯିବ।

ଚନ୍ଦ୍ରଯାନ-୨ର ଲଞ୍ଚିଂର ପ୍ରଥମ ପର୍ଯ୍ୟାୟ ଉତକ୍ଷେପଣ ରହିଛି। ପ୍ରାୟ ୫୦ ଦିନ ପରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ଭୂପୃଷ୍ଠରେ ଅବତରଣ କରିବ। ଏହା ସେପ୍ଟେମ୍ବର  ୬ କିମ୍ବା ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ୧୧ ବର୍ଷ ପୂର୍ବେ ମନମୋହନ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଥିବା ଏହି ପ୍ରୋଜେକ୍ଟ ମହାକାଶରେ ଭାରତର ସ୍ଵପ୍ନକୁ ନୂତନ ଦିଗ ଦେବ।

୯୭୮ କୋଟି ଟଙ୍କାରେ ଏହି ପ୍ରୋଜେକ୍ଟ ଆଧାରରେ ‘ଚନ୍ଦ୍ରଯାନ ୨’ର ଅର୍ବିଟର, ଲ୍ୟାଣ୍ଡର ଓ ରୋବର ସଂପୂର୍ଣ୍ଣ ଭାବେ ଭାରତରେ ଡିଜାଇନ  ସହିତ ନିର୍ମାଣ କରାଯାଇଛି। ଚନ୍ଦ୍ରଯାନ ୨.୪ ଟନ ଓଜନର ଅର୍ବିଟରକୁ ନେଇ ଯିବା ପାଇଁ ନିଜର ସବୁଠୁ ଶକ୍ତିଶାଳୀ ଜିଏସଏଲଭି ଏମ-୩ର ବ୍ୟବହାର କରିବ। ଅର୍ବିଟରର ଅବଧି ଏକ ବର୍ଷ ରହିଛି। 

ଅବତରଣର ୧୫ ମିନିଟ୍ ବହୁତ ମୁସ୍କିଲ

ତିରୁମାଲାରେ ଶନିବାର ଭଗବାନ ଭେଙ୍କଟେଶ୍ଵରଙ୍କ ପୂଜାର୍ଚ୍ଚନା କରିବା ପରେ ଇସ୍ରୋ ଅଧ୍ୟକ୍ଷ ଶିବମ କହିଛନ୍ତି ଯେ, ଚନ୍ଦ୍ରଯାନ-୨ ପ୍ରଯୁକ୍ତିବିଦ୍ୟାରେ ଆଉ ଏକ ମାଇଲଖୁଣ୍ଟ ହେବ କାରଣ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ନିକଟରେ ଯାନକୁ ଅବତରଣ କରାଇବାକୁ ପ୍ରୟାସ କରାଯିବ। ଏହି ସମୟରେ ଅବତରଣ କରାଇବା ଜଟିଳ ହୋଇଥାଏ। ଅବତରଣ ସମୟରେ ୧୫ ମିନିଟ୍ ବହୁତ ମୁସ୍କିଲ ରହିବ। ପ୍ରକ୍ଷେପଣ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀହରିକୋଟାରେ ଏହାର ସିଧା ପ୍ରସାରଣ ଦେଖିବେ।

୧୬ ଦିନ ପର୍ଯ୍ୟନ୍ତ ପୃଥିବୀର କକ୍ଷରେ ରହିବ

ପ୍ରକ୍ଷେପଣ ପରେ ଚନ୍ଦ୍ରଯାନ ପୃଥିବୀର କକ୍ଷରେ ରହିବ। ୧୬ ଦିନ ପର୍ଯ୍ୟନ୍ତ ପୃଥିବୀର ପରିକ୍ରମା କରି ଚନ୍ଦ୍ର ଅଭିମୁଖେ ବଢିବ। ଏହି ସମୟରେ ଚନ୍ଦ୍ରଯାନର ସର୍ବାଧିକ ଗତି ସେକେଣ୍ଡ ପ୍ରତି ୧୦ କିଲୋମିଟର ଏବଂ ସର୍ବନିମ୍ନ ଗତି ଘଣ୍ଟା ପ୍ରତି ୩ କିମି ରହିବ। 

୨୧ ଦିନ ପରେ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବ

୧୬ ଦିନ ପରେ ଚନ୍ଦ୍ରଯାନ ପୃଥିବୀର କକ୍ଷରୁ ବାହାର ହୋଇ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ। ଏହି ସମୟରେ ଚନ୍ଦ୍ରଯାନ-୨ ରକେଟରୁ ଅଲଗା ହୋଇଯିବ। ୫ ଦିନ ପରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବ। ଏହି ସମୟରେ ଏହାର ଗତି ସେକେଣ୍ଡ ପ୍ରତି ୧୦ କିଲୋମିଟର ଏବଂ ସର୍ବନିମ୍ନ ଗତି ସେକେଣ୍ଡ ପ୍ରତି ୪ କିଲୋମିଟର ରହିବ। 

୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରର କକ୍ଷରେ ପରିକ୍ରମା କରିବ

ଚନ୍ଦ୍ରର କକ୍ଷରେ ପହଞ୍ଚିବା ପରେ ଚନ୍ଦ୍ରଯାନ ଚନ୍ଦ୍ରର ଚତୁଃପାର୍ଶ୍ଵରେ ଗୋଲ-ଗୋଲ ପରିକ୍ରମା କରି ଏହାର ଭୂପୃଷ୍ଠ ଅଭିମୁଖେ ଗତି କରିବ। ଚନ୍ଦ୍ରର କକ୍ଷରେ ୨୭ ଦିନ ପର୍ଯ୍ୟନ୍ତ ପରିକ୍ରମା କରି ଚନ୍ଦ୍ରଯାନ ଏହାର ଭୂପୃଷ୍ଠର ନିକଟତର ହେବ। ଏହି ସମୟରେ ଏହାର ଗତି ସେକେଣ୍ଡ ପ୍ରତି ୧୦ କିଲୋମିଟର ଏବଂ ସର୍ବନିମ୍ନ ଗତି ସେକେଣ୍ଡ ପ୍ରତି ଏକ କିଲୋମିଟର ରହିବ।