Home > ସଂମ୍ପୂର୍ଣ୍ଣ ଖବର
ଆଇବିର ଆଲର୍ଟ, କଚ୍ଛ ରାସ୍ତା ଦେଇ ଅନୁପ୍ରବେଶ କରି ପାରନ୍ତି ଆତଙ୍କୀ
Khabar Odisha:National-odisha-ib-issued-alert-of-possible-terror-intrusion-through-kachchh-border
କଚ୍ଛ,ଅଗଷ୍ଟ୧୩(ଖବର ଓଡ଼ିଶା):

 ଜାମ୍ମୁ-କାଶ୍ମୀରକୁ ବିଶେଷ ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦  ହଟିବା ପରେ ପାକିସ୍ତାନ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ଅପପ୍ରଚାର ଓ କୂଟନୀତି ମୋର୍ଚ୍ଚାରେ ବିଫଳ ହେବା ପରେ ପାକିସ୍ତାନ ଏବେ  ଭାରତରେ ଆତଙ୍କୀ ଅନୁପ୍ରବେଶ କରାଇପାରେ। ଏହାକୁ ଦୃଷ୍ଟିରେ ରଖି ଗୁଜରାତର କଚ୍ଛରେ ପାକିସ୍ତାନ ସହ ଲାଗି ରହିଥିବା ଭାରତର ତଟୀୟ ସୀମାକୁ ନେଇ ଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ବିଭାଗ ଗୁଜରାତ ପୋଲିସକୁ ଏନେଇ ସତର୍କ କରାଇଛି। କଚ୍ଛରେ ଭାରତ-ପାକ୍ ବର୍ଡର ଜରିଆରେ ଆତଙ୍କୀ ଦେଶରେ ଅନୁପ୍ରବେଶ କରି ପାରନ୍ତି। 

ଏହି ଆଲର୍ଟ ପରେ ଭାରତ-ପାକ୍ ସୀମାରେ ନୌସୈନିକ ଓ ତଟରକ୍ଷୀବାହିନୀକୁ ମୁତୟନ କରିଛି। କଚ୍ଛର ଏସପି ଇଷ୍ଟ ପରୀକ୍ଷିତା ରାଠୋର କହିଛନ୍ତି ଯେ, ଆଲର୍ଟ ପରେ ସମସ୍ତ ପ୍ରକାରର ଜରୁରୀ ପଦକ୍ଷେପ ଉଠାଯାଇଛି ଏବଂ କୌଣସି ପରିସ୍ଥିତିରେ ମଧ୍ୟ ଅନୁପ୍ରବେଶକୁ ସ୍ଵୀକାର କରାଯିବ ନାହିଁ।

ସେ କହିଛନ୍ତି ଯେ, ଆଲର୍ଟ ପରେ ସୀମାରେ ନୌସୈନିକ ଓ ବର୍ଡର ପୋଲିସଙ୍କୁ ମୁତୟନ କରାଯାଇଛି। ଏହା ବ୍ୟତୀତ ସୀମାବର୍ତ୍ତୀ ଇଲାକାରେ ରହୁଥିବା ଲୋକ ଓ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସତର୍କ କରାଯାଇଛି। ମତ୍ସ୍ୟଜୀବୀଙ୍କୁ କୌଣସି ପ୍ରକାରର ସନ୍ଦିଗ୍ଧ ବୋଟ୍ କିମ୍ବା ବ୍ୟକ୍ତି ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଅନୁଚ୍ଛେଦ ୩୭୦ ହଟିବା ପରଠୁ ପାକିସ୍ତାନ ବ୍ୟସ୍ତବିବ୍ରତ ହୋଇ ଉଠିଛି। କାଶ୍ମୀରରେ ଅଶାନ୍ତି  ସୃଷ୍ଟି କରିବାକୁ ଚକ୍ରାନ୍ତ ଚଳାଇଛି। କାଶ୍ମୀର ଘାଟିରେ କଡ଼ା ସୁରକ୍ଷା କାରଣରୁ ପଡୋଶୀ ଆତଙ୍କୀ ରାଷ୍ଟ୍ର ନିଜ ହୀନ ଉଦ୍ଦେଶ୍ୟରେ ସଫଳ ହୋଇ ପାରିନାହିଁ। ତେଣୁ ଆଶଙ୍କା ରହିଛି ଯେ, ପାକିସ୍ତାନ ସମୁଦ୍ର ପଥ ଦେଇ ସୀମାବର୍ତ୍ତୀ ଇଲାକାରେ ଅନୁପ୍ରବେଶ କରାଇପାରେ।