Home > ସଂମ୍ପୂର୍ଣ୍ଣ ଖବର
ଅଗଷ୍ଟ ୧ ରୁ ୧୪ ଯାଏ ପୋଡ଼ା ଯିବ ପାକିସ୍ତାନ ପତାକା
Khabar Odisha:National-odisha-muslim-rashtriya-manch-blew-flags-and-effigies-of-pakistan-on-14-august
ମେରଠ,ଜୁଲାଇ୧୧(ଖବର ଓଡ଼ିଶା):

 ରାଷ୍ଟ୍ରୀୟ ସ୍ଵଂୟସେବକ ସଙ୍ଘ(ଆରଏସଏସ) ସହ ଜଡ଼ିତ ସଂଗଠନ ମୁସଲିମ ରାଷ୍ଟ୍ରୀୟ ମଞ୍ଚ ଅଗଷ୍ଟ ୧ରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ପାକିସ୍ତାନର ପତାକା ଓ କୁଶପୁତଳିକା ଦାହ କରିବ। ମଞ୍ଚର କହିବା କଥା ଦେଶର ବିଭାଜନ ତାଙ୍କ ପାଇଁ ଦୁଃଖର କଥା, ଏଥିପାଇଁ ଏହାରି ବିରୋଧରେ ଏମିତି ପ୍ରଦର୍ଶନ କରି ନିଜର ଅସନ୍ତୋଷ ଜାହିର କରିବ ସଂଗଠନ। ଏହା ସହିତ ପାକ୍ ଅଧିକୃତ କାଶ୍ମୀରକୁ ଛାଡ଼ିବା ପାଇଁ ପାକିସ୍ତାନଠାରେ ଦାବି ମଧ୍ୟ କରାଯିବ। ଏହା ପରେ ଅଗଷ୍ଟ ୧୫ରେ ଭାରତର ସ୍ଵାଧୀନତା ଦିବସର ଉତ୍ସବ ପାଳନ କରାଯିବ।

ମୁସଲିମ ରାଷ୍ଟ୍ରୀୟ ମଞ୍ଚର ମେରଠ ପ୍ରାନ୍ତ ସଂଯୋଜକ କଦିମ ଆଲମ କହିଛନ୍ତି ଯେ, ଇଂରେଜଙ୍କଠୁ ଭାରତ ସ୍ଵାଧୀନତା ପାଇବାରେ ଯେତିକି ଖୁସି ଥିଲା ତାଠୁ ଅଧିକ ଯନ୍ତ୍ରଣା ଦେଶର ବିଭାଜନରେ ଥିଲା। ପାକିସ୍ତାନକୁ ଦେଶରୁ ଅଲଗା କରିବା ଭୁଲ ଥିଲା। ଏହି କାରଣରୁ ମୁସଲିମ ରାଷ୍ଟ୍ରୀୟ ମଞ୍ଚର ଯୋଜନା ଏହା ଯେ, ଅଗଷ୍ଟ ୧ ରୁ ଅଗଷ୍ଟ ୧୪ ଯାଏ ପ୍ରତ୍ୟେକ ଜିଲ୍ଲାରେ ପାକିସ୍ତାନ ପତାକା ଓ କୁଶପୁତଳିକା ଦାହ କରାଯିବ। ଦେଶର ବିଭାଜନ ବିରୋଧରେ ସ୍ଵର ଉତ୍ତୋଳନ କରାଯିବ। ମଞ୍ଚ ସର୍ବଦା ପାକ୍ ଅଧିକୃତ କାଶ୍ମୀରକୁ ଭାରତର ଅଂଶ ବୋଲି ମାନିଥାଏ। ଏଥିପାଇଁ ପୁଣି ଥରେ ଉକ୍ତ ଅଂଶକୁ ଭାରତକୁ ଫେରାଇ ଦେବାକୁ ପାକିସ୍ତାନଠାରେ ଦାବି କରାଯିବ। 

ପରିବେଶ ପାଇଁ କାମ କରୁଛି ମଞ୍ଚ 

ଅନ୍ୟ ପଟେ ମୁସଲିମ ରାଷ୍ଟ୍ରୀୟ ମଞ୍ଚର କାର୍ଯ୍ୟକର୍ତ୍ତା ମେରଠ ପ୍ରାନ୍ତରେ ସ୍ଥାନେ ସ୍ଥାନେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା କାମରେ ଜୁଟିଛନ୍ତି। ଏହି ଅଭିଯାନ  ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିବ। ମଞ୍ଚର କହିବା କଥା ଅଧିକ ଗଛ ହେଲେ ଭଲ ବର୍ଷା  ହେବ। ଫଳରେ ମରୁଡି ହେବ ନାହିଁ ଏବଂ କୃଷକଙ୍କ ଫସଲ ପ୍ରଭାବିତ ହେବ ନାହିଁ।