Home > ସଂମ୍ପୂର୍ଣ୍ଣ ଖବର
ଅସ୍ତ୍ର ବିରତି ଉଲ୍ଲଂଘନର ଦୃଢ ଜବାବ ଦେଲା ଭାରତ, ଅନେକ ଶିବିର ଧ୍ଵଂସ, ଅନେକ ପାକ୍ ସୈନିକ ମୃତ
Khabar Odisha:National-odisha-pakistani-post-opposite-rajouri-sector-in-jk-hit-by-indian-army-pakistan-violated-ceasefire
ଶ୍ରୀନଗର,ଅଗଷ୍ଟ୧୭(ଖବର ଓଡ଼ିଶା):

ଜାମ୍ମୁ-କାଶ୍ମୀରରେ ବିଶେଷ ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ପରଠୁ ବିଳିବିଳେଇ ହେଉଥିବା ପାକିସ୍ତାନ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ନିୟନ୍ତ୍ରଣ ରେଖା(ଏଲଓସି) ଓ ଅନ୍ତରାଷ୍ଟ୍ରୀୟ ସୀମାରେ କ୍ରମାଗତ ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି, ଯାହାର ମୁହଁତୋଡ଼ ଜବାବ ଭାରତ ଦେଉଛି। ଏବେ ପାକିସ୍ତାନ ସେନା ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହାର ମୁହଁତୋଡ଼ ଜବାବ ଦେଇ ଭାରତୀୟ ସେନା ରାଜୌରୀ ସେକ୍ଟରରେ ଅନେକ ପାକ୍ ସେନାର ଏକ ଶିବିରକୁ ଉଡ଼ାଇ ଦେଇଛନ୍ତି। ଭାରତୀୟ ସେନା ମୁତାବକ ପ୍ରତି ଜବାବରେ ଅନେକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। 

ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି ଯେ, ଭାରତୀୟ ସେନାର ପ୍ରତି ଜବାବ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଅନେକ ସୈନିକଙ୍କ ମୃତ୍ୟୁ ଘଟିଛି। ନୌସେରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନର ଜବାବରେ ଭାରତୀୟ ସୈନିକ ପାକିସ୍ତାନ ସେନାର ଅନେକ ଶିବିର ଉଡ଼ାଇଛନ୍ତି ଏବଂ ଅନେକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। 

ଏହା ପୂର୍ବରୁ ପାକିସ୍ତାନୀ ସେନା ଶନିବାର ସକାଳ ସାଢେ ୬ଟାରେ ନିୟନ୍ତ୍ରଣ ରେଖାରେ ଗୁଳି ବର୍ଷଣ ସହିତ ମୋର୍ଟାର ମାଡ଼ କରିଥିଲା। ଯାହାର ଭାରତୀୟ ସେନା କଡ଼ା ଜବାବ ଦେଇଥିଲେ। ଏହି ଘଟଣାରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ। ସହିଦ ଯବାନଙ୍କ ନାମ ଲାନ୍ସ ନାୟକ ସନ୍ଦୀପ ଥାପା। ସେ ୩୫ ବର୍ଷର ଥିଲେ ଏବଂ ଗତ ୧୫ ବର୍ଷରୁ ସେନାରେ କାର୍ଯ୍ୟରତ ଥିଲେ। ଡେରାଡୁନ ନିବାସୀ ସନ୍ଦୀପ ପାକିସ୍ତାନୀ ଗୁଳିମାଡ଼ରେ ଗମ୍ଭୀର ରୂପେ ଆହତ ହୋଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ଘଟିଥିଲା।

ଭାରତରେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ଜାରି

ସେନା ସୂତ୍ର ମୁତାବକ, କାଶ୍ମୀରରେ ଭାରତର ନିଷ୍ପତ୍ତି ବିରୋଧରେ ଅନ୍ତରାଷ୍ଟ୍ରୀୟସ୍ତରରେ ସମସ୍ତ ପ୍ରୟାସ ବିଫଳ  ହେବା ପରେ ପାକିସ୍ତାନ ଏବେ ଆତଙ୍କବାଦୀଙ୍କୁ  ଭାରତ ପଠାଇବା ଉଦ୍ୟମକୁ ଜୋରଦାର କରିଛି। ଭାରତରେ ଆତଙ୍କୀ ପଠାଇବା ଉଦ୍ଦେଶ୍ୟରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଅନେକ ପଏଣ୍ଟ ସ୍ଥିର କରିଛି। ପିଓକେ ନିଲମ ଭ୍ୟାଲି ସ୍ଥିତ କାଲିଘାଟି ଇଲାକାରେ ଏକ ବଡ଼ କମ୍ୟୁନିକେସନ ହବ ମଧ୍ୟ ବିକଶିତ କରାଯାଇଛି। ଏହାର କାମ ଭାରତରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା।