Home > ସଂମ୍ପୂର୍ଣ୍ଣ ଖବର
ଶ୍ରଦ୍ଧାଞ୍ଜଳୀ ସଭାରେ ସୁଷମାଙ୍କୁ ମନେ ପକାଇଲେ ମୋଦୀ, କହିଲେ ବୈଦେଶିକ ମନ୍ତ୍ରଣାଳୟକୁ ସେ ଲୋକ ହିତୈଷି କରିଥିଲେ
Khabar Odisha:National-odisha-pm-modi-in-sushma-swaraj-prayer-meet-modi-said-sushma-changed-protocol-in-people-call
ନୂଆଦିଲ୍ଲୀ,ଅଗଷ୍ଟ୧୩(ଖବର ଓଡ଼ିଶା):

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜଙ୍କୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ସୁଷମାଙ୍କ ସ୍ଵଭାବ, କୃଷ୍ଣ ଭକ୍ତି, ଅନୁଶାସନ, ଅନୁଚ୍ଛେଦ ୩୭୦ ଉପରେ ଖୁସି,  କଠୋର ନିଷ୍ପତ୍ତି, ପ୍ରୋଟୋକଲ ସମେତ ଅନେକ କଥା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ସୁଷମା ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ। ବ୍ୟବସ୍ଥା ଆଧାରରେ, ଅନୁଶାସନ ଆଧାରରେ ଯେଉଁ ବି କାମ ମିଳିଛି ତାକୁ ସେ ଯଥା ସମ୍ଭବ କରିବା, ବ୍ୟକ୍ତିଗତ ଜୀବନରେ ଶୀର୍ଷରେ ପହଞ୍ଚିବା ପରେ ବି କାର୍ୟ୍ୟ  କରିବାକୁ ତତ୍ପର ଥାଆନ୍ତି। କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏଥିରୁ ଆଉ ବଡ଼ ପ୍ରେରଣା କଣ ହୋଇପାରେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଥର ସୁଷମା ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ଥରୁଟିଏ ଏମିତି କରିଥିଲେ। ସେହି ସମୟରେ ମୁଁ ଓ ଭେଙ୍କେୟା ତାଙ୍କୁ ଭେଟିଥିଲୁ। ତାଙ୍କୁ ଏମିତି କରିବାକୁ ମନା କଲୁ, ତାଙ୍କୁ ଯେବେ କୁହାଗଲା ଯେ ଆପଣ କର୍ଣ୍ଣାଟକ ଯାଆନ୍ତୁ ଏବଂ ବିଶେଷ ପରିସ୍ଥିତିରେ ନିର୍ବାଚନ ଲଢନ୍ତୁ। ପରିଣାମ ମଧ୍ୟ ଆଶା ମୁତାବକ ଆସିଥିଲା। ମାତ୍ର ଏହା ଚ୍ୟାଲେଞ୍ଜିଂ ଥିଲା। କିନ୍ତୁ ଏଥର ସେ କାହାରି କଥା ଶୁଣିନଥିଲେ। ସେ ନିଜର ବିଚାରରେ ଦୃଢ ଥିଲେ। 

ପରିମାଣ ଆସିବା ମାତ୍ରେ ଘର ଖାଲି କଲେ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯଦି କୌଣସି ସାଂସଦ ଯେବେ ସାଂସଦ ରୁହନ୍ତି ନାହିଁ ତେବେ ସେମାନଙ୍କୁ ସରକାରୀ ବାସଭବନ ଖାଲି କରାଇବା ପାଇଁ ବର୍ଷ ବର୍ଷ ଧରି ନୋଟିସ୍ ପଠାଇବାକୁ ପଡ଼ିଥାଏ। ମାତ୍ର ସୁଷମା ଏଥିରେ ଥିଲେ ବ୍ୟତିକ୍ରମ। ନିର୍ବାଚନ ପରିମାଣ ଆସିଲା, ତାଙ୍କର ଦାୟିତ୍ଵ ପୂରା ହେବାରୁ ସେ ପ୍ରଥମକାମ ସ୍ଵରୂପ ସରକାରୀ ବାସଭବନ ଖାଲି କରି ନିଜ ଘରକୁ ଚାଲି ଯାଇଥିଲେ। ସାର୍ବଜନୀନ ଜୀବନରେ ଏହି ସବୁ ଜିନିଷ ବହୁତ କିଛି କଥା କହିଥାଏ।

ଶ୍ରଦ୍ଧାଞ୍ଜଳୀ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସୁଷମା ନିଜର ବିଚାରକୁ ନେଇ ବହୁତ ଦୃଢ ଥିଲେ ଏବଂ ସେହି ବିଚାରକୁ ଜୀବିତ ରଖିବା ପାଇଁ ସର୍ବଦା ଉଦ୍ୟମ ମଧ୍ୟ କରି ଆସିଥିଲେ। ତାଙ୍କର ଭାଷଣ କେବଳ ପ୍ରଭାବୀ ନଥିଲା ବରଂ ପ୍ରେରଣାଦାୟୀ ମଧ୍ୟ ଥିଲା। ଯେଉଁ ମନ୍ତ୍ରଣାଳୟର ଦାୟିତ୍ଵ ତାଙ୍କୁ ମିଳିଥିଲା, ସେହି ମନ୍ତ୍ରଣାଳୟର କାର୍ୟ୍ୟବସଂସ୍କୃତିକୁ ସେ ନିଜର କର୍ତ୍ତବ୍ୟ ମାଧ୍ୟମରେ ପରିବର୍ତ୍ତନ କରିଥିଲେ। ବୈଦେଶିକ ମନ୍ତ୍ରଣାଳୟକୁ ସର୍ବଦା ପ୍ରୋଟୋକଲ ସହ ଯୋଡିକି ଦେଖାଯାଏ, ମାତ୍ର ସୁଷମା ଗୋଟିଏ ପାଦ ଆଗକୁ ବଢି ଏହାକୁ ପିପୁଲ୍ସ କଲରେ ପରିବର୍ତ୍ତନ କରି ଦେଲେ। ବୈଦେଶିକ ମନ୍ତ୍ରଣାଳୟକୁ ସେ ଲୋକ ହିତୈଷି କରିଥିଲେ।