Home > ସଂମ୍ପୂର୍ଣ୍ଣ ଖବର
ହାଇକୋର୍ଟରେ ବିନୋଦ କୁମାରଙ୍କ ଜାମିନ ଶୁଣାଣି ଘୁଞ୍ଚିଲା, ସୋମବାର ପର୍ଯ୍ୟନ୍ତ ଜେଲରେ ରହିବେ
Khabar Odisha:ORHDC-Odisha-High-Court
ଭୁବନେଶ୍ୱର, ଅଗଷ୍ଟ ୧୦(ଖବର ଓଡ଼ିଶା):

ବହୁ ଚର୍ଚ୍ଚିତ ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍‌ ଡେଭଲପମେଣ୍ଟ କର୍ପୋରେସନ୍‌ (ଓଆର୍‌ଏଚ୍‌ଡିସି) ଦୁର୍ନିତୀ ମାମଲାରେ ଜେଲ୍ ଦଣ୍ଡାଦେଶ ହୋଇଥିବା ଆଇଏଏସ୍ ବିନୋଦ କୁମାରଙ୍କୁ ନିରାଶ ହେବାକୁ ପଡ଼ିଛି। ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ତାଙ୍କ ଜାମିନ ଶୁଣାଣିକୁ କୋର୍ଟ ଘୁଞ୍ଚାଇ ଦେଇଛନ୍ତି । ଏଥିସହ ଆଜିର ନିମ୍ନ କୋର୍ଟଙ୍କ ରାୟ ଉପରେ ଜାମିନ ପାଇଁ ସାନି ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ସୋମବାର ହାଇକୋର୍ଟରେ ବିନୋଦଙ୍କ ପୁନଃ ଆବେଦନର ଶୁଣାଣି ହେବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି। ଯାହାଫଳରେ ଶୁଣାଣି ହେବା ପର୍ଯ୍ୟନ୍ତ ବିନୋଦ ଜେଲରେ ରହିବେ ।  

ସେହିପରି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ବା ବିନୋଦଙ୍କ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟ ୩ ଦୋଷୀଙ୍କ ଜାମିନ ହାଇକୋର୍ଟ ମଞ୍ଜୁର ଦେଇଛନ୍ତି। ସେମାନେ ହେଲେ ଓଆର୍‌ଏଚ୍‌ଡିସିର ତତ୍କାଳୀନ ଆକାଉଣ୍ଟ ଅଫିସର ପ୍ରଦୀପ ରାଉତ, ଆକାଉଣ୍ଟାଟ୍‌ ଚିତ୍ତରଂଜନ ମଲ୍ଲିକ ଏବଂ ଆଶିଷ ନାୟକ ।        

ପ୍ରକାଶ ଯେ, ଓଆର୍‌ଏଚ୍‌ଡିସିର ୫୫ ଲକ୍ଷ ଟଙ୍କାର ଅର୍ଥ ହେରଫେର ମାମଲାରେ ଦୋଷୀ ଆଇଏଏସ ବିନୋଦ କୁମାରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ଆଜି ବିନୋଦ କୁମାର ଭିଜିଲାନ୍ସ ନିକଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଖୋର୍ଦ୍ଧା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଏହା ସହିତ ତାଙ୍କର ଅନ୍ୟତମ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ଦାଶ ମଧ୍ୟ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ଉଭୟଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହିତ ୭୫ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି। ତେବେ ବିନୋଦ ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ କରିଥିବା ବେଳେ କୋର୍ଟ ଖାରଜ କରିଦେବାରୁ ଜାମିନ ପାଇଁ ବିନୋଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। 

  • Tags: