Home > ସଂମ୍ପୂର୍ଣ୍ଣ ଖବର
ଅପରେସନ୍ ଦାମ, ଦାମଙ୍କ ବିରୋଧରେ ମହାମେଳି, ଚର୍ଚ୍ଚାରେ ପାଣ୍ଡିଆନ୍ ! ଗୋଟିଏ ଘାଟରେ ବିଜେଡି ଓ କଂଗ୍ରେସ !
Khabar Odisha:Operation-BJD-Leader-Damo-Odisha-BJD-Congress-V-Kartikeyan-Pandian
ପାରାଦ୍ୱୀପ, ୧୦ ଅଗଷ୍ଟ (ଖବର ଓଡିଶା):

ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତଙ୍କ ବିରୋଧରେ ମହାମେଳି । ମେଳିରେ ସାମିଲ ହୋଇଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ନେତା  । ଦାମଙ୍କୁ ଘେରିବା ପାଇଁ କୁଆଡେ ତୃତୀୟ ମହଲାର ପାୱାରଫୁଲ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ଅଘୋଷିତ ନିର୍ଦ୍ଦେଶନାମା ଜାରି କରିଛନ୍ତି  । କଳେବଳେ କୌଶଳେ ଯେପରି ଦାମଙ୍କ ମୁହଁରେ ତୁଣ୍ଡି ବନ୍ଧାଯିବ ସେଥିପାଇଁ ତୃତୀୟ ମହଲାରୁ କଡା ନିର୍ଦ୍ଦେଶ ଯାଇଥିବା କଥା ଏବେ ପାରାଦ୍ୱୀପ ବିଜେଡିରେ ଚର୍ଚ୍ଚା ହେଉଛି ।

ପାରାଦ୍ୱୀପରୁ ଦାମଙ୍କୁ ହଟାଇବା ପାଇଁ ଯେଉଁ ମେଳି ହୋଇଛି ତାହା ବିଜେଡି ଓ କଂଗ୍ରେସ ଉଭୟଙ୍କ ଭାଗିଦାରିତାରେ ହେଉଥିବା ନେଇ ଏବେ ପାରାଦ୍ୱୀପ ଅଞ୍ଚଳରେ ଚର୍ଚ୍ଚା ଚାଲିଛି  । ଧଳବ୍ରଦର୍ସ ଲିଙ୍କ ହେଉ ଅବା, ଟିଟୋ ଲିଙ୍କ୍ କିମ୍ବା ବ୍ଲାକରୋଜ ଜାହଜ ପ୍ରସଙ୍ଗରେ ଗଣମାଧ୍ୟମରେ ଗୁମର ଖୋଲି ବିଜେଡିକୁ ଅଡୁଆରେ ପକାଇଛନ୍ତି ଦାମ  ।

ଦାମଙ୍କ ଏହି ପେଡିଖୋଲା ଉପାଖ୍ୟାନରେ ଏବେ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ମଧ୍ୟ ଘାଇଲା  । ଏପରିକି ଗ୍ୟାଙ୍ଗଷ୍ଟାର ଟିଟୋ ସହ ବିଜେଡିର ଲିଙ୍କ୍ ଆସିବା ଓ ବାପୁ ପରିଡା ନାମକ ଜଣେ ବିଜେଡି ନେତା ଗିରଫ ପରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଗୃହବିଭାଗର ଦୁଇ ତଦନ୍ତକାରୀ ସଂସ୍ଥାର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇବା ସହ ଦମ ଅଛି ଯଦି ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଗଣମାଧ୍ୟମରେ ଖୋଲା ଆହ୍ୱାନ କରିଥିଲେ  । ଏପରିକି ବଡ ମାଛ ଛାଡି ଦଣ୍ଡୁକୁରୀ ଧରାଯାଉଛି ବୋଲି କହି ତଦନ୍ତକାରୀ ସଂସ୍ଥାର କାର୍ଯ୍ୟକୁ କଟାକ୍ଷ କରିଥିଲେ  ।

ଏହି ଘଟଣା ପରେ ଏବେ ଦାମଙ୍କୁ ଘେରିବା ପାଇଁ ବିଜେଡି ବ୍ଲୁପ୍ରିଣ୍ଟ କରିଥିବା ନେଇ ଦାମଙ୍କ ସମର୍ଥକ ମାନେ କୁହାକୁହି ହେଉଛନ୍ତି  । ଏହି ଦାୟିତ୍ୱରେ ରହିଛନ୍ତି କଟକର ଜଣେ କ୍ଷମତାଶାଳୀ ବିଧାୟକ  । ମନ୍ତ୍ରୀ ହୋଇନଥିଲେ ବି ତାଙ୍କର ତୃତୀୟ ମହଲାରେ ଦବଦବା ରହିଛି  । ପାରାଦ୍ୱୀପରୁ ପ୍ରାର୍ଥୀ ହେବାପାଇଁ ସେ ବାରମ୍ବାର ଚେଷ୍ଟାକରି ବିଫଳ ହୋଇ ଶେଷରେ କଟକରୁ ବିଧାୟକ ହୋଇଛନ୍ତି  । ଏହି ବିଧାୟକଙ୍କୁ ଦାମଙ୍କ ରାଜନୈତିକ କ୍ୟାରିଅରକୁ ବଦନାମ କରିବା ପାଇଁ ଦାୟିତ୍ୱ ପ୍ରଦାନ ହୋଇଛି ବୋଲି ଦାମଙ୍କ ସମର୍ଥକ ମାନେ ଏବେ ସହରରେ କହି ବୁଲୁଛନ୍ତି । ଏହି ନେତା ଜଣଙ୍କ ଏବେ ଉଭୟ ବିଜେଡି ଓ କଂଗ୍ରେସ ନେତାଙ୍କୁ ମେଳି କରି ଦାମଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ଚେଷ୍ଟା କରିଛନ୍ତି  । ଏପରିକି କିଛି କଂଗ୍ରେସ ନେତାଙ୍କୁ ବିଜେଡିରୁ ପ୍ରାର୍ଥୀ କରିବାର ଲୋଭ ଦେଖାଇ ଦାମଙ୍କ ବିରୋଧରେ ପାରାଦ୍ୱୀପରେ ଆନ୍ଦୋଳନ କରିବା ପାଇଁ ଚେଷ୍ଟା କରାଯାଉଥିବା ନେଇ  ଏବେ ସାଧାରଣରେ ଜନତା ଆଲୋଚନା ହେଉଛନ୍ତି  । ଯେଉଁଥିପାଇଁ କଂଗ୍ରେସର ଜଣେ ପରେ ଜଣେ ନେତା ଏବେ ଶ୍ରୀ ରାଉତଙ୍କୁ ଟାର୍ଗେଟ କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି  ।

ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ରାଉତ ସବୁବେଳେ ତୃତୀୟ ମହଲାର ଅଣଓଡିଆ ଅଫିସରଙ୍କ ସମେତ ଶାସକ ଦଳର ବିଧାୟକ ଓ ନେତାଙ୍କ ବିରୋଧରେ ସିଧାସିଧା କହି ଚର୍ଚ୍ଚାରେ ରହି ଆସିଛନ୍ତି  । ଏପରି ସ୍ଥିତିରେ ପାରାଦ୍ୱୀପ ଅଞ୍ଚଳରେ ଚାଲିଥିବା ଏପରି ଆଲୋଚନା ରାଜନୈତିକ ପାଣିପାଗକୁ ଆହୁରି ସରଗରମ କରିଦେଇଛି  । ଏପରିକି ଏହି ମେଳିରେ କିଛି ବିଧାୟକ, ପୂର୍ବତନ ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନେ ରହିଥିବା ସାଧାରଣରେ ଆଲୋଚନା ହେଉଛି  ।

ବିଜେଡିର ପୁରୁଣା ତୁଣ୍ଡ ବିଧାୟକ ଦାମୋଦର ରାଉତଙ୍କୁ ନେଇ ଏବେ ଚିନ୍ତାରେ ବିଜେଡି  । ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହ କାମ କରିଥିବା ଶ୍ରୀ ରାଉତଙ୍କ ନିକଟରେ ସବୁ ନେତାଙ୍କ ଡାଏରୀ ରହିଥିବା ନେଇ ଏବେ ବନ୍ଦରନଗରୀ ପାରାଦ୍ୱୀପରେ ଜୋର ଧରିଛି ଚର୍ଚ୍ଚା  । ଡାଏରୀ କାଳେ ଖୋଲିଦେବେ ଏଥିପାଇଁ ତୃତୀୟ ମହଲରା କମ୍ପନ ଦେଖାଦେଇଛି  । ସେଥିପାଇଁ ତାଙ୍କ ବିରୋଧରେ ଏପରି କାମ ଚାଲିଥିବା ସାଧାରଣ ଲୋକଙ୍କ ମଧ୍ୟରେ ଏବେ ମୁଖ୍ୟ ଆଲୋଚ୍ୟର ବିଷୟ ସାଜିଛି  ।

  • Tags: