Home > ସଂମ୍ପୂର୍ଣ୍ଣ ଖବର
୧୪ରେ ହରିୟାଣାରେ ପ୍ରଚାର କରିବେ ରାହୁଲ, କଂଗ୍ରେସ କର୍ମୀଙ୍କୁ ତାଲିମ ଦେବେ ପ୍ରିୟଙ୍କା
Khabar Odisha:Politics-Congress-leader-Rahul-Gandhi-to-campaign-in-Haryana-on-14th-October

ନୂଆଦିଲ୍ଲୀ, ଅକ୍ଟୋବର ୧୦ (ଖବର ଓଡ଼ିଶା): ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର କରିବେ । ରାହୁଲ ଅକ୍ଟୋବର ୧୪ରେ ହରିୟାଣାରେ ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ରାଲି ଓ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଉତ୍ତର ପ୍ରଦେଶର କଂଗ୍ରେସ କର୍ମୀଙ୍କୁ ତାଲିମ ଦେବେ । 

ଉତ୍ତରପ୍ରଦେଶ ପାଇଁ ନବନିଯୁକ୍ତ ମହାସଚିବ ଓ ଉତ୍ତର ପ୍ରଦେଶ ପ୍ରମୁଖ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଦଳୀୟ କର୍ମୀଙ୍କୁ ତିନିଦିନିଆ ତାଲିମ ଦେବେ । କଂଗ୍ରେସ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ପ୍ରିୟଙ୍କା ଅକ୍ଟୋବର ୧୪ରୁ ୧୬ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ଗସ୍ତ କରି ଦଳୀୟ କର୍ମୀଙ୍କୁ ତାଲିମ ଦେବେ । ରାୟବରେଲି ଠାରେ ଏହି ତାଲିମ ବ୍ୟବସ୍ଥା ଉତ୍ତରପ୍ରଦେଶ କଂଗ୍ରେସ କମିଟିର କର୍ମକର୍ତ୍ତାଙ୍କ ପାଇଁ ହେବ । ନୂତନ କମିଟି ଗଠନ ହେବା ପରେ ଏହି ତାଲିମ କାର୍ଯ୍ୟକ୍ରମ ହେଉଛି । ଜିଲ୍ଲା ସଭାପତିମାନଙ୍କୁ ୱାର୍କଶପରେ ତାଲିମ ଦିଆଯିବ । ସୂତ୍ର ଅନୁସାରେ ପ୍ରିୟଙ୍କା କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ ପ୍ରତି ଅଧିବେଶନରେ ଉପସ୍ଥିତ ରହିବେ । 

ପ୍ରିୟଙ୍କା ଗାନ୍ଧୀ ନୂଆଁ ଟିମ ଗଠନ କରୁଛନ୍ତି । ସେମାନଙ୍କୁ ତାଲିମ ପ୍ରଦାନ କରି ଦଳକୁ ମଜବୁତ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । କାରଣ ୨୦୨୨ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେଉଛି । ବିଜେପି ପ୍ରଭାବିତ ରାଜ୍ୟରେ କଂଗ୍ରେସକୁ କଡ଼ା ଚ୍ୟାଲେଞ୍ଜ କରିବାକୁ ପଡୁଛି । ଉତ୍ତର ପ୍ରଦେଶ କଂଗ୍ରେସ ସୋମବାର ବିଧାୟକ ଅଜୟ କୁମାର ଲୁଲୁଙ୍କୁ ରାଜ୍ୟ ସଭାପତି କରିଛି । ସେହିପରି ୪ ଜଣଙ୍କୁ ଉପ-ସଭାପତି ଓ ୧୨ ଜଣଙ୍କୁ ମହାସଚିବ ପଦରେ ନିଯୁକ୍ତି ଦେଇଛି ।  

  • Tags: