Home > ସଂମ୍ପୂର୍ଣ୍ଣ ଖବର
ଆସ୍ଥା ଭୋଟ୍ ଜିତିବା ପରେ କହିଲେ ୟେଦୁରପ୍ପା, କୃଷକଙ୍କୁ ମହତ୍ଵ ଦେବୁ, କର୍ଣ୍ଣାଟକରେ ଆରମ୍ଭ ହେବ ବିକାଶର ନୂତନ ଯୁଗ
Khabar Odisha:Politics-odisha-bs-yedyurappa-says-karnataka-people-wins-in-trust-vote
ବେଙ୍ଗାଲୁରୁ,ଜୁଲାଇ୨୩(ଖବର ଓଡ଼ିଶା):

କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟରେ  ବିଜୟୀ ହେବା ପରେ ରାଜ୍ୟ ବିଜେପି ମୁଖ୍ୟ ବିଏସ ୟେଦୁରପ୍ପା ଏହାକୁ ଗଣତନ୍ତ୍ରର  ବିଜୟ ବୋଲି ଦର୍ଶାଇଛନ୍ତି। ବିଧାନସଭାରେ ଆସ୍ଥା  ଭୋଟରେ  ଜିତିବା ପରେ  ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ୟେଦୁରପ୍ପା କହିଛନ୍ତି ଯେ, କର୍ଣ୍ଣାଟକ ଜନତା କୁମାରସ୍ଵାମୀ ସରକାରକୁ ନେଇ ଅସନ୍ତୁଷ୍ଟ ଥିଲେ। ମୁଁ କର୍ଣ୍ଣାଟକ ଲୋକଙ୍କୁ ଭରସା ଦେବାକୁ ଚାହୁଁଛି ଯେ, ରାଜ୍ୟରେ  ଏବେ ବିକାଶର ନୂତନ ଯୁଗ ଆରମ୍ଭ ହେବ। 

ବିଏସ ୟେଦୁରପ୍ପା କହିଛନ୍ତି ଯେ ମୁଁ କୃଷକଙ୍କୁ ଆଶ୍ଵସ୍ତ କରିବାକୁ ଚାହୁଁଛି ଯେ ଆଗାମୀ ଦିନରେ ସେମାନଙ୍କୁ ଅଧିକ ମହତ୍ଵ ଦିଆଯିବ। ସେମାନଙ୍କ ହିତରେ ଶୀଘ୍ର ଜରୁରୀ ନିଷ୍ପତ୍ତି ନିଆଯିବ। କର୍ଣ୍ଣାଟକ ବିଜେପି ଏହି ବିଜୟକୁ ନେଇ ଟ୍ଵିଟ୍ କରିଛି ଯେ ଏହା କର୍ଣ୍ଣାଟକ ଲୋକଙ୍କର ବିଜୟ। ଏବେ ଭ୍ରଷ୍ଟାଚାର ଓ ଅପବିତ୍ର ମେଣ୍ଟର ଅନ୍ତ ଘଟିଛି।  ଆମେ ଲୋକଙ୍କୁ ସ୍ଥିର ଏବଂ ମଜବୁତ ସରକାର ଦେବାର ପ୍ରତିଶ୍ରୁତି ଦେଉଛୁ। ଆମେ ଏକାଠି ମିଶି ପୁଣି ଥରେ କର୍ଣ୍ଣାଟକକୁ ଏକ ସମୃଦ୍ଧ ରାଜ୍ୟ ଗଠନ କରିବୁ।

ରାଜ୍ୟର ବରିଷ୍ଠ ବିଜେପି ନେତା ଜଗଦୀଶ ସେଟ୍ଟାର କହିଛନ୍ତି ଯେ, ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଏ ପର୍ଯ୍ୟନ୍ତ ସ୍ଵୀକାର କରି ନାହାନ୍ତି।  ସେମାନଙ୍କର ଇସ୍ତଫା ଉପରେ ନିଷ୍ପତ୍ତି ପରେ ଏହା ସ୍ଥିର ହେବ ଯେ, ସେମାନଙ୍କୁ ବିଜେପିରେ ସାମିଲ କରାଯିବ କି ନାହିଁ। ବର୍ତ୍ତମାନ ସ୍ଥିତିରେ ବିଜେପି ପାଖରେ ୧୦୫ ବିଧାୟକ ଅଛନ୍ତି, ଯାହା ଗୃହରେ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯଥେଷ୍ଟ। ଆମେ ରାଜ୍ୟରେ ଏକ ସ୍ଥିର ସରକାର ଦେବୁ। ଆସ୍ଥା ଭୋଟ୍  ଜିତିବା ପରେ ବେଙ୍ଗାଲୁରୁ ସ୍ଥିତ ବିଜେପି ଦପ୍ତରରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସବର ମାହୋଲ ରହିଛି। 

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ଆସ୍ଥା ପ୍ରସ୍ତାବ ଉପରେ ହୋଇଥିବା ମତଦାନରେ ଏଚଡି କୁମାରସ୍ଵାମୀ ସରକାର ସପକ୍ଷରେ ୯୯ ଭୋଟ୍  ପଡିଥିବା ବେଳେ ବିପକ୍ଷରେ ୧୦୫ଟି ଭୋଟ୍ ପଡିଥିଲା।  ଫଳରେ ୧୪ ମାସର କୁମାରସ୍ଵାମୀ ସରକାରର ଅନ୍ତ ଘଟିଥିଲା।