Home > ସଂମ୍ପୂର୍ଣ୍ଣ ଖବର
ହାରି କରି ଜିତିବା ବ୍ୟକ୍ତିଙ୍କୁ ବାଜିଗର ନୁହେଁ ୟେଦୁରପ୍ପା କୁହନ୍ତି, ଚତୁର୍ଥ ଥର ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ
Khabar Odisha:Politics-odisha-profile-of-bjp-leader-bs-yeddyurappa-may-become-karnataka-cm-for-fourth-term
ବେଙ୍ଗାଲୁରୁ,ଜୁଲାଇ୨୩(ଖବର ଓଡ଼ିଶା):

 ବିଏସ ୟେଦୁରପ୍ପା ଚତୁର୍ଥ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି। ୟେଦୁରପ୍ପା କର୍ଣ୍ଣାଟକ ରାଜନୀତିରେ ଏକ ବଡ଼ ହସ୍ତୀ। ସେ ରାଜ୍ୟ ରାଜନୀତିରେ ସଂଖ୍ୟା ଯୋଗାଡ଼ର ଜଣେ ମହାରଥୀ। ପୁଣି ଥରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗିବା ପରେ ଏହି କଥା ଉପରେ ମଧ୍ୟ ମୋହର ବାଜି ଯାଇଛି। କର୍ଣ୍ଣାଟକରେ ଗତ ନିର୍ବାଚନ ପୂର୍ବରୁ ଯେବେ ବିଜେପିକୁ କର୍ଣ୍ଣାଟକରେ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାର ଥିଲା ତେବେ ଦଳ ସାମ୍ନାରେ ତିନୋଟି  ବିକଳ୍ପ ରହିଥିଲା। ଅନନ୍ତ ହେଗଡ଼େ, ପ୍ରତାପ ସିହ୍ନା ଓ  ବିଏସ ୟେଦୁରପ୍ପା।  ମାତ୍ର ବିଜେପି ପ୍ରଥମ ଦୁଇ ନେତାଙ୍କ ହିନ୍ଦୁବାଦୀ ଚେହେରାକୁ ଏଡ଼ାଇ ୟେଦୁରପ୍ପାଙ୍କ ଉପରେ ମୋହର ମାରିଥିଲା। ଏହା ଭୁଲ ମଧ୍ୟ ସାବ୍ୟସ୍ତ ହୋଇନଥିଲା ଏବଂ ବିଜେପି ସବୁଠୁ ବଡ଼ ପାର୍ଟି ରୂପେ ଆର୍ବିଭାବ  ହୋଇଥିଲା। ମାତ୍ର ଦଳ ବହୁମତଠୁ କିଛି ସିଟ୍ ପଛରେ ପଡିଗଲା ଏବଂ କଂଗ୍ରେସ-ଜେଡିଏସ ମିଶି ମେଣ୍ଟ ସରକାର ଗଠନ କରିଥିଲେ।

ବୁଙ୍କକରେ ସିଦ୍ଧାଲିଙ୍ଗପ୍ପା ୟେଦୁରପ୍ପା କର୍ଣ୍ଣାଟକ ରାଜନୀତିରେ ଏତେ ମଜବୁତ ନାମ ଯେ, ତାଙ୍କର ବିକଳ୍ପ ଖୋଜିବା ବହୁ ମୁସ୍କିଲ। ଗୋଟିଏ ହାରି ଯାଇଥିବା ବାଜିକୁ ସେ ଜିତି ଏହା ମଧ୍ୟ ସାବ୍ୟସ୍ତ କରି ଦେଇଛନ୍ତି ଯେ, କର୍ଣ୍ଣାଟକ ରାଜନୀତିରେ ତାଙ୍କର ବିକଳ୍ପ କେହି ନାହାନ୍ତି। ସେ ଏହା ମଧ୍ୟ କହି ସାରିଛନ୍ତି ଯେ, ବିଜେପି ଏବେ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବ। ଏ ହେଉଛି ସେହି ୟେଦୁରପ୍ପା ଯିଏ ଦକ୍ଷିଣ ଭାରତରେ ପ୍ରଥମ ଥର ପଦ୍ମ ଫୁଟାଇ କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିଥିଲେ। 

ପରେ ସେ ଦୁର୍ନୀତି ଆରୋପରେ ଫସିଥିଲେ ଏବଂ ପାର୍ଟି ତାକୁ ଦଳରୁ ବହିଷ୍କାର କରିଥିଲା। ୟେଦୁରପ୍ପାଙ୍କୁ ନିଜର ଏକ ପାର୍ଟି କର୍ଣ୍ଣାଟକ ଜନତା ପକ୍ଷ ଗଠନ କରିବାକୁ ପଡ଼ିଥିଲା। ମାତ୍ର ୨୦୧୪ରେ ସେ ପୁଣି ଥରେ ବିଜେପିକୁ ଫେରିଥିଲେ ଓ ରାଜ୍ୟ ଅଧ୍ୟକ୍ଷ ହୋଇ ପୁଣି ଥରେ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ। 

ୟେଦୁରପ୍ପାଙ୍କୁ ଧୋକା ଦେଇଥିଲେ କୁମାରସ୍ଵାମୀ 

ଏଚଡି କୁମାରସ୍ଵାମୀ ଆଜି ନିଜ ବିଧାୟକ ପାଇଁ ଯେଉଁ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି, ୨୦୦୬ରେ ଏମିତି କିଛି ବିଦ୍ରୋହ ଏଚଡି କୁମାରସ୍ଵାମୀଙ୍କ ନେତୃତ୍ଵରେ ଜେଡିଏସର ୪୨ ବିଧାୟକ କରିଥିଲେ।  ସେହି ସମୟରେ ମଧ୍ୟ କର୍ଣ୍ଣାଟକରେ କଂଗ୍ରେସ ଓ  ଜେଡିଏସର ମେଣ୍ଟ ସରକାର ଥିଲା ଏବଂ ମୁଖ୍ୟମନ୍ତ୍ରୀ ଥିଲେ କଂଗ୍ରେସ ନେତା ଧର୍ମ ସିଂହ। କୁମାରସ୍ଵାମୀ ୪୨ ବିଧାୟକଙ୍କ ସହିତ ଅଲଗା ହୋଇଯାଇଥିଲେ ଏବଂ ସରକାର ଭାଙ୍ଗି ଯାଇଥିଲା।

୨୦୦୬ ଜାନୁଆରୀ ୨୮ରେ କର୍ଣ୍ଣାଟକର ରାଜ୍ୟପାଳ ଟିଏନ ଚର୍ତୁବେଦୀ କୁମାରସ୍ଵାମୀଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରିତ କରିଥିଲେ। କୁମାରସ୍ଵାମୀଙ୍କ ନେତୃତ୍ଵରେ ଜେଡିଏସ ଓ  ବିଜେପି ମେଣ୍ଟ ସରକାର ଗଠନ  ହୋଇଥିଲା। ସର୍ତ୍ତ ଥିଲା ଯେ ପ୍ରଥମ ଅଢେଇ ବର୍ଷ ଜେଡିଏସର ନେତା ମୁଖ୍ୟମନ୍ତ୍ରୀ ପଦରେ ରହିବେ ଏବଂ ବାକି ଅଢେଇ ବର୍ଷ ବିଜେପିର ନେତା ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହେବେ। ୨୦୦୭ ସେପ୍ଟେମ୍ବର ୨୭ରେ କୁମାରସ୍ଵାମୀ ଘୋଷଣା କରିଥିଲେ ଯେ, ଚୁକ୍ତିନାମା ଅନୁରୂପ ସେ ଅକ୍ଟୋବର ୩ରେ ପଦରୁ ହଟିଯିବେ। ମାତ୍ର ଅକ୍ଟୋବର ୪ରେ ସେ ବିଜେପିକୁ କ୍ଷମତା ହସ୍ତାନ୍ତର କରିବାକୁ ମନା କରି ଦେଇଥିଲେ। ଅକ୍ଟୋବର ୮ରେ କୁମାରସ୍ଵାମୀ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପ୍ରଦାନ କରିଥିଲେ ଏବଂ ଦୁଇ ଦିନ ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।