Home > ସଂମ୍ପୂର୍ଣ୍ଣ ଖବର
ଆଜିର ଦିନରେ ପ୍ରଥମ ବିଶ୍ୱକପ ହାସଲ କରିଥିଲା ଟିମ୍ ଇଣ୍ଡିଆ, ଲର୍ଡ୍ସରେ ପୁଣିଥରେ ଚାମ୍ପିୟନ ହେବ ଟିମ୍ ଇଣ୍ଡିଆ !
Khabar Odisha:Sports-cricket-odisha-25-june-1983-india-won-its-first-cricket-world-cup
ନୂଆଦିଲ୍ଲୀ, ଜୁନ୍ ୨୫(ଖବର ଓଡିଶା):

ଆଜିର ଦିନଟି ହେଉଛି ଭାରତୀୟ କ୍ରିକେଟ ଦଳ ପାଇଁ ସବୁଠାରୁ ଶ୍ମରଣୀୟ ଦିନ । ଆଜିରୁ ୩୬ ବର୍ଷ ପୂର୍ବେ, ଆଜିର ଦିନରେ ୧୯୮୩ ମସିହାରେ ଟିମ୍ ଇଣ୍ଡିଆ ଇତିହାସ ରଚିଥିଲା । ଆଜି ହେଉଛି ସେହି ଦିନେ, ଯେଉଁ ଦିନ (୧୯୮୩) କ୍ରିକେଟ ବିଶ୍ୱକପ ଫାଇନାଲରେ ଦୁଇଥରର ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ପ୍ରଥମଥର ପାଇଁ ବିଶ୍ୱ ବିଜେତା ହୋଇ ବିଶ୍ୱକପ ଟ୍ରଫି ହାସଲ କରିଥିଲା ଟିମ୍ ଇଣ୍ଡିଆ । କପିଲ୍ ଦେବଙ୍କ ଅଧିନରେ ଟିମ୍ ଇଣ୍ଡିଆ ୭୫ କୋଟି ଲୋକଙ୍କ ସ୍ୱପ୍ନ ସାକାର କରିବା ସହିତ ଭାରତରେ କ୍ରିକେଟ ଯୁଗର ଆରମ୍ଭ କରିଥିଲେ । 

ଦୁଇଥରର ଚାମ୍ପିୟନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ୍ ଇଣ୍ଡିଆ ବିଶ୍ୱକପ ଫାଇନାଲ ଖେଳିବାର ଥିଲା, ଲର୍ଡ୍ସ ପଡିଆରେ ଦୁଇଥରର ଚାମ୍ପିୟନ ସାମ୍ନାରେ କ୍ରିକେଟପ୍ରେମୀ ଟିମ୍ ଇଣ୍ଡିଆକୁ ଦେଖି ଚିନ୍ତିତ ଥିଲେ । କେହିବି ଭାବି ନଥିଲେ ଯେ, ଟିମ୍ ଇଣ୍ଡିଆ ବିଶ୍ୱ ଚାମ୍ପିୟନ ହୋଇଯିବ । ଶେଷରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଲର୍ଡ୍ସରେ କପିଲ ଦେବ୍ ଯେବେ ବିଶ୍ୱକପ ଟ୍ରଫି ଉଠାଇଲେ, ସେ ଛବି ଚିରଦିନ ପାଇଁ ଅମର ହୋଇଗଲା । 

ସବୁଠାରୁ ଉତ୍କଣ୍ଠାର ବିଷୟ ହେଉଛି ଯେ, ଚଳିତ ଆଇସିସି କ୍ରିକେଟ ବିଶ୍ୱକପ ମଧ୍ୟ ଇଂଲଣ୍ଡରେ ହିଁ ଖେଳାଯାଉଛି ଏବଂ ଫାଇନାଲ୍ ଲର୍ଡ୍ସରେ ହିଁ ଖେଳାଯିବ । ବିରାଟ କୋହଲିଙ୍କ ଟିମ ଚଳିତ ବିଶ୍ୱକପରେ ଦମ୍‌ଦାର ପ୍ରଦର୍ଶନ କରୁଛି, ଏମିତିରେ ସମସ୍ତେ ଭାରତୀୟ ଦଳରୁ ଟ୍ରଫି ଆଶା ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ ତାର ସମସ୍ତ ମ୍ୟାଚ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ବର୍ଷା ପାଇଁ ବାତିଲ ହୋଇଥିଲା । ୧୪ ଜୁଲାଇରେ ଯେବେ ଲର୍ଡ୍ସରେ ପୁଣିଥରେ ବିଶ୍ୱକପ ଫାଇନାଲ ଖେଳାଯିବ, ଟିମ୍ ଇଣ୍ଡିଆର ପ୍ରଶଂସକ ୧୯୮୩ର ପୁନରାବୃତ୍ତି ଆଶା କରିବେ । ସେ ଦୃଷ୍ଟିରୁ ଦେଖିଲେ ଟିମ୍ ଇଣ୍ଡିଆ ତାର ତୃତୀୟ ଟ୍ରଫି ହାସଲ କରିବ ବୋଲି ସବୁ ଭାରତୀୟ ଆଶା ରଖିଛନ୍ତି ।