Home > ସଂମ୍ପୂର୍ଣ୍ଣ ଖବର
ଚତୁର୍ଥ ଥର ବିଶ୍ଵକପ ଫାଇନାଲକୁ ଉନ୍ନୀତ ହେବା ପାଇଁ ଇଂଲଣ୍ଡ ସମ୍ମୁଖରେ ୨୨୪ ରନର ବିଜୟ ଲକ୍ଷ୍ୟ
Khabar Odisha:Sports-cricket-odisha-australia-gave-224-target-to-england-in-icc-world-cup-semi-final
ବର୍ମିଂହାମ,ଜୁଲାଇ୧୧(ଖବର ଓଡ଼ିଶା):

ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ବିଶ୍ଵକପ-୨୦୧୯ର ଦ୍ଵିତୀୟ ସେମି ଫାଇନାଲରେ ଆୟୋଜକ ଇଂଲଣ୍ଡ ବୋଲରଙ୍କ ଘାତକ ବୋଲିଂ ବଳରେ ପାଞ୍ଚ ଥରର ବିଶ୍ଵ ବିଜେତା ଅଷ୍ଟ୍ରେଲିଆକୁ ବଡ଼ ସ୍କୋର କରିବାକୁ ଦେଇ ନାହିଁ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଷ୍ଟିଭେନ ସ୍ମିଥଙ୍କ ୮୫ ରନ ବଳରେ ୪୯ ଓଭରରେ ୨୨୩ ରନରେ ଅଲଆଉଟ୍ ହୋଇଛି। ହୋଇଛି। ଫଳରେ ଦ୍ଵିତୀୟ ଦଳ ଭାବେ ଚତୁର୍ଥ ଥର ବିଶ୍ଵକପ ଫାଇନାଲକୁ ଉନ୍ନୀତ ହେବା ପାଇଁ ଇଂଲଣ୍ଡ ସମ୍ମୁଖରେ ରହିଛି ୨୨୪ ରନର ବିଜୟ ଲକ୍ଷ୍ୟ। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓ୍ଵକ୍ସ, ଆଦିଲ ରସିଦ ଓ ଜୋଫ୍ରା ଆର୍ଚର ଶାଣିତ ବୋଲିଂ କରି ମିଳିତ ଭାବେ ୭ ଓ୍ଵିକେଟ୍ ନେଇ ଦଳକୁ ବିଜୟ ସମ୍ଭାବନା ଦେଇଛନ୍ତି। ଯଦି ଅଷ୍ଟ୍ରେଲିଆ ବିଜୟ ହୁଏ ତେବେ ଦଳ ସପ୍ତମ ଥର ବିଶ୍ଵ କପ ଫାଇନାଲକୁ ଉନ୍ନୀତ ହେବ।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ୧୦ ରନରେ ପ୍ରଥମ ୩ଟି ଓ୍ଵିକେଟ୍ ହରାଇ ଥିଲା। ଦଳ ୪ ରନ ସ୍କୋରରେ ଅଧିନାୟକ ଆରୋନ ଫିଞ୍ଚ(୦)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ୧୦ ରନ ସ୍କୋରରେ ଡେଭିଡ ଓ୍ଵାର୍ଣ୍ଣର(୯)ଙ୍କୁ କ୍ରିସ୍ ଓ୍ଵକ୍ସ ଆଉଟ୍ କରି ଇଂଲଣ୍ଡକୁ ଦ୍ଵିତୀୟ ସଫଳତା ଦେଇଥିଲେ।  ପୁଣି ୧୪ ରନ ସ୍କୋରରେ ଉସମାନ ଖ୍ଵାଜାଙ୍କ ବଦଳରେ ଦଳରେ ସାମିଲ ପିଟର ହ୍ୟାଣ୍ଡସ୍କମ୍ବ(୪) ବିଦାୟ ନେଇଥିଲେ। କ୍ରିସ ଓ୍ଵକ୍ସ ପିଟରଙ୍କୁ ଆଉଟ୍ କରି ଦଳକୁ ତୃତୀୟ ସଫଳତା ଦେଇଥିଲେ।

୧୪ ରନରେ ୩ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିବା ଅଷ୍ଟ୍ରେଲିଆର ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ଷ୍ଟିଭେନ ସ୍ମିଥ ଓ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଆଲେକ୍ସ କେରି। ଉଭୟ ଚତୁର୍ଥ ଓ୍ଵିକେଟରେ ଶତକୀୟ ଭାଗିଦାରୀ ଯୋଡି ସ୍ଥିତିରେ ସାମାନ୍ୟ ଉନ୍ନତି କରିଥିଲେ। ମାତ୍ର ୧୧୭ ରନ ସ୍କୋରରେ କେରିଙ୍କୁ ଆଉଟ୍ କରି ଆଦିଲ ରସିଦ ଅଷ୍ଟ୍ରେଲିଆକୁ ବହୁତ ବଡ଼ ଝଟକା ଦେଇଥିଲେ। କେରି ୭୦ ବଲରୁ ୪ ଚୌକା ବଳରେ ୪୬ ରନ କରି ପାଭିଲିୟନ ଫେରିଥିଲେ। ଏହା ପୂର୍ବରୁ ସେ ସ୍ମିଥଙ୍କ ସହ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୦୩ ରନ ଯୋଡିଥିଲେ।

ଏହି ଯୋଡ଼ି ଭାଙ୍ଗିବା ପରେ ପୁଣି ଥରେ ଅଷ୍ଟ୍ରେଲିଆ କ୍ରମାଗତ ଓ୍ଵିକେଟ୍ ହରାଇ ବ୍ୟାକଫୁଟକୁ ଚାଲି ଯାଇଥିଲା। ଗୋଟିଏ ସ୍ମିଥ୍ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟ ପଟେ ଦଳ ଓ୍ଵିକେଟ୍ ହରାଇ ଚାଲିଥିଲା। ୧୧୮ ସ୍କୋରରେ ମାର୍କସ ଷ୍ଟୋଇନିସ(୦) ରସିଦଙ୍କ ଶିକାର ହୋଇଥିଲେ। ଏହା ପରେ ଗ୍ଲେନ ମ୍ୟାକ୍ସଓ୍ଵେଲ ୨୩ ବଲରୁ ୨୨ ରନ କରିଥିଲେ ମଧ୍ୟ ତାହା ଦଳ ପାଇଁ ପର୍ୟ୍ୟା ପ୍ତ ହୋଇନଥିଲା। ୧୫୭ ରନ ସ୍କୋରରେ ମ୍ୟାକ୍ସଓ୍ଵେଲ ଜୋଫ୍ରା ଆର୍ଚରଙ୍କ ଦ୍ଵାରା ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଅନ୍ୟ ପଟେ ସ୍ମିଥ ୨୩ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ।

୧୬୬ ସ୍କୋରରେ ପାଟ କମିନ୍ସ(୬) ଆଉଟ୍ ହୋଇଥିଲେ। ସ୍ମିଥ ୮୫ ରନ କରି ଅଷ୍ଟମ ଖେଳାଳି ଭାବେ ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଏହା ପରେ ଅଷ୍ଟ୍ରେଲିଆ ୪୯ ଓଭରରେ ୨୨୩ ରନରେ ଅଲଆଉଟ୍ ହୋଇଥିଲା।

ଇଂଲଣ୍ଡ ପକ୍ଷରୁ ବୋଲର ଭାବେ କ୍ରିସ ଓ୍ଵକ୍ସ ୮ ଓଭରରେ ମାତ୍ର ୨୦ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ଆଦିଲ ରସିଦ ୩, ଜୋଫ୍ରା ଆର୍ଚର ୨ ଓ ମାର୍କ ଉଡ ଗୋଟିଏ ଓ୍ଵିକେଟ୍ ନେଇଥିଲେ।