ନୂଆଦିଲ୍ଲୀ,ଅଗଷ୍ଟ୧୩(ଖବର ଓଡ଼ିଶା):
ଏମଏସ ଧୋନୀ ବର୍ତ୍ତମାନ ସମୟରେ ଭାରତୀୟ ସେନା ସହିତ ଟ୍ରେନିଂ କରୁଛନ୍ତି। ଏହା ମଧ୍ୟରେ ଖବର ଛାଇ ରହିଛି ଯେ ବିଶ୍ଵକପ୍ ସମୟରେ ଧୋନୀଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଯାହାକୁ ସେ କେବଳ ଭାରତୀୟ ଦଳ ନୁହେଁ ବରଂ ଭାରତୀୟ ସେନାକୁ ମଧ୍ୟ ଲୁଚାଇଥିଲେ। ଧୋନୀ ଏମିତି କଣ ପାଇଁ କଲେ ଏହାର କାରଣ ଅସ୍ପଷ୍ଟ, ମାତ୍ର ସେ ଦେଶଭକ୍ତି କାରଣରୁ ଏମିତି କରିଥିବା କୁହାଯାଉଛି।
ଉଲ୍ଲେଖନୀୟ ଧୋନୀ ଯେମିତି ହେଲେ ବି ସେନା ସହ ଟ୍ରେନିଂ ନେବାକୁ ଚାହୁଁଥିଲେ। ଯଦି ତାଙ୍କର ଆଙ୍ଗୁଠି ଆଘାତ ଲାଗିଥିବା ଖବର ସାମ୍ନାକୁ ଆସି ଯାଇଥାନ୍ତା ତେବେ ବୋଧହୁଏ ଭାରତୀୟ ସେନା ସହିତ ଟ୍ରେନିଂ ନେବାରେ ତାଙ୍କର ସ୍ଵପ୍ନ ଅପୂରଣୀୟ ରହିଥାନ୍ତା। ସେମିତିରେ ବି ଧୋନୀଙ୍କ ପାଇଁ ଏହି ଆଘାତ କୌଣସି ମହତ୍ଵ ରଖେ ନାହିଁ। ସେ ଦେଶ ପାଇଁ ଏମିତି ଆଘାତକୁ ଧ୍ୟାନ ଦିଅନ୍ତି ନାହିଁ।
ବିଶ୍ଵକପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଧୋନୀଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ତାଙ୍କ ହାତରୁ ରକ୍ତ ମଧ୍ୟ ଝରୁଥିଲା ମାତ୍ର ଏହା ସତ୍ଵେ ଧୋନୀ କ୍ରିଜରେ ଛିଡ଼ା ହୋଇ ପୂରା ମ୍ୟାଚ୍ ଖେଳିଥିଲେ। ବିଶ୍ଵକପରେ ଭାରତୀୟ ଦଳରେ ତାଙ୍କର ଆବଶ୍ୟକତା ଥିଲା। ତେଣୁ ଧୋନୀ ପରବର୍ତ୍ତୀ ମ୍ୟାଚରେ ବିଶ୍ରାମ ନନେଇ ଖେଳିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ମଧ୍ୟ ଧୋନୀଙ୍କ ହାତରେ ଆଘାତ ଲାଗିଥିଲା। ଲୋକି ଫର୍ଗ୍ୟୁସନଙ୍କ ବଲ୍ ତାଙ୍କ ହାତରେ ବାଜିଥିଲା। ଯେବେ ସେ ଡ୍ରେସିଂ ରୁମ ଫେରୁଥିଲେ ତେବେ ମଧ୍ୟ ଧୋନୀଙ୍କୁ ବହୁତ ଯନ୍ତ୍ରଣା ହେଉଥିଲା। ମ୍ୟାଚ୍ ପୂରା ହେବା ପରେ ସେ ଖେଳାଳିଙ୍କ ଦ୍ଵାରା ବାମ ହାତରେ ହାତ ମିଳାଇଥିଲେ।
ଆଇପିଏଲରେ ଥିଲା ଅଣ୍ଟା ବ୍ୟଥା
ଇଣ୍ଡିଆନ ପ୍ରିମିୟର ଲିଗର ୧୧ତମ ସଂସ୍କରଣରେ ମଧ୍ୟ ଧୋନୀଙ୍କ ପିଠିଜନିତ ଯନ୍ତ୍ରଣା ଥିଲା। ଏହି କାରଣରୁ ସେ ଆଇପିଏଲର କିଛି ମ୍ୟାଚ୍ ଖେଳିନଥିଲେ। ମାତ୍ର ବିଶ୍ଵକପରେ ସେ ନିଜର ପିଠି ଯନ୍ତ୍ରଣାକୁ ସାମ୍ନାକୁ ଆସିବାକୁ ଦେଇନଥିଲେ। ସେ ଆଇପିଏଲ ସମୟରେ କହିଥିଲେ ଯେ ବିଶ୍ଵକପ ପୂର୍ବରୁ ସେ ଆହତ ହେବାକୁ ଚାହାନ୍ତି ନାହିଁ। କାରଣ ଏହି ବିଶ୍ଵକପ୍ ଟୂର୍ଣ୍ଣାମେଣ୍ଟ ବହୁତ ମହତ୍ଵପୂର୍ଣ୍ଣ।