Home > ସଂମ୍ପୂର୍ଣ୍ଣ ଖବର
ଆଇସିସି ଟେଷ୍ଟ ମାନ୍ୟତା: ଶୀର୍ଷରେ ବିରାଟ କୋହଲି ଓ ଭାରତୀୟ ଦଳ
Khabar Odisha:Sports-cricket-odisha-icc-ranking-virat-kohli-retains-top-spot-in-test-rankings
ଦୁବାଇ,ଜୁଲାଇ୨୩(ଖବର ଓଡ଼ିଶା):

ଭାରତୀୟ ଅଧିନାୟକ ବିରାଟ କୋହଲି ସୋମବାର ଆଇସିସି ପକ୍ଷରୁ ଜାରି ସଦ୍ୟତମ ଟେଷ୍ଟ ବ୍ୟାଟସମ୍ୟାନ ତାଲିକାରେ  ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। କୋହଲିଙ୍କ ମୋଟ୍ ପଏଣ୍ଟ ୯୨୨ ରହିଛି। ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ଵିଲିୟମସନ କୋହଲିଙ୍କ ପଛକୁ ୯୧୩ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଭାରତର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ୮୮୧ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଦଳ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଚଳିତ ବର୍ଷ ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଉକ୍ତ ସିରିଜକୁ  ଭାରତ ୨-୧ରେ ଜିତିଥିଲା। 

ଟିମ୍ ରାଙ୍କିଙ୍ଗ ଉପରେ ନଜର ପକାଇଲେ ଭାରତ ପ୍ରଥମ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡ ଦ୍ଵିତୀୟ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ତୃତୀୟ, ଇଂଲଣ୍ଡ ଚତୁର୍ଥ ଏବଂ ଅଷ୍ଟ୍ରେଲିଆ ତାଲିକାର ପଞ୍ଚମ ସ୍ଥାନରେ ରହିଛି। 

ବୋଲିଂରେ ଶୀର୍ଷ ୧୦ରେ ଦୁଇ ଭାରତୀୟ

ଟେଷ୍ଟ ବୋଲିଂ ମାନ୍ୟତାରେ ଶୀର୍ଷ ୧୦ରେ ଭାରତର ଦୁଇ ଜଣ ବୋଲର ସ୍ଥାନ ପାଇଛନ୍ତି। ରବୀନ୍ଦ୍ର ଜାଡ଼େଜା ଷଷ୍ଠ ସ୍ଥାନରେ ଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନୀ ୧୦ମ ସ୍ଥାନରେ ଅଛନ୍ତି। ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ କମିନ୍ସ ଥିବା ବେଳେ ଦ୍ଵିତୀୟ ଅଛନ୍ତି ଇଂଲଣ୍ଡର ଜେମ୍ସ ଆଣ୍ଡରସନ। ତୃତୀୟରେ ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର କାଗିସୋ ରାବଡା ଅଛନ୍ତି।

ଅଲରାଉଣ୍ଡର ମାନ୍ୟତାରେ ଭାରତର ଜାଡ଼େଜା ତୃତୀୟ ସ୍ଥାନରେ ରହିଛନ୍ତି। ଓ୍ଵେଷ୍ଟଇଣ୍ଡିଜର ଅଧିନାୟକ ଜାସନ ହୋଲଡର ପ୍ରଥମ ଏବଂ ବାଂଲାଦେଶର ସାକିବ ଉଲ ହାସନ ଦ୍ଵିତୀୟ ସ୍ଥାନରେ ଅଛନ୍ତି।