Home > ସଂମ୍ପୂର୍ଣ୍ଣ ଖବର
ସ୍ମିଥଙ୍କ ବେକରେ ବାଜିଲା 148kmph ଗତିର ବଲ, ଛାଡ଼ିବାକୁ ପଡ଼ିଲା ପଡ଼ିଆ
Khabar Odisha:Sports-cricket-odisha-steve-smith-hit-by-joffra-archer-bouncer
ଲଣ୍ଡନ,ଅଗଷ୍ଟ୧୭(ଖବର ଓଡ଼ିଶା):

 ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥଙ୍କୁ ଜୋଫ୍ରା ଆର୍ଚରଙ୍କ ଏକ ବାଉନ୍ସର ଲାଗିବା କାରଣରୁ ପଡ଼ିଆ ବାହାରକୁ ଯିବାକୁ ପଡ଼ିଛି। ଶନିବାର ଲର୍ଡ୍ସ ଟେଷ୍ଟର ଚତୁର୍ଥ ଦିନର ଦ୍ଵିତୀୟ ସେସନରେ ଆର୍ଚରଙ୍କ ଦ୍ରୁତ ବାଉନ୍ସର ସ୍ମିଥଙ୍କ ବେକରେ ବାଜିଥିଲା, ଫଳରେ ତାଙ୍କୁ ପଡ଼ିଆ ବାହାରକୁ ଯିବାକୁ ପଡ଼ିଛି।

ସ୍ମିଥ୍ ନିଜର କ୍ରମାଗତ ତୃତୀୟ ଆସେସ୍ ଟେଷ୍ଟ ଶତକର ନିକଟତର ହେଉଥିଲେ। ସେ ବ୍ୟକ୍ତିଗତ ୮୦ ରନ କରି ବ୍ୟାଟିଂ କରୁଥିଲେ। ଏହି ସମୟରେ ଆର୍ଚରଙ୍କ ୧୪୮ କିଲୋମିଟର ବେଗର ଏକ ବଲରୁ ବର୍ତ୍ତିବା ପାଇଁ ସେ ବଲରୁ ନଜର ହଟାଇଥିଲେ ଏବଂ ବଲ ଯାଇ ତାଙ୍କ ବେକରେ ବାଜିଥିଲା। ଏହା ପରେ ସେ ତଳେ ଖସି ପଡିଥିଲେ। ଅନେକ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ମେଡିକାଲ ଷ୍ଟାଫ ତାଙ୍କର ଯାଞ୍ଚ କରିଥିଲେ। 

ସ୍ମିଥ୍ ଶେଷରେ ଛିଡ଼ା ହୋଇଥିଲେ ଓ ଅଷ୍ଟ୍ରେଲିଆ ଟିମର ଡାକ୍ତର ରିଚାର୍ଜ ସଙ୍କ ସହିତ କଥା  ହୋଇଥିଲେ। ଏହା ପରେ ସେ ରିଟାୟର୍ଡ ହର୍ଟ ହେବାକୁ ନିଷ୍ପତ୍ତି ନେଇଥିଲେ। ପଡ଼ିଆରେ ଉପସ୍ଥିତ ଦର୍ଶକ ଛିଡ଼ା ହୋଇ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକଙ୍କ ଅଭିବାଦନ କରିଥିଲେ। 

ଯେବେ ସ୍ମିଥ୍ ପଡିଆରୁ ବାହାରକୁ ଗଲେ ସେହି ସମୟରେ ଅଷ୍ଟ୍ରେଲିଆ ସ୍କୋର ୬ ଓ୍ଵିକେଟରେ ୨୦୩ ଥିଲା ଏବଂ ଦଳ ଇଂଲଣ୍ଡଠୁ ପ୍ରଥମ ଇନିଂସ ୨୫୮ ରନ ଭିତ୍ତିରେ ୫୫ ରନ ପଛରେ ଥିଲା। ଏହା ପରେ ସ୍ମିଥ ପଡ଼ିଆକୁ ଫେରିଥିଲେ ଏବଂ ୯୨ ରନ କରି କ୍ରିସ୍ ଓ୍ଵକ୍ସଙ୍କ ବଲରେ ଆଉଟ୍ ହୋଇଥିଲେ। ୨୩୪ ରନ ସ୍କୋରରେ ଅଷ୍ଟ୍ରେଲିଆ ସ୍ମିଥଙ୍କ ରୂପେ ଅଷ୍ଟମ ଓ୍ଵିକେଟ୍ ହରାଇଥିଲା। 

ଏହି ଇନିଂସରେ ସ୍ମିଥ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ସେ କ୍ରମାଗତ ଆସେସର ସାତ ଇନିଂସରେ ୫୦ରୁ ଅଧିକ ସ୍କୋର କରିବାରେ ପ୍ରଥମ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ଲର୍ଡ୍ସରେ ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ ଏଜବାଷ୍ଟେସନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଦୁଇଟି ଇନିଂସରେ କ୍ରମଶଃ ୧୪୪ ଓ ୧୪୨ ରନର ଇନିଂସ ଖେଳି ଦଳକୁ ୨୫୧ ରନରେ ଜିତାଇଥିଲେ।