Home > ସଂମ୍ପୂର୍ଣ୍ଣ ଖବର
ଚରମ ସୀମାରେ ସରକାରଙ୍କ ଗାଲୁଆମି, ଗତ ବର୍ଷ ବିୟର ଫ୍ୟାକ୍ଟ୍ରି ପାଇଁ ଶତାଧିକ ଗଛ କଟାଯାଇଥିଲା, ମନ୍ତ୍ରୀ କହିଲେ କିଛି ଗଛ କଟାଯାଇନି
Khabar Odisha:State-odisha-state-govt-tell-lie-in-assembly-issue-on-tree-cuting-in-dhenkanal-district
ଭୁବନେଶ୍ଵର,ଜୁଲାଇ୨୩(ଖବର ଓଡ଼ିଶା):

ପ୍ରଥମେ ସରକାର ପ୍ରଶ୍ନର ସଠିକ୍ ଉତ୍ତର ଦେଉନଥିବା ନରସିଂହ ମିଶ୍ର ଅଭିଯୋଗ କରିଥିବା ବେଳେ ଏବେ ସରକାର ଶିଳ୍ପାୟନ ପାଇଁ ଗଛ କଟା ତଥ୍ୟକୁ ନେଇ ଗାଲୁ ମାରିଛନ୍ତି। ସରକାରଙ୍କ ଗାଲୁଆମି ଚରମ ସୀମାରେ ପହଞ୍ଚିବା ପରି ଲାଗୁଛି। ନଚେତ୍ ଏମିତି ସାର୍ବଜନୀନ ଭାବେ ଗୃହ ପରି ପବିତ୍ର ସ୍ଥାନରେ ସର୍ବସମ୍ମୁଖରେ ଡାହା ମିଛ କଥା କହିନଥାନ୍ତେ ବିଭାଗୀୟ  ମନ୍ତ୍ରୀ। ୨୦୧୮-୧୯ରେ ଢେଙ୍କାନାଳରେ କିଛି ଗଛ କଟା  ହୋଇନଥିବା ପରିବେଶ ଓ  ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି। ନିଜ  ବିଧାୟକଙ୍କ ପ୍ରଶ୍ନରେ ନିଜେ ସରକାର ଅକଳରେ ପଡ଼ିଛନ୍ତି। 

ଆଜି ଗୃହରେ ଶାସକ ଦଳର ବିଧାୟକ ପ୍ରଫୁଲ ସାମଲଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ଯେ, ୨୦୧୮-୧୯ରେ ଶିଳ୍ପାୟନ ପାଇଁ ଢେଙ୍କାନାଳରେ କିଛି ଗଛ କଟାଯାଇନାହିଁ। ମାତ୍ର ବାସ୍ତବିକତା ଏହା ଯେ ଗତ ବର୍ଷ ଢେଙ୍କାନାଳର ବଳରାମପୁରରେ ବହୁ ଗଛ କଟାଯାଇଥିଲା। ସେ ପୁଣି ବିୟର ଫ୍ୟାକ୍ଟ୍ରି ପାଇଁ। ଗତବର୍ଷ ନଭେମ୍ବର ମାସରେ ଝିଙ୍କରଡିହି ଜଙ୍ଗଲରୁ ଶତାଧିକ ଗଛ କଟାଯାଇଥିଲା। 

ବିୟର ଫ୍ୟାକ୍ଟ୍ରି ପାଇଁ ଶତାଧିକ ଗଛ କଟାକୁ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ। ପୋଲିସ ଲଗାଯାଇ ବିରୋଧକାରୀଙ୍କୁ ଦମନ କରିଥିଲେ ରାଜ୍ୟ ସରକାର। ୨୦ ଜଣ ମହିଳାଙ୍କୁ ମଧ୍ୟ ଅଟକ ରଖାଯାଇଥିଲା। ଏହି ଘଟଣା ରାଜ୍ୟରେ ବହୁତ ବଡ଼ ପ୍ରସଙ୍ଗ ହେବା ଏବଂ ଚାରିଆଡୁ ସମାଲୋଚନା ହେବା ପରେ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଛ କଟା ବନ୍ଦ କରାଯାଇଥିଲା।

କଟାଯାଇଥିଲା  ୫୦୦ ମୂଲ୍ୟବାନ ଗଛ

ଏସବୁ ପରେ ବି ମନ୍ତ୍ରୀଗତ ବର୍ଷ ଢେଙ୍କାନାଳ  ଜିଲ୍ଲାରେ କିଛି ଗଛ କଟାଯାଇନଥିବା ହାସ୍ୟାସ୍ପଦ କଥା କହୁଛନ୍ତି। ନିଜେ ଅବୋଧ ବାଳକଙ୍କ ପରି ଉତ୍ତର ଦେଇ ସରକାରଙ୍କୁ ମଧ୍ୟ ଅକଳରେ ପକାଇଛନ୍ତି। ଏଠାରେ କହି ରଖୁଛୁ ଯେ, ବିୟର ଫ୍ୟାକ୍ଟ୍ରି ପାଇଁ ରାଜ୍ୟ ସରକାର ଢେଙ୍କାନାଳ ଜିଲ୍ଲାର ଓଡ଼ପଡ଼ାରେ ଝିଙ୍କରଡିହି ଜଙ୍ଗଲରୁ ପ୍ରାୟ ୫୦୦ ମୂଲ୍ୟବାନ ଗଛ କାଟିଥିଲେ। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଦେଶ କ୍ରମେ ଏସବୁ ଗଛକଟା ଚାଲିଥିଲା। ବିରୋଧ କରିବାରୁ ୨୦ ଜଣ ମହିଳାଙ୍କୁ ଅଟକ ରଖାଯାଇଥିଲା। ଏହି ଘଟଣାରେ ଆରଡିସି ତଦନ୍ତ ମଧ୍ୟ ହୋଇଥିଲା। ଆରଡିସିଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରିକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏନଜିଟିରେ ପହଞ୍ଚିଥିଲା ମାମଲା

ଏହା ପରେ ଗଛକଟା ମାମଲା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟିରେ ପହଁଚିଥିଲା। ଏହାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଟିପ୍ପଣୀ ଦେଇଥିଲେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି)। ଗଛକଟାରେ ଜଙ୍ଗଲ ଆଇନର ଉଲ୍ଲଂଘନ ହୋଇଥିବା କହିଥିଲେ। ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏତେ ସବୁ ପରେ ବି ମନ୍ତ୍ରୀ କିଛି ଗଛ କଟାଯାଇନଥିବା କହିବା ସରକାରଙ୍କ ଚରମ ଗାଲୁଆମିକୁ ଦର୍ଶାଉଛି।