Home > ସଂମ୍ପୂର୍ଣ୍ଣ ଖବର
କରୋନା ମୁକାବିଲା ନିମନ୍ତେ ହାତ ଖୋଲିଲେ କେନ୍ଦ୍ର ସରକାର, ବାଣ୍ଟିଲେ 1ଲକ୍ଷ 76 ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା
Khabar Odisha:amid-lockdown-due-to-coronavirus-fm-sitharaman-announces-package-for-poor-farmers-and-daily-wagers
ନୂଆଦିଲ୍ଲୀ, ମାର୍ଚ୍ଚ ୨୬ (ଖବର ଓଡ଼ିଶା):

ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି, ବଢୁଥିବା ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଆସନ୍ତା ୨୧ ଦିନ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଦେଶର ଗରିବ ଲୋକମାନେ ଯେପରି ସମସ୍ୟାରେ ନ ପଡ଼ନ୍ତି ସେଥିପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୭୬ ହଜାର କୋଟିର ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ଏହି ଘୋଷଣା କରାଯାଇଛି । ଏଥିରେ ଉଭୟ ସିଧା ସଳଖ ନଗଦ ଅର୍ଥ ପ୍ରେରଣ ଓ ଖାଦ୍ୟଶସ୍ୟ ଯୋଗାଣର ବ୍ୟବସ୍ଥା ରହିଛି । ଏହା ଦ୍ୱାରା ଦେଶର ଚାଷୀ, ବିଧବା, ବରିଷ୍ଠ ନାଗରିକ, ଶ୍ରମିକ, ଦିବ୍ୟାଙ୍ଗମାନେ ଉପକୃତ ହେବେ ।

ଏହି ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କରୋନା ମୁକାବିଲା ପାଇଁ ଦେଶରେ ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଏହି ୨୧ ଦିନରେ ଯେପରି ଗରିବ, ଶ୍ରମିକ, କୃଷକ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକମାନେ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ଏସବୁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଏଥିସହ କରୋନା ସହ ଲଢ଼େଇ କରୁଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମୋଦି ସରକାର ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟକର୍ମୀଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କୋଭିଡ୍‌ ଯୋଦ୍ଧା ନାଁରେ ନାମିତ କରିଛନ୍ତି। ଏହି ବୀମାର ଫାଇଦା ଡାକ୍ତର, ନର୍ସଙ୍କ ଠାରୁ ଆରମ୍ଭ କରି ଆଶାକର୍ମୀ ଓ ସଫେଇ କର୍ମୀ ଉଠାଇ ପାଇପାରିବେ। ଏହାଦ୍ୱାରା ପ୍ରାୟ ୨୦ ଲକ୍ଷ ସ୍ୱାସ୍ଥ୍ୟ କର୍ମଚାରୀ ଲାଭବାନ ହେବେ।

ଅନ୍ୟପକ୍ଷରେ ଲକଡାଉନ ବେଳେ ଯେମିତି କେହି ଭୋକିଲା ନ ରହିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନା ଅଧିନରେ ଲୋକମାନଙ୍କୁ ଆସନ୍ତା ୩ ମାସ ଯାଏ ମାଗଣାରେ ୫ କେଜି ଚାଉଳ ଓ ଗହମ ପାଇବେ। ସେହିପରି ମାଗଣାରେ ୧ କେଜି ଲେଖାଏ ଡାଲି ମଧ୍ୟ ଯୋଗାଇ ଦିଆଯିବ। ପରିବାରରେ ମୁଣ୍ଡପିଛା ହିସାବରେ ଏହି ସବୁ ସାମଗ୍ରୀ ମିଳିବ। ଏହାର ଅର୍ଥ ପରିବାରରେ ମୁଣ୍ଡପିଛା ୫ କେଜି ଚାଉଳ, ଗହମ ଓ ଗୋଟିଏ କେଜି ଡାଲି ମିଳିବ। ପ୍ରାୟ ୮୦ କୋଟି ଲୋକ ଏହାଦ୍ୱାରା ଲାଭବାନ ହେବେ।

 

ଚାଷୀଙ୍କୁ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୨ ହଜାର ଟଙ୍କା ଲେଖାଏ ଦିଆଯିବ। ଏହାଦ୍ୱାରା ୮ କୋଟି ୭୦ ଲକ୍ଷ ଚାଷୀ ଲାଭବାନ ହେବ।

  • Tags: