Home > ସଂମ୍ପୂର୍ଣ୍ଣ ଖବର
ଭାରତ ଓ ଚୀନ ମଧ୍ୟରେ ବଢୁଛି ଉତ୍ତେଜନା, ଲଦାଖ ଗସ୍ତ କରି ସୀମାରେ ସ୍ଥିତି ପରଖିଲେ ଭାରତୀୟ ସେନା ମୁଖ୍ୟ
Khabar Odisha:army-chief-manoj-mukund-naravane-kashmir-and-ladakh-visit-signal-to-china-and-pakistan
ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା):

ପଡୋଶୀ ରାଷ୍ଟ୍ର ଚୀନ୍ ଲଦାଖରେ କାର୍ଯ୍ୟକଳାପ ବୃଦ୍ଧି ନେଇ ଭାରତ ସତର୍କ ହୋଇଯାଇଛି। ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଭାନେ ଜାମ୍ମୁ କାଶ୍ମୀରରୁ ଲଦାଖ ପର୍ଯ୍ୟନ୍ତ ଥିବା ଭାରତୀୟ ସୀମା ପରିଦର୍ଶନ କରି ସୀମାରେ ବର୍ତ୍ତମାନ ପରିସ୍ଥିତିର ଆକଳନ କରିଛନ୍ତି। ଭାରତ ମଧ୍ୟ ବର୍ତ୍ତମାନ ଅଧିକ ସଜାଗ ରହିଛି କାରଣ ପାକିସ୍ତାନ ମଧ୍ୟ ନୂଆଦିଲ୍ଲୀ ବିରୋଧରେ POK ରେ ଷଡଯନ୍ତ୍ର କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଛି । ସେନା ମୁଖ୍ୟଙ୍କ ଏହି ଗସ୍ତ ସୂଚାଇ ଦେଇଛି ଯେ ଭାରତ ଏଥର ପ୍ରତ୍ୟେକ ଦିଗରେ ସଜାଗ ରହିବାକୁ ଚାହୁଁଛି ଏବଂ ପଡୋଶୀ ଦେଶମାନଙ୍କ ସମସ୍ତ ଯୋଜନାକୁ ବିଫଳ କରିବା ପାଇଁ ଭାରତୀୟ ସେନା ସବୁବେଳେ ପ୍ରସ୍ତୁତ ଅଛି ।

ଲଦାଖରେ ସେନା ବୃଦ୍ଧି କଲା ଭାରତ -

କିଛି ଦିନ ପୂର୍ବେ ସିକ୍କିମ ସୀମାରେ ଚୀନ୍ ସେନା ଏବଂ ଭାରତୀୟ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଉଭୟ ଦେଶର କିଛି ସୈନିକ ଏହି ସଂଘର୍ଷରେ ଆହାତ ମଧ୍ୟ ହୋଇଥିଲେ । ଏହା ପରେ ଚୀନ୍ ଲଦାଖର ପାଙ୍ଗଙ୍ଗ ସି ହ୍ରଦରେ ପାଟ୍ରୋଲିଂ ବୋଟ ସଂଖ୍ୟାରେ ବୃଦ୍ଧି କରିଥିଲା | ଏହା ପରେ ଭାରତ ମଧ୍ୟ ଏହି ଅଞ୍ଚଳରେ ନିଜ ସୈନିକଙ୍କ ସଂଖ୍ୟାରେ ବୃଦ୍ଧି କରିଥିଲା।

ନରୱାନେଙ୍କ ଲଦାଖ ଭ୍ରମଣର କାରଣ -

ସେନା ମୁଖ୍ୟ ନରୱାନେ ଉତ୍ତର କମାଣ୍ଡର ମୁଖ୍ୟ ଲେଫ୍ଟ ଜେନେରାଲ YK ଯୋଶୀଙ୍କ ସହ ଲଦାଖ ପରିଦର୍ଶନ କରିଥିଲେ। ଭାରତୀୟ ସେନା ପକ୍ଷରୁ ସେନା ମୁଖ୍ୟଙ୍କ ଏହି ଗସ୍ତ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ, ହେଲେ ଭାରତ ଚୀନର ସମସ୍ତ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ଏହା ସୂଚେଇ ଦେଉଛି ।

ଭାରତ ବିରୁଦ୍ଧରେ ଏକାଠି ହୋଇଛନ୍ତି ଚୀନ ଓ ପାକିସ୍ତାନ -

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚୀନ ଲଦାଖରେ ଭାରତ ବିରୁଦ୍ଧରେ ଛାୟା ଯୁଦ୍ଧରେ ଜଡିତ ଥିବାବେଳେ ଏହି ସମୟରେ, ଏହାର ଚୀରବନ୍ଧୁ ପାକିସ୍ଥାନ ଜମ୍ମୁ କାଶ୍ମୀର ସୀମାରେ ଆତଙ୍କବାଦୀ ମାନଙ୍କୁ ଭାରତରେ ପ୍ରବେଶ କରିବା ପାଇଁ ନିଜ ଚକ୍ରାନ୍ତ ଜାରି ରଖିଛି ଏହା ସହ POK ରେ ମଧ୍ୟ ଭାରତ ବିରୁଦ୍ଧରେ ଚକ୍ରାନ୍ତ କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଛି । ପୂର୍ବତନ ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା ଏସ୍. ଡି. ପ୍ରଧାନ ଜାତୀୟ ସମ୍ୱାଦପତ୍ର ଇକୋନୋମି ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ପିଓକେ ଏବଂ ଆକସାଇ ଚୀନକୁ ପୁଣି ଥରେ ସାମିଲ କରିବା ପାଇଁ ଭାରତର ଉଦ୍ୟମ ଦେଖି ଚୀନ ଓ ପାକିସ୍ତାନ ସେନା ଏକାଠି ହୋଇଯାଇଛନ୍ତି । ସିପିଇସି (ଚୀନ୍-ପାକ୍ ଇକୋନୋମିକ୍ କରିଡର) ପାଇଁ ଏହି ଦୁଇଟି କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସେହିଭଳି ଦିନକୁ ଦିନ 'ଆଫଗାନିସ୍ତାନରେ ବଢୁଥିବା ଭାରତର ପ୍ରଭାବକୁ ସୀମିତ ରଖିବା' ପାଇଁ ମଧ୍ୟ ଦୁଇ ଦେଶ ଭାରତକୁ ରୋକିବା ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି । ତେଣୁ ଚୀନ୍ ଏବଂ ପାକିସ୍ତାନ ଏଗୁଡିକ ଉପରେ ସେମାନଙ୍କର ନିୟନ୍ତ୍ରଣକୁ ଆହୁରି ମଜବୁତ କରିବାକୁ ଯୋଜନା କରୁଛନ୍ତି (ପିଓକେ ଏବଂ ଆକସାଇ ଚିନ୍) କାରଣ ଏଭଳି କଲେ ଏହା ଆଫଗାନିସ୍ତାନରେ ଭାରତର ପ୍ରଭାବକୁ ମଧ୍ୟ ସୀମିତ କରିବ।

ଏହା ପୂର୍ବରୁ ଜମ୍ମୁ କାଶ୍ମୀର ଗସ୍ତ ମଧ୍ୟ କରିଥିଲେ ସେନା ମୁଖ୍ୟ -

କାଶ୍ମୀରରେ ଅନୁପ୍ରବେଶର ବୃଦ୍ଧି ଏବଂ ସୀମାନ୍ତରେ ପାକିସ୍ତାନୀ ସୈନ୍ୟଙ୍କ ଗୁଳି ବିନିମୟକୁ ଦୃଷ୍ଟିରେ ରଖି ସେନା ମୁଖ୍ୟ ନରୱାନେ ଗତ ମାସରେ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଥିଲେ । କାଶ୍ମୀର ଗସ୍ତ ପରେ ସେନା ମୁଖ୍ୟ କହିଥିଲେ ଯେ ପାକିସ୍ତାନକୁ ପ୍ରତ୍ୟେକ ଫ୍ରଣ୍ଟରେ ଉପଯୁକ୍ତ ଉତ୍ତର ଦିଆଯିବ।

ଡୋକଲାମ ପରେ ପୁଣି ଥରେ ଭାରତ-ଚାଇନା ମଧ୍ୟରେ ଉତ୍ତେଜନା -

ଡୋକଲାମରେ 70 ଦିନରୁ ଅଧିକ ତିକ୍ତତା ପରେ ଦୁଇ ଦେଶ ମଧ୍ୟରେ ପୁଣି ଥରେ ତିକ୍ତତା ଦେଖାଦେଇଛି | ବର୍ତ୍ତମାନ ଲଦାଖ ସୀମା ନିକଟରେ ଚୀନ୍ ସୈନ୍ୟ ସଂଖ୍ୟା ବୃଦ୍ଧି ପାଇଛି। ତେବେ ବେଜିଂରେ ଥିବା ପ୍ରତ୍ୟେକ ରଣନୀତିକ କାର୍ଯ୍ୟକଳାପ ଉପରେ ଭାରତ ନଜର ରଖିଛି। ଭାରତ ଏବଂ ଚୀନ୍‌ର ସୀମା ତିନିଟି ବିଭାଗରେ ବିଭକ୍ତ | ଲଦାଖର ପଶ୍ଚିମ କ୍ଷେତ୍ର ଦୁଇ ଦେଶ ମଧ୍ୟରେ 1597 କିଲୋମିଟର ଲମ୍ବା | ମଧ୍ୟଭାଗରେ ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ମଧ୍ୟରେ 545 କିଲୋମିଟର ଲମ୍ବା ସୀମା ଏବଂ ପୂର୍ବ ସେକ୍ଟରରେ ସିକ୍କିମ୍ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ 1,346 କିଲୋମିଟର ସୀମା ଅଛି | ପଶ୍ଚିମ ସୀମା କ୍ଷେତ୍ରରେ ହିଁ ଦୁଇ ଦେଶ ମଧ୍ୟରେ ସବୁଠାରୁ ଅଧିକ ବିବାଦ ଦେଖାଦେଇଥାଏ |

ଦୁଇ ଦେଶ ମଧ୍ୟରେ ହଠାତ ଉତ୍ତେଜନା ବୃଦ୍ଧି ପାଇବାର କାରଣ କଣ ?

ତେବେ ଦୁଇ ଦେଶ ମଧ୍ୟରେ କଣ ହଠାତ୍ ଉତ୍ତେଜନା ଦେଖାଦେଇଛି କି? ତେବେ ଆମେ ବର୍ତ୍ତମାନ ପରିସ୍ଥିତିକୁ ଦେଖିକି ଏହା କହିପାକରିବା ନାହିଁ ଯଦି ଆମେ ଘଟଣାଗୁଡ଼ିକୁ ଦେଖିବା। ସିକ୍କିମ ସୀମାରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ, ପାଙ୍ଗଙ୍ଗ ହ୍ରଦକୁ ନେଇ ତିକ୍ତତା ଏବଂ ନେପାଳର ସୀମା ମାନଚିତ୍ର ଉପରେ ପ୍ରତିକ୍ରିୟା ଭଳି ବିଭିନ୍ନ ଘଟଣା ଭାରତକୁ ଭାବିବା ପାଇଁ ବାଧ୍ୟ କରିଛି । ନେପାଳର ଘଟଣାରେ ପ୍ରତିକ୍ରିୟାରେ ସେନା ମୁଖ୍ୟ ନରୱେନଙ୍କ ବିବୃତ୍ତି ଦେଇଥିଲେ ଯେ ନେପାଳର ଏହି ଧମକ ସହ ନିଶ୍ଚୟ କୌଣସି  ତୃତୀୟ ଶକ୍ତି ଜଡିତ ଅଛି,  ଯାହା ଏହି ବୟାନ ଦ୍ୱାରା ହିଁ ସବୁକିଛି ସ୍ପଷ୍ଟ କରିଦେଉଛି ।

  • Tags: