Home > ସଂମ୍ପୂର୍ଣ୍ଣ ଖବର
ଏବେ ମାନିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଆଇଏସଆଇକୁ ଜଣାଥିଲା ଆତଙ୍କୀ ଓସାମା ବିନ ଲାଡେନର ଠିକଣା
Khabar Odisha:international-odisha-imran-khans-help-from-isis-intelligence-in-cia-detecting-osama
ଓ୍ଵାଶିଂଟନ,ଜୁଲାଇ୨୩(ଖବର ଓଡ଼ିଶା):

ଆତଙ୍କବାଦ ପ୍ରସଙ୍ଗରେ ଆଜି ପାକିସ୍ତାନ ସମଗ୍ର ଦୁନିଆର ନିଶାଣରେ ରହିଛି। ଭାରତ ମଧ୍ୟ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଆତଙ୍କବାଦକୁ ନେଇ ପାକିସ୍ତାନକୁ ଘେରି ଆସୁଛି। ଅନ୍ୟ ପଟେ କ୍ରମାଗତ ଦୁର୍ବଳ ହୋଇ ଚାଲିଥିବା ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହୃଦୟ ଜିତିବା ପାଇଁ ପୂରା ଉଦ୍ୟମ କରୁଛନ୍ତି। ଏବେ ପାକ୍ ପ୍ରଧାନମନ୍ତ୍ରୀ ସାର୍ବଜନୀନ ଭାବେ ସ୍ଵୀକାର କରିଛନ୍ତି ଯେ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ  ପ୍ରଥମରୁ ହିଁ ଓସାମା  ବିନ ଲାଡେନର ଠିକଣା ବିଷୟରେ ଜାଣିଥିଲା ଏବଂ ଏଜେନ୍ସି ହିଁ ଆମେରିକାକୁ ଏହି ସୂଚନା ଦେଇଥିଲା। ବର୍ତ୍ତମାନ ଇମ୍ରାନ ପ୍ରଧାନମନ୍ତ୍ରୀ ରୂପେ ପ୍ରଥମ ଆମେରିକା ଗସ୍ତରେ ଅଛନ୍ତି।

ଇମ୍ରାନ ସୋମବାର ଫକ୍ସ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସାଇ ସିଆଇଏକୁ ଗୁଇନ୍ଦା ସୂଚନା ଉପଲବ୍ଧ କରାଇଥିଲା। ଯାହା ଫଳରେ ଆମେରିକା ପାକିସ୍ତାନରେ ଛପି ରହିଥିବା ଅଲକାଏଦାର ମୁଖ୍ୟ ଓସାମା ବିନ ଲାଡେନକୁ ଖୋଜି ମାରିବାରେ ସଫଳ ହୋଇଛି। ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କଣ ତାଙ୍କ ଦେଶର ଜେଲରେ ବନ୍ଦୀ ପାକିସ୍ତାନୀ ଡାକ୍ତର ସକିଲ ଆଫରିଦିଙ୍କୁ ମୁକ୍ତ କରିବ,  ଯିଏ ଓସାମାର ସନ୍ଧାନ ପାଇଁ ଆମେରିକା ଗୁଇନ୍ଦା ଏଜେନ୍ସି ସିଆଇଏର ସାହାଯ୍ୟ କରିଥିଲେ।

ବର୍ତ୍ତମାନ ସମୟରେ ଖାନଙ୍କ ଏହି ବୟାନ ବହୁ ଗୁରୁତ୍ଵ ବହନ କରୁଛି, କାରଣ ପାକିସ୍ତାନ ଓସାମା ବିନା ଲାଡେନର ଠିକଣା ବିଷୟରେ କୌଣସି ସୂଚନା ନଥିବା ସେ ପର୍ଯ୍ୟନ୍ତ ମନା କରି ଚାଲିଥିଲା ଯେ ପର୍ଯ୍ୟନ୍ତ ଆମେରିକା ନେଭି ସେଲ ୨୦୧୧ ମେ ୨ରେ ଇସଲାମାବାଦର ଏବଟାବାଦରେ ଲାଡେନକୁ ମାରିନଥିଲା। 

ଅନ୍ୟ ପଟେ ରାଷ୍ଟ୍ରପତି ଟ୍ରମ୍ପ ପାକିସ୍ତାନ ଡାକ୍ତର ସକିଲ ଆଫରିଦିଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ଖାନ କହିଛନ୍ତି ଯେ, ଆଫରିଦିଙ୍କୁ ମୁକ୍ତ କରିବା ପାକିସ୍ତାନ ପାଇଁ ଭାବନାତ୍ମକ ପ୍ରସଙ୍ଗ। କାରଣ ଦେଶରେ ତାଙ୍କୁ ଆମେରିକାର ଗୁପ୍ତଚର କୁହାଯାଉଛି।