Home > ସଂମ୍ପୂର୍ଣ୍ଣ ଖବର
ମିଳିତ ଜାତିସଂଘରେ ପାକିସ୍ତାନକୁ ପୁଣି ଥରେ ଲାଗିଲା ଝଟକା, କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ମନା କଲେ ମହାସଚିବ
Khabar Odisha:international-odisha-united-nations-general-secretary-antnio-guterres-jammu-kashmir-india-pakistan
ନୂଆଦିଲ୍ଲୀ,ସେପ୍ଟେମ୍ବର୧୧(ଖବର ଓଡ଼ିଶା):

 ଜାମ୍ମୁ-କାଶ୍ମୀରକୁ ଅନ୍ତରାଷ୍ଟ୍ରୀୟକରଣ କରିବା ପାଇଁ ପାକିସ୍ତାନ କ୍ରମାଗତ ଅନ୍ତରାଷ୍ଟ୍ରୀୟ ମୋର୍ଚ୍ଚାରେ ଏହି ପ୍ରସଙ୍ଗକୁ ଉଠାଇଚାଲିଛି ଏବଂ ସବୁସ୍ତରରେ ବିଫଳ ହୋଇ ଚାଲିଛି। ତଥାପି ଏହି ପଡୋଶୀ ଏହି ପ୍ରସଙ୍ଗକୁ  ଉଠାଇବାରେ ବିଚ୍ୟୁତ୍ ହେଉନାହିଁ। ଏବେ  ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ପକ୍ଷରୁ ପାକିସ୍ତାନକୁ ଝଟକା ଲାଗିଛି। ଗୁଟେରସଙ୍କ କହିବାନୁଯାୟୀ ଜାମ୍ମୁ-କାଶ୍ମୀର ମାମଲା ଭାରତ-ପାକିସ୍ତାନ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇ ପାରିବ। ଏହା ସହିତ ମିଳିତ ଜାତିସଂଘ ଏହି ମାମଲାରେ ମଧ୍ୟସ୍ଥତା କରିବାକୁ ମଧ୍ୟ ମନା କରି ଦେଇଛି। ୟୁଏନ ଏହା ମଧ୍ୟ କହିଛି ଯେ ଯଦି ଭାରତ କହିବ ତେବେ ଏହା ଉପରେ ବିଚାର କରାଯିବ। 

ଉଲ୍ଲେଖନୀୟ ମିଳିତ ଜାତିସଂଘରେ ପାକିସ୍ତାନର ପ୍ରତିନିଧି ମଲିହା ଲୋଧୀଙ୍କ ପକ୍ଷରୁ ଆଣ୍ଟୋନିଓ ଗୁଟେରସଙ୍କ ସାମ୍ନାରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା। ଏବେ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର ଷ୍ଟେଫନ ଦୁଜାରକେ ପକ୍ଷରୁ ବୟାନ ଜାରି କରି କୁହାଯାଇି ଯେ ଭାରତ-ପାକିସ୍ତାନ କୌଣସି ପକ୍ଷ ଆକ୍ରମଣାତ୍ମକ ଆଭିମୁଖ୍ୟରୁ ନିବୃତ ରହିବା ଉଚିତ୍ ଓ ଉଭୟ ଦେଶ ପରସ୍ପର ମଧ୍ୟରେ ଆପୋଷ ଆଲୋଚନା ଜରିଆରେ ମାମଲାର ସମାଧାନ କରିବା ଉଚିତ୍। 

ଏଠାରେ କହି ରଖୁଛୁ ଯେ ଆଣ୍ଟୋନିଓ ଗୁଟେରସ୍ ଗତ ମାସରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। ଏହା ବ୍ୟତୀତ ସେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀଙ୍କୁ  ବି ଭେଟିଥିଲେ। 

ବୁଧବାର ମଲିହା ଲୋଧୀ ମିଳିତ ଜାତିସଂଘର ମହାସଚିବଙ୍କୁ ସାକ୍ଷାତ କରିଥିଲେ ଏବଂ ଆଲୋଚନାକାଳରେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଏହି ସାକ୍ଷାତ ପରେ ଯେବେ ସାମ୍ବାଦିକଙ୍କ ପକ୍ଷରୁ ପ୍ରଶ୍ନ କରାଗଲା ତେବେ ୟୁଏନ ମହାସଚିବଙ୍କ ମୁଖପାତ୍ର ମଧ୍ୟସ୍ଥତାକୁ ନେଇ ମିଳିତ ଜାତିସଂଘର ନିଷ୍ପତ୍ତି ପୂର୍ବବତ ରହିଥିବା କହିଥିଲେ। ସେ କହିଛନ୍ତି ଯେ ଯଦି ଉଭୟ ପକ୍ଷରୁ ଅପିଲ କରାଯାଏ ତେବେ ଏହା ଉପରେ ବିଚାର କରାଯାଇ ପାରିବ। 

ଉଲ୍ଲେଖଯୋଗ୍ୟ, ମିଳିତ  ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ପକ୍ଷରୁ ଏହି ବୟାନ ଏମିତି ସମୟରେ ଆସିଛି ଯେବେ ପାକିସ୍ତାନକୁ ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ମଧ୍ୟ ନିରାଶ ହେବାକୁ ପଡିଛି। ୟୁଏନଏଚଆରସିରେ ଭାରତ ପାକିସ୍ତାନର ସମସ୍ତ ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରି ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ଭାରତର ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ହୋଇଥିବା କହିଛି। ଏହା ଭାରତ ସାର୍ବଭୌମତ ଓ ଆଭ୍ୟନ୍ତରୀଣ ବ୍ୟାପାର।