Home > ସଂମ୍ପୂର୍ଣ୍ଣ ଖବର
ଅଯୋଧ୍ୟା ମାମଲା: ମୋଲ୍ଡିଂ ଅଫ୍‌ ରିଲିଫର ଜବାବ ରଖିଲା ମୁସଲିମ ପକ୍ଷ
Khabar Odisha:muslim-parties-have-filed-reply-on-Molding-of-relief
ନୂଆଦିଲ୍ଲୀ, ଅକ୍ଟୋବର ୨୧ (ଖବର ଓଡ଼ିଶା):

ଅଯୋଧ୍ୟା ଜମି ବିବାଦ ମାମଲାରେ ମୁସଲିମ ପକ୍ଷ ମୋଲ୍ଡିଂ ଅଫ୍‌ ରିଲିଫ ଉପରେ ନିଜର ଜବାବ ଦାଖଲ କରିଛି । ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି । ଏହା ସହିତ ଅନ୍ୟପକ୍ଷଙ୍କ ତରଫରୁ କରାଯାଉଥିବା ଆପତ୍ତି ଅଭିଯୋଗର ମଧ୍ୟ ଜବାବ ଦାଖଲ କରିଛି । ବନ୍ଦ ଲଫାପାରେ ଲିଖିତଭାବେ ନିଜର ରେକର୍ଡ ରଖିବାକୁ କୋର୍ଟ ମୁସ୍‌ଲିମ୍‌ ପକ୍ଷଙ୍କୁ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଅନ୍ୟପକ୍ଷରେ ହିନ୍ଦୁ ପକ୍ଷ ଏହା ଉପରେ ଆପତ୍ତି ଉଠାଇଛି ।

ପୂର୍ବରୁ ଗତ ୧୯ ତାରିଖ ଦିନ ଉଭୟ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଓ ମୁସଲିମ ପକ୍ଷକାର ମୋଲ୍ଡିଂ ଅଫ୍‌ ରିଲିଫ ଦାଖଲ କରିଛନ୍ତି । ଉଭୟ ପକ୍ଷ ବନ୍ଦ ଲଫାପାରେ ସତ୍ୟପାଠକୁ ଦାଖଲ କରିଛନ୍ତି । ହିନ୍ଦୁ ମହାସଭା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ବ୍ୟବସ୍ଥା ପାଇଁ ଟ୍ରଷ୍ଟ ଗଠନ କରିବା ପାଇଁ ଦାବି କରିଛି ।

କ’ଣ ଏହି ମୋଲ୍ଡିଂ ଅଫ୍‌ ରିଲିଫ

ମୋଲ୍ଡିଂ ଅଫ୍‌ ରିଲିଫର ପ୍ରାବଧାନ ସିଭିଲ ସୁଟ ଭଳି ମାମଲାରେ କରାଯାଏ । ସୁପ୍ରିମକୋର୍ଟ ଧାରା ୧୪୨ ଏବଂ ସିପିସି ଧାରା ୧୫୧ ଆଧାରରେ ଏହି ଅଧିକାରକୁ ବ୍ୟବହାର କରିଥାଆନ୍ତି । ଆବେଦନକାରୀ କୋର୍ଟରେ ନିଜର ଦାବି ରଖିଥାଏ । ଯଦି ଦାବି ପୂରଣ ନ ହୁଏ ତେବେ ବିକଳ୍ପ ବ୍ୟବସ୍ଥାର ବିଚାର କରାଯାଏ । ଅଯୋଧ୍ୟା ମାମଲାରେ ଯଦି ବିବାଦିତ ଜମି ଜଣଙ୍କୁ ମିଳୁଛି ତେବେ ଅନ୍ୟଜଣଙ୍କୁ ତାହା ବଦଳରେ କ’ଣ ମିଳିବ ତାକୁ ନେଇ ଉଭୟ ପକ୍ଷ ମୋଲ୍ଡିଂ ଅଫ୍‌ ରିଲିଫ ଜରିଆରେ ଦାବି ରଖିଛନ୍ତି ।