Home > ସଂମ୍ପୂର୍ଣ୍ଣ ଖବର
ବିହାର ମୁଜାଫରପୁରରେ ଏନ୍‌ସେଫାଲାଇଟିସ୍‌ ଆତଙ୍କ, ୧୦ ଦିନରେ ୩୧ ଶିଶୁ ମୃତ
Khabar Odisha:national-bihar-31-children-have-died-in-Muzaffarpur-due-to-Acute-Encephalitis-Syndrome
ପାଟନା, ଜୁନ ୧୨ (ଖବର ଓଡ଼ିଶା):

ବିହାରରେ ଏକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମରୁ ହେଉଥିବା ଅଜଣା ଜ୍ୱର ଗମ୍ଭୀର ରୂପ ଧାରଣ କରିଛି । ମୁଜାଫରପୁରରେ ଏଯାଏଁ ୩୧ ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି । ଏହି ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ମୁଜାଫରପୁରର ଶ୍ରୀ କୃଷ୍ଣା ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ମେଡ଼ିକାଲର ପ୍ରଭାରୀ ସୁନୀଲ ଶାହୀ କହିଛନ୍ତି । 

ପ୍ରଭାରୀଙ୍କ ସୂଚନା ମୁତବାକ, ଜାନୁୟାରୀରୁ ଜୁନ ୨ ଯାଏଁ ଭର୍ତ୍ତି ହୋଇଥିବା ୧୩ ଜଣ ଶିଶୁଙ୍କ ମଧ୍ୟରୁ ମାତ୍ର ୩ ଜଣ ପ୍ରାଣ ହରାଇଥିଲେ । କିନ୍ତୁ ୨ ଜୁନ୍‌ ଆଜି ଯାଏଁ ପୟାୟ ୮୬ ଜଣ ମେଡ଼ିକାଲରେ ଭର୍ତ୍ତି ହୋଇଥିବାବେଳେ ୩୧ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟମାନେ ଏବେବି ଭୀଷଣ ଜ୍ୱରରେ ପୀଡ଼ିତ ଅଛନ୍ତି । ଡାକ୍ତରମାନଙ୍କୁ ୨୪ ଘଣ୍ଟା ଡ୍ୟୁଟିରେ ରଖାଯାଇଛି । ଘଟଣାର ଗୁରୁତ୍ୱକୁ ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ମୁଜାଫରପୁର ଗସ୍ତରେ ଆସୁଛନ୍ତି । 

ପିଲାଙ୍କୁ ହାଇପୋଗ୍ଲାଇସୀମିୟା ହୋଇଥିବା ଅନୁମାନ କରାଯାଉଛି । ଏହି ଜ୍ୱରର ଲକ୍ଷଣ ହେଉଛି ଶିଶୁଙ୍କୁ ଭୀଷଣ ଜ୍ୱର ହେବ ଏବଂ ପରେ ଶରୀରରେ ଯନ୍ତ୍ରଣା ବଢ଼ିବ । ଏହା ପରେ ରୋଗୀ ଅଚେତ ହୋଇଯିବେ । ତେବେ ଏହାକୁ ନଜର ରଖି ବିହାର ସରକାର ୧୨ଟି ଜିଲ୍ଲାରେ ଥିବା ୨୨୨ ପ୍ରାଥିମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସତର୍କ କରାଇଛନ୍ତି । ରୋଗୀଙ୍କ ଚିକିତ୍ସାରେ ଯେମିତି କିଛି ବି ଅବହେଳା ପରିଲକ୍ଷିତ ନ ହୁଏ ସେଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

  • Tags: