Home > ସଂମ୍ପୂର୍ଣ୍ଣ ଖବର
ରାୟ ପୂର୍ବରୁ ପୋଲିସ ଛାଉଣୀରେ ପରିଣତ ହେଲା ଅଯୋଧ୍ୟା
Khabar Odisha:national-odisha-heavy-security-deployed-in-many-districts-of-up-ahead-of-ayodhya-verdict
ଅଯୋଧ୍ୟା, ନଭେମ୍ବର ୦୮(ଖବର ଓଡ଼ିଶା):

 ଅଯୋଧ୍ୟା ମାମଲାରେ ଶୁଣାଣି ପୂରା ହେବା ପରେ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ରେ ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ ନିଜର ରାୟ ଶୁଣାଇବେ। ଗୋଟିଏ  ପୂରା ଦେଶର ନଜର ଏହି ରାୟ ଥିବା ବେଳେ ଅନ୍ୟପଟେ ଅଯୋଧ୍ୟା ସମେତ ରାଜ୍ୟର ସବୁ ଜିଲ୍ଲାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାକୁ ହାଇଆଲର୍ଟରେ ରଖାଯିବା ସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ନଭେମ୍ବର ୯ ରୁ ୧୧ ଯାଏ ବନ୍ଦ ରଖିବାକୁ ଆଦେଶ ଜାରି କରିଛନ୍ତି।

ସୁପ୍ରିମକୋର୍ଟର ରାୟ ପୂର୍ବରୁ ୟୁପିର ବାରଣାସୀ, ପ୍ରୟାଗରାଜ, ଆଗ୍ରା, ମେରଠ, ଲକ୍ଷ୍ନୌ, ମଥୁରା, ମୁରାଦାବାଦ, ଗୋରଖପୁର ଓ ଅଲିଗଢ଼ ସମେତ ସମସ୍ତ ଅନ୍ୟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି। ଏହି ସବୁ ଜିଲ୍ଲାରେ ଅଧିକାରୀଙ୍କୁ ପୂରା ସତର୍କତା ଅବଲମ୍ବନ କରିବା ଓ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାୟ ପୂର୍ବରୁ ଅଯୋଧ୍ୟାକୁ ପୋଲିସ ଛାଉଣିରେ ପରିଣତ କରାଯାଇଛି। ସହରର ମୁଖ୍ୟ ଛକରେ ପୋଲିସ ବ୍ୟାରିକେଟିଂ ଲଗାଇଛି ଓ କୌଣସି ଅଜ୍ଞାତ ଯାନବାହାନ ଓ ସନ୍ଦିଗ୍ଧ ଲୋକଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କୋର୍ଟର ନିଷ୍ପତ୍ତି ପୂର୍ବରୁ ଅଯୋଧ୍ୟାରେ ପ୍ରଶାସନ ୫୦୦ ଜଣଙ୍କୁ ଗିରଫ କରିଥିବା ବେଳେ ୧୨୦୦୦ ଲୋକଙ୍କ ଉପରେ ନଜର ରଖିଛି। ଅଯୋଧ୍ୟାରେ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ରାପିଡ ଆକ୍ସନ ଫୋର୍ସର ୪୦୦୦ ଯବାନ ସହିତ ପୋଲିସ ବଳ ମୁତୟନ କରାଯାଇଛି। ଏହା ସହିତ ଗୁଇନ୍ଦା ଏଜେନ୍ସିର ଅଧିକାରୀ ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖୁଛନ୍ତି। 

ମୁଖ୍ୟ ବିଚାରପତିଙ୍କୁ ଭେଟିଲେ ଉଚ୍ଚ ପଦସ୍ଥ ଅଧିକାରୀ

ଶୁକ୍ରବାର ହିଁ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ୟୁପିର ମୁଖ୍ୟ ସଚିବ ରାଜେନ୍ଦ୍ର କୁମାର ତିଓ୍ଵାରୀ ଓ ଡିଜିପି ଓପି ସିଂହଙ୍କ ସହ ରାଜ୍ୟର ସୁରକ୍ଷା ସମ୍ବନ୍ଧରେ ଲମ୍ବା ବୈଠକ କରିଥିଲେ। ଏହା ପରେ ଶୁକ୍ରବାର ସନ୍ଧ୍ୟାରେ ଖବର ଆସିଥିଲା ଯେ ଶନିବାର ସକାଳେ କୋର୍ଟ ନିଜର ରାୟ ଶୁଣାଇବେ।