ନୂଆଦିଲ୍ଲୀ, ଜୁନ ୨୫(ଖବର ଓଡିଶା):
ଆଜି ମଧ୍ୟ ଲୋକସଭାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଆଲୋଚନାରେ ଭାଗ ନେଇଥିବା ସାଂସଦଙ୍କୁ ମୋଦୀ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।
ମୋଦୀ କହିଛନ୍ତି ଯେ, ଅନେକ ଦଶନ୍ଧି ପରେ ଦେଶ ଏକ ମଜବୁତ ଜନାଦେଶ ଦେଇଛି । ଗୋଟିଏ ସରକାରକୁ ପୁଣିଥରେ ସୁଯୋଗ ମିଳିଛି । ଭାରତ ଏବେ ଭଲ ସ୍ଥିତିରେ ରହିଛି । ଦେଶର ଆଶାକୁ ପୂରଣ କରିବା ରାସ୍ତାରେ ଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ସରକାର ପ୍ରତିହତ କରିପାରିବେ । ପ୍ରାୟ ୬୦ ପ୍ରତିଶତ ସାଂସଦ ଆଲୋଚନାରେ ଭାଗ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏହି ପ୍ରସ୍ତାବକୁ ଧନ୍ୟବାଦ ଦେବା ଦେଶର ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ସମାନ । ଦେଶର ଜନତା ନିକିତିରେ ଓଜନ କରି ଏବଂ ସବୁ ପରକ୍ଷୀ ମତଦାନ କରିଛନ୍ତି ।
ମୋଦୀ ଆହୁରି କହିଛନ୍ତି ଯେ, ୭୦ ବର୍ଷର ରୋଗକୁ ୫ ବର୍ଷରେ ଠିକ୍ କରିବା କଷ୍ଟକର । କିଏ ଜିତିଛି କିମ୍ବା ହାରିଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ସରକାର ଦେଶବାସୀଙ୍କ ସ୍ୱପ୍ନ ଉପରେ ସର୍ବଦା ନଜର ରଖିଛନ୍ତି । ଏହି ସରକାର ଗରିବଙ୍କ ପାଇଁ ସମର୍ପିତ । ୨୦୦୪ ପରେ ଗଠନ ହୋଇଥିବା ସରକାର ବାୟପେୟୀଙ୍କ କାର୍ଯ୍ୟକଳାପ କଥା କହିନଥିଲେ । ମନମୋହନ ସିଂଙ୍କ କଥା ମଧ୍ୟ କହିନଥିଲେ । କିନ୍ତୁ ସ୍ୱାଧିନତା ପରଠାରୁ ଏବେଯାଏଁ ସମସ୍ତ ସରକାର ଦେଶର ବିକାଶରେ ଯୋଗଦାନ ରଖିଛନ୍ତି ।ଜୟ ଯବାନ, ଜୟ କଷାନ, ଜୟ ବିଜ୍ଞାନ ପରେ ଏବେ ଜୟ ଅନୁ ସନ୍ଧାନର ଆବଶ୍ୟକତା ରହିଛି । ଦେଶର ପର୍ଯ୍ୟଟନ ଶିଳ୍ପର ବିକାଶ ଜରୁରୀ । ଆମକୁ ବିଶ୍ୱରୁ ମିଳୁଥିବା ସମସ୍ତ ଉପାଦାନର ଉପଯୋଗ କରିବାକୁ ହେବ । ସାଧାରଣ ଜନତାଙ୍କ ଜୀବନକୁ ସୁଗମ କରିବାକୁ ହେବ । ଦୁର୍ନୀତି ବିରୋଧରେ ସରକାର ଲଢେଇ ଜାରି ରହିବ । ବିଜେପି ସରକାର ଆଇନକୁ ସମ୍ମାନ ଜଣାଏ । ଏହି ସରକାରକୁ ଆରାମର ରାସ୍ତା ପସନ୍ଦ ନହେଁ । ଆମେ ଦେଶ ପାଇଁ ବଂଚିବାକୁ ଆସିଛୁ । ଏନଡିଏ ସରକାର କିଷାନ ସମ୍ମାନ ନିଧୀ ଯୋଜନା ଲାଗୁ କରିଛନ୍ତି । ପୋଲିସ ଏବଂ ଯବାନଙ୍କ ପିଲାଙ୍କ ପାଇଁ ଅନେକ ସୁବିଧା ଆଣିଛନ୍ତି । ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବାକୁ କେନ୍ଦ୍ର ସରକାର ଚାହୁଁଥିବା ମୋଦୀ କହିଛନ୍ତି ।
ଜରୁରୀକାଳିନ ପରିସ୍ଥିତି କଥା ମନେ ପକାଇଲେ ମୋଦୀ
ମୋଦୀ କହିଛନ୍ତି ଯେ, ଆଜି ଜୁନ ୨୫ । ଆଜିର ଦିନରେ ଦେଶର ଲୋକତନ୍ତ୍ରକୁ ଦଳିଚକଟି ଦିଆଯାଇଥିଲା । ଭାରତର ଗଣତନ୍ତ୍ର ସମ୍ବିଧାନପ ପୃଷ୍ଠାରୁ ଜନ୍ମ ହୋଇନାହିଁ । ଭାରତର ଗଣତନ୍ତ୍ର ଶତାବ୍ଦୀ ଧରି ଆମର ଆତ୍ମା ହୋଇ ରହିଛି । ସରକାର ଚାଲିଯିବା ଭୟରେ ଏହାକୁ ଦଳିଚକଟି ଦିଆଯାଇଥିଲା । ଏହି ପାପର ଦାଗ କେବେହେଲେ ହଟିବ ନାହିଁ । ଏହି ଦାଗକୁ ବାରମ୍ବାର ମନେ ପକାଇବା ଉଚିତ କାରଣ ଆଉ କେହି ଯେପରି ଏମିତି ଭୁଲ ନକରନ୍ତି ।