Home > ସଂମ୍ପୂର୍ଣ୍ଣ ଖବର
ରାମଭକ୍ତି ହେଉ କି ରହିମଭକ୍ତି, ବର୍ତ୍ତମାନ ଭାରତଭକ୍ତିର ଭାବନାକୁ ସଶକ୍ତ କରିବାର ସମୟ
Khabar Odisha:national-odisha-pm-narendra-modis-reaction-on-ayodhya-judgement
ନୂଆଦିଲ୍ଲୀ,ନଭେମ୍ବର୦୯(ଖବର ଓଡ଼ିଶା):

ବହୁ ଚର୍ଚ୍ଚିତ ଓ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମଜନ୍ମଭୂମି-ବାବ୍ରି ମସଜିଦ ମାମଲାରେ ସୁପ୍ରିମକୋର୍ଟରୁ ଆସିଛି ଐତିହାସିକ ରାୟ। ପାଞ୍ଚ ଜଣିଆ ସାମ୍ବିଧାନିକ ପୀଠ ବିବାଦୀୟ ଜମି ଉପରେ ରାମଲଲା ହକରେ ନିର୍ଣ୍ଣୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ରାମ ମନ୍ଦିର ନିର୍ମାଣ ଲାଗି ତିନି ମାସରେ ଟ୍ରଷ୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ୨.୭୭ ଏକର ଜମି କେନ୍ଦ୍ର  ସରକାରଙ୍କ ଅଧିନରେ ରହିବ।

ଅଯୋଧ୍ୟାର ରାମଜନ୍ମ ଭୁମି ବିବାଦରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ ଟ୍ଵିଟ୍ କରି ଏହି ନିଷ୍ପତ୍ତି ଉପରେ ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଏହାକୁ କେହି ଜୟ କିମ୍ବା ପରାଜୟ ଦୃଷ୍ଟିରେ ଦେଖିବା ଉଚିତ୍ ନୁହଁ। ରାମ ଭକ୍ତି ହେଉ କି ରହିମଭକ୍ତି, ସଂପ୍ରତି ସମସ୍ତଙ୍କ ଲାଗି ଭାରତଭକ୍ତିର ଭାବନାକୁ ସଶକ୍ତ କରିବାକୁ କହିଛନ୍ତି। ଦେଶବାସୀଙ୍କୁ ମୋର ଅପିଲ ଯେ, ଶାନ୍ତି, ସଦଭାବ ଓ ଏକତା ବଜାୟ ରଖନ୍ତୁ।

ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ନିର୍ଣ୍ଣୟ ଅନେକ କାରଣରୁ ମହତ୍ଵପୂର୍ଣ୍ଣ। ଏଥିରୁ ଜଣା ପଡ଼ୁଛି ଯେ ଏହି ସମ୍ବେଦନଶୀଳ ମାମଲାର ସମାଧାନରେ କାନୁନ ପ୍ରକ୍ରିୟାର ପାଳନ କରିବା କେତେ ଗୁରୁତ୍ଵପୂର୍ଣ୍ଣ ଅଟେ। ସେ ଟ୍ଵିଟ୍ କରିଛନ୍ତି ଯେ, ପ୍ରତ୍ୟେକ ପକ୍ଷଙ୍କୁ ନିଜ ନିଜର ଦଲିଲ ଓ ତର୍କ ରଖିବାକୁ ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ଦେଇଛନ୍ତି। ନ୍ୟାୟର ମନ୍ଦିର ସର୍ବୋଚ୍ଚ ଅଦାଲତ ଦଶନ୍ଧିର ଏହି ପୁରାତନ ମାମଲାକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରକ୍ରିୟାରେ ସମାଧାନ କରିଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ଵପୂର୍ଣ୍ଣ ରାୟକୁ ନେଇ କହିଛନ୍ତି ଯେ, ଏହା ନ୍ୟାୟିକ ପ୍ରକ୍ରିୟା ଜନ ସମାଜର ବିଶ୍ଵାସକୁ ଅଧିକ ମଜବୁତ କରିବ। ଆମ ଦେଶର ହଜାର ବର୍ଷର ପୁରାତନ ଭାଇଚାରାର ଭାବନା ଅନୁରୂପ ଆମକୁ ଭାରତର ଶାନ୍ତିପୂର୍ଣ୍ଣ ସହ ଅସ୍ଥିତ୍ଵର ଅନ୍ତର୍ନିହିତ ଭାବନାର ପରିଚୟ ଦେବାକୁ ପଡ଼ିବ।