Home > ସଂମ୍ପୂର୍ଣ୍ଣ ଖବର
ଗାନ୍ଧୀ ପରିବାରଠୁ ଏସପିଜି ସୁରକ୍ଷା ପ୍ରତ୍ୟାହାର, ରାହୁଲ ଗାନ୍ଧୀ ଯବାନଙ୍କୁ ଦେଲେ ଧନ୍ୟବାଦ
Khabar Odisha:national-odisha-rahul-gandhi-thanked-spg-after-reducing-security-of-gandhi-family
ନୂଆଦିଲ୍ଲୀ, ନଭେମ୍ବର ୦୮(ଖବର ଓଡ଼ିଶା):

କେନ୍ଦ୍ର ସରକାର ଗାନ୍ଧୀ ପରିବାରଠୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିଛନ୍ତି। ଏହା ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ଵିଟ୍ କରି ଏସପିଜି ଯବାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏସପିଜିର ସବୁ ଭାଇ ଓ ଭଉଣୀଙ୍କୁ ମୁଁ କୃତଜ୍ଞତା ଜଣାଉଛି, ଯେଉଁମାନେ ବର୍ଷ ବର୍ଷ ଧରି ମୋ ପରିବାରର ସୁରକ୍ଷା ଦାୟିତ୍ଵ ନେଇଥିଲେ। ଆପଣଙ୍କ ସମର୍ପଣ ଲାଗି ଧନ୍ୟବାଦ। ଆପଣଙ୍କର ସହଯୋଗ କ୍ରମାଗତ ମିଳିଥିଲା ଓ ଏହି ଯାତ୍ରା ଶିକ୍ଷା ଓ ପ୍ରେମରେ ଭରା ଥିଲା। ଏହା ଆମର ସୌଭାଗ୍ୟ ଥିଲା। ଭବିଷ୍ୟତ ପାଇଁ ଶୁଭକାମନା। ଉଲ୍ଲେଖଯୋଗ୍ୟ, ସରକାର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କଠୁ ଏସପିଜି ସୁରକ୍ଷା ହଟାଇବାକୁ ଆଜି ନିଷ୍ପତ୍ତି ନେଇଥିଲେ। ଏବେ ସେମାନଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦିଆଯିବ। 

ଏହା ପୂର୍ବରୁ ଅଗଷ୍ଟରେ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କଠୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନେଇଥିଲେ। ଗାନ୍ଧୀ ପରିବାରଠୁ ଏସପିଜି ସୁରକ୍ଷା କାଢ଼ି ନେବାରୁ କଂଗ୍ରେସ କେନ୍ଦ୍ର ସରକାର ଉପରେ ଅସନ୍ତୋଷ ବ୍ୟକ୍ତ କରିଛି। ବରିଷ୍ଠ ନେତା ଅହମ୍ମଦ ପଟେଲ କହିଛନ୍ତି ଯେ, ଏହି ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାରର ସୁରକ୍ଷା ସହିତ ସାଲିସ କରାଯାଇଛି, ଯେଉଁମାନେ ଆତଙ୍କ ଓ ହିଂସା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। 

ଉଲ୍ଲେଖଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିଧନ ପରେ ଏସପିଜିର ଗଠନ ହୋଇଥିଲା। ଏହାରି ଆଧାରରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଉଥିଲା। ୧୯୮୯ରେ ପିଭି ସିଂହ ରାଜୀବ ଗାନ୍ଧୀଙ୍କଠୁ ଏସପିଜି ସୁରକ୍ଷା ପତ୍ୟାହାର କରି ନେଇଥିଲେ। ୧୯୯୧ରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ଆକ୍ଟରେ ସଂଶୋଧନ କରାଯାଇଥିଲା ଓ  ପଦ ଛାଡ଼ିବାର ଏକ ବର୍ଷ ପର୍ଯ୍ୟନ୍ତ ଏହି ସୁରକ୍ଷା ଦେବାର ନିୟମ ଥିଲା। କିନ୍ତୁ କାହା ଜୀବନ ପ୍ରତି ବିପଦ ଆଶଙ୍କା ଥିଲେ ଏହାକୁ ବୃଦ୍ଧି କରାଯିବାର ପ୍ରାବଧାନ ଥିଲା।