Home > ସଂମ୍ପୂର୍ଣ୍ଣ ଖବର
ନିର୍ମାଣ ହେବ ରାମ ମନ୍ଦିର, ଜିତିଗଲେ ରାମଲଲା, ସୁନ୍ନୀ ୱକ୍ଫ ବୋର୍ଡକୁ ମିଳିବ ଅନ୍ୟତ୍ର ଜମି
Khabar Odisha:national-odisha-supreme-court-ayodhya-case-ka-faisla-highlights
ନୂଆଦିଲ୍ଲୀ, ନଭେମ୍ଵର ୦୯ (ଖବର ଓଡିଶା) :

 ୭୦ ବର୍ଷ ଧରି ଚାଲିଥିବା ଆଇନଗତ ଲଢେଇ, ୪୦ ଦିନ ଧରି ଚାଲିଥିବା ମାରାଥନ ଦୈନିକ ଶୁଣାଣି ପରେ ଆଜି ବହୁପ୍ରତିକ୍ଷିତ ଅଯୋଧ୍ୟା ମାମଲାର ନିଷ୍କର୍ଶ ଆସିଛି। ସମ୍ଵେଦନଶୀଳ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଅର୍ଥାତ୍ ୫-୦ରେ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ବିବାଦୀୟ ଜମିରେ ଦାବି କରିଥିବା ନିର୍ମୋହୀ ଆଖଡାର ଯାଚିକା ଖାରଜ କରି ସୁପ୍ରିମକୋର୍ଟ ରାମଲଲା ବିରାଜମାନ ଏବଂ ସୁନ୍ନୀୱକ୍ଫ ବୋର୍ଡକୁ ପକ୍ଷକାର ମାନିଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଆଲାହାବାଦ ହାଇକୋର୍ଟ ଦ୍ଵାରା ଦିଆଯାଇଥିବା ରାୟକୁ ଅତାର୍କିକ କହି ସୁପ୍ରିମକୋର୍ଟ ରାମଲଲା ବିରାଜମାନ ପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ଏହା ସହ ସୁନ୍ନୀ ୱକ୍ଫ ବୋର୍ଡକୁ ଅଯୋଧ୍ୟାରେ ଅନ୍ୟତ୍ର ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସୁପ୍ରିମକୋର୍ଟ ୩ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ସୁପ୍ରିମକୋର୍ଟର ୧ ନମ୍ଵର କୋର୍ଟ ରୁମରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ୪୫ ମିନିଟର ରାୟ ଶୁଣାଇଛନ୍ତି। ଏହି ସମୟରେ ସିଜେଆଇ ବହୁ ମହତ୍ଵପୂର୍ଣ୍ଣ ତର୍କ ଉପରେ ମତ ରଖିଛନ୍ତି। 

ବିବାଦୀୟ ଜମିରେ ରାମଲଲାଙ୍କ ମାଲିକାନା 

ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ ନିଷ୍ପତ୍ତିରେ କହିଛନ୍ତି ଯେ, ଅସ୍ଥା ଠାରୁ ଉପରେ ଏକ ଧର୍ମନିରପେକ୍ଷ ସଂସ୍ଥା। ୧୮୫୬-୫୭ ଯାଏଁ ବିବାଦୀୟ ସ୍ଥଳରେ ନମାଜ ପଢା ଯାଉଥିବା ପ୍ରମାଣ ନାହିଁ। କିନ୍ତୁ ଏହା ପୂର୍ବରୁ ହିନ୍ଦୁମାନେ ଏଠାରେ ପୂଜାର୍ଚ୍ଚନା କରୁଥିଲେ। ବର୍ଷ ବର୍ଷ ଧରି ହିନ୍ଦୁମାନେ ଏଠାରେ ପୂଜା କରି ଆସୁଛନ୍ତି। ତେଣୁ ସୁନ୍ନୀ ୱକ୍ଫ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ଦିଆଯିବ। ଏତଦ୍ ବ୍ୟତୀତ ମନ୍ଦିର ନିର୍ମାଣ ପାଇଁ ୩ ମାସରେ ଯୋଜନା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟ୍ରଷ୍ଟରେ ନିର୍ମୋହୀ ଆଖଡାକୁ ମଧ୍ୟ ପ୍ରତିନିଧିତ୍ଵ ମିଳିବ। ତେବେ ସାମ୍ଵିଧାନିକ ଖଣ୍ଡପୀଠ ୨.୭୭ ଏକର ଜମିରେ ରାମଲଲାକୁ ମାଲିକାନା ହକ ଦିଆଯାଇଛି।  

ହାଇକୋର୍ଟର ନିଷ୍ପତ୍ତି ତାର୍କିକ ନୁହେଁ 

ଏନେଇ ରଞ୍ଜନ ଗୋଗୋଇ କହିଛନ୍ତି ଯେ, ୧୯୪୯ ଡିସେମ୍ବର ୧୬ ଯାଏଁ ବିବାଦୀୟ ସ୍ଥଳରେ ନମାଜ ପଢାଯାଇଥିଲା। ଆଲାହାବାଦ ହାଇକୋର୍ଟରେ ବିବାଦୀୟ ଜମିକୁ ତିନି ଭାଗରେ ବାଣ୍ଟିବା ନିଷ୍ପତ୍ତି ତାର୍କିକ ନଥିଲା। ବିବାଦୀୟ ଜମିରେ ସୁନ୍ନୀ ୱକ୍ଫ ବୋର୍ଡ ଏବଂ ରାମଲଲା ବିରାଜମାନକୁ ୨ ପକ୍ଷକାର ମାନିବା ଉଚିତ୍। 

୧୮୫୬ ପୂର୍ବରୁ ବିବାଦୀୟ ସ୍ଥାନରେ ପୂଜା କରୁଥିଲେ ହିନ୍ଦୁ 

ବିବାଦୀୟ ସ୍ଥାନକୁ ସୁନ୍ନୀ ୱକ୍ଫ ବୋର୍ଡ ମସଜିଦର ଜମି ବୋଲି ଘୋଷଣା କରିବାକୁ ଦାବି କରିଥିଲା। କିନ୍ତୁ ୧୮୫୬ରୁ ୫୭ ଯାଏଁ ଏହି ଜମିରେ ନମାଜ ପଢିବାର କୌଣସି ପ୍ରମାଣ ନାହିଁ। ସେହି ସମୟରେ ମୁସଲିମ ପକ୍ଷ କହିଛନ୍ତି ଯେ, ଏଠାରେ ପ୍ରତ୍ୟେହ ନମାଜ ପଢାଯାଉଥିଲା। କିନ୍ତୁ ଅଦାଲତ କହିଛନ୍ତି ଯେ, ୧୮୫୬ ପୂର୍ବରୁ ବିବାଦୀୟ ସ୍ଥାନରେ ହିନ୍ଦୁମାନେ ପୂଜା କରୁଥିଲେ। ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ମଧ୍ୟ ହିନ୍ଦୁମାନେ ବାହାର ଚବୁତରାରେ ପୂଜା କରୁଥିଲେ। ଇଂରେଜମାନେ ଏହି ସ୍ଥାନକୁ ୨ ଭାଗରେ ବାଣ୍ଟିବା ପାଇଁ ରେଲିଙ୍ଗ କରିଥିଲେ ତଥାପି ମଧ୍ୟ ହିନ୍ଦୁମାନେ ଗମ୍ଵୁଜର ତଳଭାଗକୁ ଗର୍ଭଗୃହ ମାନୁଥିଲେ। 

ଖାଲି ସ୍ଥାନରେ ନିର୍ମାଣ ହୋଇ ନଥିଲା ମସଜିଦ

ସୁପ୍ରିମକୋର୍ଟ କହିଛନ୍ତି ଯେ, ମସଜିଦ ଖାଲି ସ୍ଥାନରେ ନିର୍ମାଣ କରାଯାଇ ନଥିଲା। ପ୍ରତ୍ନତତ୍ତ୍ଵ ବିଭାଗର ପ୍ରମାଣ ଅନୁଯାୟୀ ଖୋଳାଯାଇଥିବା ବିବାଦୀୟ ସ୍ଥାନରେ ମନ୍ଦିରର ଭଗ୍ନାବଶେଷ ମିଳିଥିଲା। ୧୨ଶହ ଶତାବ୍ଦୀରୁ ମନ୍ଦିର ଥିବା ଦାବି କରାଯାଇଥିଲା। ଏହାର ଅର୍ଥ ମସଜିଦ ଖାଲି ସ୍ଥାନରେ ନିର୍ମାଣ କରାଯାଇ ନାହିଁ। ତେଣୁ ଏଏସଆଇର ପ୍ରମାଣକୁ ଅଣଦେଖା କରାଯାଇ ପାରିବ ନାହିଁ। ଏହା ସହ ଅଯୋଧ୍ୟା ରାମଙ୍କ ଜନ୍ମସ୍ଥାନ ବୋଲି କେହି ବିରୋଧ କରୁ ନାହାଁନ୍ତି। ବରଂ ଏହି ସ୍ଥାନରେ ହିନ୍ଦୁମାନେ ଶହ ଶହ ବର୍ଷ ଧରି ପୂଜା କରି ଆସୁଛନ୍ତି। ରାମ ଚବୁତରା, ସୀତା ରୋଷେଇ, ଭଣ୍ଡାର ଘରୁ ଏହାର ପ୍ରମାଣ ମିଳୁଛି। 

ମସଜିଦ କେବେ ନିର୍ମାଣ ହୋଇଛି ତାହା ଫରକ ପଡୁନି

ସୁପ୍ରିମକୋର୍ଟ ସିୟା ୱକ୍ଫ ବୋର୍ଡର ଯାଚିକା ଖାରଜ କରି କହିଛନ୍ତି ଯେ, ମସଜିଦ କେବେ ନିର୍ମାଣ ହୋଇଛି ତାହା ଫରକ ପଡୁନି। ନମାଜ ପଢାଯାଉଥିବା ସ୍ଥାନକୁ ଆମେ ମସଜିଦ ନୁହେଁ ବୋଲି ମନା କରିପାରିବୁ ନାହିଁ। ଜଣେ ବ୍ୟକ୍ତିର ଆସ୍ଥା ଏବଂ ଅନ୍ୟର ଅଧିକାର ଛଡାଇ ନେଇ ହେବ ନାହିଁ। 

ନିର୍ମୋହୀ ଆଖଡାର ଯାଚିକା ଖାରଜ

ସୁପ୍ରିମକୋର୍ଟ ନିର୍ମୋହୀ ଆଖଡାର ଯାଚିକା ଖାରଜ କରିଛନ୍ତି। ଆଲାହାବାଦ ହାଇକୋର୍ଟ ଏହି ପକ୍ଷକୁ ଏକ ଭାଗ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ସୁପ୍ରିମକୋର୍ଟ ଅତାର୍କିକ ବୋଲି କହିଛନ୍ତି।