Home > ସଂମ୍ପୂର୍ଣ୍ଣ ଖବର
ଅଯୋଧ୍ୟା ମାମଲାରେ ଐତିହାସିକ ରାୟ, ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର, ମୁସଲିମଙ୍କୁ ଦିଆଯିବ ଅନ୍ୟତ୍ର ଜମି
Khabar Odisha:national-odisha-supreme-court-verdict-on-ayodhya-ram-mandir-case-live-updates
  • ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ
  • ବିବାଦୀୟ ଜମିରେ ରାମ ଜନ୍ମଭୂମି ନ୍ୟାସର ରହିବ ମାଲିକାନା
  •         ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ମିଳିବ ୫ ଏକର ଜମି 

ନୂଆଦିଲ୍ଲୀ, ନଭେମ୍ଵର ୦୯ (ଖବର ଓଡିଶା) : ଐତିହାସିକ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି। ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ବଡ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ବିବାଦୀୟ ଜମିକୁ ରାମଜନ୍ମଭୂମି ନ୍ୟାସକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହି ସମୟରେ ମୁସଲିମ ପକ୍ଷଙ୍କୁ ଅଲଗା ସ୍ଥାନରେ ଜମି ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ସୁନ୍ନୀ ୱକ୍ଫ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ମସଜିଦ ନିର୍ମାଣ କରିବାକୁ ଯୋଗାଇ ଦେବାକୁ ଅଦାଲତ କହିଛନ୍ତି। ଏହା ସହ ୩ ମାସ ମଧ୍ୟରେ ଯୋଜନା ପ୍ରସ୍ତୁତି କରିବାକୁ କେନ୍ଦ୍ରକୁ ନିଷ୍ପତ୍ତି ଦିଆଯାଇଛି। 

ସୁପ୍ରିମକୋର୍ଟ ବିବାଦୀୟ ଜମିରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ରାୟ ଶୁଣାଇବା ସମୟରେ କହିଛନ୍ତି ଯେ, ବିବାଦୀୟ ଜମିରେ ରାମ ଜନ୍ମଭୂମି ନ୍ୟାସର ହକ ରହିଛି। ସେହି ସମୟରେ ମୁସଲିମ ପକ୍ଷଙ୍କୁ ଅଯୋଧ୍ୟାରେ ଅନ୍ୟତ୍ର ୫ ଏକର ଜମି ଦେବାକୁ କୁହାଯାଇଛି। କୋର୍ଟ କହିଛନ୍ତି ଯେ, କେନ୍ଦ୍ର କିମ୍ବା ରାଜ୍ୟ ସରକାର ଅଯୋଧ୍ୟାରେ ଉଚିତ୍ ସ୍ଥାନରେ ମସଜିଦ ନିର୍ମାଣ କରିବାକୁ ଜମି ଦିଆଯିବ।

ଏହି ମାମଲାରେ ପ୍ରଥମେ ମୁଖ୍ୟ ନ୍ୟାୟାଧୀଶ ଶିୟା ୱକ୍ଫ ବୋର୍ଡର ଯାଚିକା ଖାରଜ କରି ରଞ୍ଜନ ଗୋଗୋଇ କହିଥିଲେ ଯେ, ଇତିହାସ ଜରୁରୀ କିନ୍ତୁ କାନୁନ ସବୁଠାରୁ ଉପରେ। ଅଧାରାତ୍ରୀରେ ବିବାଦୀୟ ପ୍ରତିମା ରଖାଯାଇଥିଲା। ସମସ୍ତ ଧର୍ମକୁ ସମାନ ଦୃଷ୍ଟିରେ ରଖିବା ସରକାରଙ୍କ କାମ। ଅଦାଲତ ଅସ୍ଥା ଠାରୁ ଉପରେ ଏକ ଧର୍ମନିରପେକ୍ଷ ସଂସ୍ଥା। ୧୯୪୯ରେ ଅଧାରାତ୍ରୀରେ ଏଠାରେ ପ୍ରତିମା ରଖାଯାଇଥିଲା। ରାମ ଜନ୍ମଭୂମି ଜଣେ ନ୍ୟାୟିକ ବ୍ୟକ୍ତି ନୁହଁନ୍ତି। ସେହି ସମୟରେ ସିଜେଆଇ ରାମ ଲଲା ବିରାଜମାନଙ୍କୁ କାନୁନ ମାନ୍ୟତା ଦେଇଛନ୍ତି। କିନ୍ତୁ ରାମଜନ୍ମଭୂମିକୁ ନ୍ୟାୟିକ ମାନ୍ୟତା ଦିଆଯାଇ ନାହିଁ। 

ରଞ୍ଜନ ଗୋଗୋଇ କହିଛନ୍ତି ଯେ, ବିବାଦୀୟ ଭୂମିକୁ ଖୋଳାଯାଇଥିବା ସମୟରେ ଏଠାରୁ ମିଳିଥିବା ଢାଞ୍ଚା ଅଣଇସଲାମିକ ଥିଲା। ଆମେ ଏଏସଆଇର ଦାବି ଖାରଜ କରିପାରିବୁ ନାହିଁ। ଏଏସଆଇ ମଧ୍ୟ କହିଛି ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ ହୋଇଛି। ଏଏସଆଇକୁ ମନ୍ଦିର ଥିବା ମଧ୍ୟ ପ୍ରମାଣ ମିଳିଛି। ମନ୍ଦିର ଏବଂ ମସଜିଦ ମଧ୍ୟରେ ୪୦୦ ବର୍ଷର ଅନ୍ତର ରହିଛି। ସେହି ସମୟରେ ନିର୍ମୋହୀ ଆଖଡାର ମଧ୍ୟ ଦାବି ଖାରଜ କରାଯାଇଛି। କାରଣ ନିର୍ମୋହୀ ଆଖଡା ଓ ସୁନୀ ୱକ୍ଫ ବୋର୍ଡର କୌଣସି ନ୍ୟାୟିକ ମାନ୍ୟତା ନାହିଁ।