Home > ସଂମ୍ପୂର୍ଣ୍ଣ ଖବର
ନିଷ୍ପତ୍ତିର ଘଡ଼ି: ଅଯୋଧ୍ୟା ମାମଲାରେ କାଲି ରାୟ ଶୁଣାଇବେ ସୁପ୍ରିମକୋର୍ଟ
Khabar Odisha:national-odisha-supreme-court-will-announce-verdict-on-ayodhya-case-on-satursay-2nd-nov-2019
ନୂଆଦିଲ୍ଲୀ, ନଭେମ୍ବର ୦୮(ଖବର ଓଡ଼ିଶା):

 ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ଆସନ୍ତାକାଲି ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇବ। ସର୍ବୋଚ୍ଚ ଅଦାଲତ ଶନିବାର ଅର୍ଥାତ ନଭେମ୍ବର ୯ ତାରିଖ ସକାଳ ୧୦ଟା ୩୦ରେ ନିଜର ରାୟ ଶୁଣାଇବେ। ଏହି ରାୟକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପଟେ ଶାନ୍ତି ବଜାୟ ରଖିବାକୁ ଧର୍ମଗୁରୁମାନେ ଅପିଲ କରିଛନ୍ତି।  ଅଯୋଧ୍ୟା ମାମଲାରେ ସମ୍ଭାବିତ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

କ୍ରମାଗତ ୪୦ ଦିନ ଧରି ସାମ୍ବିଧାନିକ ପୀଠର ମାରାଥନ ଶୁଣାଣି ପରେ ଅକ୍ଟୋବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ। ଏବେ ନିଷ୍ପତ୍ତିର ଘଡ଼ି ଆସି ସାରିଛି।  ଶନିବାର ଛୁଟି ଦିନରେ ସର୍ବୋଚ୍ଚ ନ୍ୟାୟାଳୟର ସାମ୍ବିଧାନିକ ପୀଠ ସକାଳ ସାଢେ ୧୦ଟାରେ ନିଜର ଐତିହାସିକ ରାୟ ଶୁଣାଇବେ। ଏହାକୁ ଦୃଷ୍ଟିରେ ରଖି ପୂରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। 

୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଇବେ ରାୟ

ଅଯୋଧ୍ୟା ଜମି ବିବାଦ ମାମଲାରେ ଶୁଣାଣି କରୁଥିବା ସାମ୍ବିଧାନିକ ପୀଠରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ୪ ଅନ୍ୟ ଜଜ ହେଉଛନ୍ତି, ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଡି. ଓ୍ଵାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏସ. ଅବଦୁଲ ନଜିର। 

ଅଯୋଧ୍ୟା ମାମଲାରେ ନିୟମିତ ଶୁଣାଣି ଲାଗି ତାରିଖ ସ୍ଥିର ହେବା ପରେ ୪୦ ଦିନ ପର୍ଯ୍ୟନ୍ତ ହିନ୍ଦୁ ଓ ମୁସଲିମ ପକ୍ଷ ନିଜ ନିଜର ଦଲିଲ ରଖିଥିଲେ। ସୁପ୍ରିମକୋର୍ଟ ଇତିହାସରେ ଏହା ସବୁଠୁ ବଡ଼ ଦ୍ଵିତୀୟ ଲମ୍ବା ଶୁଣାଣି ଥିଲା। ଏହି ଶୁଣାଣି ପରେ ସୁପ୍ରିମକୋର୍ଟ ଅକ୍ଟୋବର ୧୬ରେ ନିଜର ରାୟ ସଂରକ୍ଷିତ ରଖିଥିଲେ।

ଆହ୍ଲାବାଦ ହାଇକୋର୍ଟର ରାୟକୁ ଦିଆଯାଇଛି ଚ୍ୟାଲେଞ୍ଜ

ଆହ୍ଲାବାଦ ହାଇକୋର୍ଟ ୨୦୧୦ ସେପ୍ଟେମ୍ବର ୩୦ରେ ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ଜମିକୁ ସୁନ୍ନି ଓ୍ଵାକଫ  ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମ ଲଲା ବିରାଜମାନ ମଧ୍ୟରେ ସମାନ ଭାବେ ବାଣ୍ଟିବାକୁ ଆଦେଶ ଦେଇଥିଲେ। ଏହା ପରେ ଆହ୍ଲାବାଦ ହାଇକୋର୍ଟର ଏହି ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ୧୪ଟି ଅପିଲ ଦାୟର କରାଯାଇଥିଲା।  ସୁପ୍ରିମକୋର୍ଟ ୨୦୧୧ ମେରେ ହାଇକୋର୍ଟର ରାୟ ଉପରେ ରହିତାଦେଶ ଦେବା ସହିତ ସ୍ଥିତାବସ୍ଥା ଜାରି ରଖିବାକୁ ଆଦେଶ ଦେଇଥିଲେ। ଏବେ ଏହି ୧୪ ଅପିଲ ଉପରେ ୪୦ ଦିନର ଲମ୍ବା ପ୍ରକ୍ରିୟା ପରେ ଶୁଣାଣି ପୂରା ହୋଇଥିଲା ଓ କୋର୍ଟ ଅକ୍ଟୋବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ।