Home > ସଂମ୍ପୂର୍ଣ୍ଣ ଖବର
ଅଯୋଧ୍ୟା ରାୟ : ଶାନ୍ତି ସୌହାର୍ଦ୍ଦ୍ୟ ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Khabar Odisha:national-state-odisha-Naveeb-patanaik-apeal-for-peace-in-ayidhya-case
ଭୁବନେଶ୍ଵର, ନଭେମ୍ଵର ୦୯ (ଖବର ଓଡିଶା) :

ସୁପ୍ରିମକୋର୍ଟରେ ଆଜି ବହୁ ପ୍ରତିକ୍ଷିତ ରାମ ମନ୍ଦିର ଓ ବାବ୍ରୀ ମସଜିଦ ମାମଲାରେ ନିଷ୍ପତ୍ତି ଆସିବାକୁ ଯାଉଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲାରେ ସକାଳ ୧୦ଟା ୩୦ରେ ଶୁଣାଣି କରିବେ। ଦେଶର ଏକ ସମ୍ଵେଦନଶୀଳ ପ୍ରସଙ୍ଗରେ ଆସିବାକୁ ଥିବା ରାୟକୁ ନେଇ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଏପରିକି ଅନ୍ତିମ ଶୁଣାଣି ପରେ ଯେପରି କିଛି ଅପ୍ରତିତିକର ସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ଦେଶବ୍ୟାପୀ ସମସ୍ତ ରାଜ୍ୟ ଆଲର୍ଟ ଅଛନ୍ତି ଓ ଶାନ୍ତି ସ୍ଥାପନ କରିବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ଏନେଇ ଏବେ ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଲୋକମାନଙ୍କ ନିକଟରେ ଅପିଲ କରିଛନ୍ତି। 

ଏନେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ସହିତ ଶାନ୍ତି ସଦଭାବ ବଜାୟ ରଖିବାକୁ ଅପିଲ କରିଛନ୍ତି। ଭାଇଚାରା ବାବନା ଆମ ଧର୍ମନିରପେକ୍ଷତାର ପରିଚୟ ବୋଲି ନବୀନ କହିଛନ୍ତି। ସେହିପରି କୌଣସି ପ୍ରତିଷେଧମୂଳକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି। ସମସ୍ତ ଜିଲ୍ଲାରେ ପୋଲିସ ଆଲର୍ଟ ରହିବା ସହ ମୁତୟନ ହୋଇଛନ୍ତି। ବରିଷ୍ଠ ଅଧିକାରୀମାନେ ସ୍ଥିତି ପରଖିଛନ୍ତି। ମୁଖ୍ୟମନ୍ତ୍ରୀ ପୋଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ୪୦ ଦିନିଆ ଦୈନିକ ଶୁଣାଣି କରିଥିଲେ। ହିନ୍ଦୁ ଓ ମୁସଲିମ ପକ୍ଷର ଦଲିଲ ଶୁଣିବା ପରେ ସର୍ବୋଚ୍ଚ ଅଦାଲତ ଅକ୍ଟୋବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ। ତେବେ ଚୂଡାନ୍ତ ନିଷ୍ପତ୍ତି ଆସିବା ପରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବାହାରେ ମଧ୍ୟ ଧାରା ୧୪୪ ଲାଗୁ କରାଯାଇଛି। ଅଦାଲତ ବାହାରେ ବହୁ ମାତ୍ରାରେ ଫୋର୍ସ ମୁତୟନ ହୋଇଛନ୍ତି।