Home > ସଂମ୍ପୂର୍ଣ୍ଣ ଖବର
ପାରା ବ୍ୟାଡମିଣ୍ଟନ ଖେଳାଳି ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର
Khabar Odisha:sports-para-badminton-odisha--Pramod-Bhagat-awarded-by-arjun-award
ନୂଆଦିଲ୍ଲୀ,ଅଗଷ୍ଟ୧୭(ଖବର ଓଡ଼ିଶା):

ଶନିବାର କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ପାରା ଆଥଲେଟ୍ ଦୀପା ମଲିକ ଓ ରେସଲର ବଜରଙ୍ଗ ପୁନିଆଙ୍କୁ ଦେଶର କ୍ରୀଡ଼ାରେ ସବୁଠୁ ବଡ଼  ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନରେ ସମ୍ମାନିତ କରାଯିବ। ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରମୋଦ ହେଉଛନ୍ତି ପାରା ବ୍ୟାଡମିଣ୍ଟନ ଖେଳାଳି। ସେହି ପରି କ୍ରିକେଟର ରବିନ୍ଦ୍ର ଜାଡ଼େଜାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ। 

ପ୍ରମୋଦ ଭଗତ ଓଡ଼ିଶାର ବରଗଡ଼ ଜିଲ୍ଲାର ଅତାବିରାର। ସେ ୨୦୧୮ ଇଣ୍ଡୋନେସିଆରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସର ବ୍ୟାଡମିଣ୍ଟନ ଏକକ ବର୍ଗରେ  ସ୍ଵର୍ଣ୍ଣ ପଦକ ଜିତିଥିଲେ।  ୩୧ ବର୍ଷୀୟ ପ୍ରମୋଦ ୨୦୧୭ରେ ଉଲସାନ କୋରିଆର ବିଡବ୍ଲ୍ୟୁଏଫ ବିଶ୍ଵ ପାରା ଚମ୍ପିଆନସିପରେ କାଂସ୍ୟ ପଦକ ଜିତିଥିଲେ। ଏହି ପରି ୨୦୧୬ ବେଜିଂରେ ଆୟୋଜିତ ବିଡବ୍ଲ୍ୟୁଏଫ ଏସିଆନ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପର ଏକକ ଓ ଯୁଗଳ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ ୨୦୧୫ ଇଂଲଣ୍ଡ ବିଡବ୍ଲ୍ୟୁଏଫ ବିଶ୍ଵ ପାରା ଚମ୍ପିଆନସିପରେ ଏକକ ବର୍ଗରେ ରୌପ୍ୟ ଓ ଯୁଗଳ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏହା ସହିତ ସେ ଅନେକ ଟୂର୍ଣ୍ଣାମେଣ୍ଟରେ ପଦକ ଜିତିବାରେ ସଫଳ ହୋଇଛନ୍ତି। 

ପାରା ଆଥଲେଟ୍ ଦୀପା ମଲିକ ଓ ରେସଲର ବଜରଙ୍ଗ ପୁନିଆଙ୍କୁ ଦେଶର କ୍ରୀଡ଼ାରେ ସବୁଠୁ ବଡ଼  ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନରେ ସମ୍ମାନିତ ହେବେ। ଦୀପା ମଲିକ ୨୦୧୬ରେ ରିୟୋ ଡି ଜେନେରିଅ ପାରା ଅଲିମ୍ପିକରେ ସଟ୍ ଫୁଟରେ ରୌପ୍ୟ ପଦକ  ଜିତିଥିଲେ। ଏହା ବ୍ୟତୀତ ସେ ଏସୀୟ କ୍ରୀଡ଼ାରେ ମଧ୍ୟ ରୌପ୍ୟ ପଦକ  ଜିତିଥିଲେ। ବଜରଙ୍ଗ ଗତ ବର୍ଷ ଜାକାର୍ତ୍ତା ଏସୀୟ କ୍ରୀଡ଼ାରେ ୬୫ କିଗ୍ରା ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ସେ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଏହି ବର୍ଗରେ ପ୍ରଥମ ସ୍ଥାନରେ ରହିଥିଲେ। ସେ ବିଶ୍ଵଚମ୍ପିଆନସିପରେ ଦୁଇ ଥର ପଦକ ଜିତିଛନ୍ତି ଏବଂ ଆସନ୍ତାବର୍ଷ ଟୋକିଓ ଅଲିମ୍ପିକରେ ଭାରତ ପାଇଁ  ପଦକ ଜିତିବାରେ ପ୍ରବଳ ଦାବିଦାରରେ ସାମିଲ।

ଅର୍ଜୁନ ପୁରସ୍କାର ପାଇଁ କ୍ରିକେଟର ରବିନ୍ଦ୍ର ଜାଡ଼େଜା, ମହିଳା କ୍ରିକେଟର ପୁନପ ଯାଦବ, ଆଥଲେଟ୍ ତେଜିନ୍ଦର ପାଲ ସିଂହ ତୁର ଓ ମହମ୍ମଦ ୟାହିଆଙ୍କ ସମେତ ୧୯ ଅନ୍ୟ ଖେଳାଳିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ।