Home > ସଂମ୍ପୂର୍ଣ୍ଣ ଖବର
ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବୁଲବୁଲ, କାଲି ମଧ୍ୟ ରାତ୍ରରେ ଛୁଇଁବ ସ୍ଥଳଭାଗ
Khabar Odisha:state-odisha---cyclone-bulbul-flow-towards-westbengal-land-fall-tomorrow-night
ଭୁବନେଶ୍ୱର, ନଭେମ୍ବର ୦୮(ଖବର ଓଡ଼ିଶା):

ବାତ୍ୟା ବୁଲବୁଲ ଅତି ଭୟଙ୍କର ରୂପ ଧାରଣ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼େ ମୁହାଁଉଛି। ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ସାରିଛି। ସମୁଦ୍ର ଅଶାନ୍ତ ରହିଛି।  କାଲି ମଧ୍ୟରାତ୍ର ସୁଦ୍ଧା ସୁନ୍ଦରବନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ବୁଲବୁଲ। ପାରାଦୀପ ଠାରୁ ଏହା ପ୍ରାୟ ୨୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ  ଉପକୂଳ ଓଡ଼ିଶାରେ ୪୦ ରୁ ୫୦ କିମି ବେଗରେ ପବନ ବହୁଛି। ଆଜି ସନ୍ଧ୍ୟାରୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷାର ମାତ୍ରା ଅଧିକ ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସାଗରଦ୍ଵୀପ-ଖେପୁପଡ଼ା ମଧ୍ୟରେ ବାତ୍ୟା ବୁଲବୁଲ ଅତିକ୍ରମ କରିବ।  କାଲି ମଧ୍ୟରାତ୍ର ସୁଦ୍ଧା ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ । ବାତ୍ୟା ବୁଲବୁଲ ବର୍ତ୍ତମାନ ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଛି। ଆଜି ସନ୍ଧ୍ୟାରୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷାର ମାତ୍ରା ଅଧିକ ରହିବ। ଏହାର ପ୍ରଭାବରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ହେବ। ସେହିପରି ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବ । ବର୍ତ୍ତମାନ ଉପକୂଳ ଓଡ଼ିଶାରେ ୪୦ ରୁ ୫୦ କିମି ବେଗରେ ପବନ ବହୁଛି। କାଲି ପବନର ବେଗ ୭୦ ରୁ ୮୦ କିମି ପର୍ଯ୍ୟନ୍ତ ବଢ଼ିପାରେ। ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ଆସନ୍ତା ୨,୩ ଦିନ  ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ବାତ୍ୟା ବୁଲବୁଲ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟାର ଗତି ବଢିଛି ଏବଂ ଏବେ ଘଣ୍ଟା ପ୍ରତି ୧୮ କିମି ବେଗରେ ଆଗକୁ ବଢ଼ୁଛି। ଗତି ବଢ଼ିଥିବାରୁ ଧାର୍ୟ୍ୟତ ସମୟ ପୂର୍ବରୁ ବାତ୍ୟା ସୁନ୍ଦରବନର ତ୍ରିକୋଣୀୟ ଅଞ୍ଚଳରେ କାଲି ରାତିରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଇଛି। ଏହାରି ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜାଗାରେ ଝିପଝିପ ବର୍ଷା ହେଉଛି। କୌଣସି ଜାଗାରେ ବଡ଼ ଧରଣର ବର୍ଷା ହୋଇନଥିବା ଏସଆରସି କହିଛନ୍ତି। ବାତ୍ୟା ଯୋଗୁଁ ବିଶେଷ କିଛି କ୍ଷତି ହେବନି ବୋଲି ଆମେ ଆଶା କରୁଛୁ। ତଥାପି ମୁକାବିଲା ଲାଗି ଆମେ ପୂରା ପ୍ରସ୍ତୁତ ଅଛୁ। 

ବର୍ଷା ଓ ପବନ ବଢ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।  ୯ଟି ଜିଲ୍ଲାକୁ ଏନଡିଆରଏଫ , ଓଡ୍ରାଫ ଟିମ ପଠାଯାଇଛି । ବାତ୍ୟା ସମୟରେ ଘରୁ ନ ବାହାରିବାକୁ ଏସଆରସି ପରାମର୍ଶ ଜାରି କରିଛନ୍ତି। ଏହା ସହ ସୁରକ୍ଷା ଦୃଷ୍ଟିରୁ ଆସନ୍ତା କାଲି ପାଇଁ ୯ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।