Home > ସଂମ୍ପୂର୍ଣ୍ଣ ଖବର
ଧାରା ୩୭୦ ଉଚ୍ଛେଦ: ୩୦ ଜିଲ୍ଲାରେ ବିଜେପି ପାଳିବ ରାଷ୍ଟ୍ରୀୟ ଏକତା ଅଭିଯାନ
Khabar Odisha:state-odisha-On-article-370-bjp-celebrate-national-united-mission-in-30-districts-in-odisha
ଭୁବନେଶ୍ୱର, ସେପ୍ଟେମ୍ବର୧୧(ଖବର ଓଡ଼ିଶା):

ରାଷ୍ଟ୍ରର ଏକତାରେ ବାଧା ସୃଷ୍ଟି କରିଥିବା ଜାମ୍ମୁ କାଶ୍ମୀରର ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ପାଇଁ ନେଇଥିବା ନିଷ୍ପତି ଏବେ ସାରା ଦେଶ ପାଇଁ ଏକ ଐତିହାସିକ ନିଷ୍ପତି। ଏହି ଅବସରରେ ବିଜେପି ସାରା ଦେଶରେ ରାଷ୍ଟ୍ରୀୟ ଏକତା ଅଭିଯାନ ପାଳିବ । ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ଧାରା ୩୭୦ ଉପରେ ଦଳ ପକ୍ଷରୁ ବୁଦ୍ଧିଜୀବି ସମ୍ମିଳନୀ କରାଇ ଧାରା ୩୭୦ ବିଷୟରେ  ଲୋକମାନଙ୍କ ସହ ଆଲୋଚନା କରାଯିବ । ସେହିପରି ଏକ ରାଜ୍ୟସ୍ତରୀୟ ସମ୍ମିଳନି ମଧ୍ୟ କରାଯିବା । ଏଥି ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଉପ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ  କର୍ମଶାଳା ଅନୁଷ୍ଠିତ ହୋଇଥିଲା ।  

ଜାମ୍ମୁ କାଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦କୁ ହଟାଇଲା ପରେ ରାଷ୍ଟ୍ରୀୟ ଏକତା ଅଭିଯାନ  ସାରା ଦେଶ ଏକ ଐତିହାସିକ ନିଷ୍ପତି ନେଇଛି । ଏପରି ଏକ ବ୍ୟବସ୍ଥା  ଯାହା କାରଣରୁ ଜାମ୍ମୁ-କାଶ୍ମୀର ଓ ଲଦାଖର ଭାଇ-ଭଉଣୀ ମାନେ ସେମାନଙ୍କ ଅଧିକାରରୁ ବଂଚିତ ହୋଇଥିଲେ । ଯାହା ସେମାନଙ୍କ ବିକାଶରେ ବଡ ବାଧକ ଥିଲା, ତାହା ଏବେ ଦୂର ହୋଇଛି । ଯେଉଁ ସ୍ୱପ୍ନର ସର୍ଦ୍ଦାର ପଟେଲଙ୍କର ଥିଲା, ବାବା ସାହେବ ଆମ୍ବେଦକରଙ୍କର ଥଲା, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଥିଲା, ଅଟଳ ଜୀ ଏବଂ କୋଟି କୋଟି ଦେଶଭକ୍ତଙ୍କର ଥିଲା ତାହା ଏବେ ପୂରଣ ହୋଇଛି ।

ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଏବେ ଦେଶର ସମସ୍ତ ନାଗରିକମାନଙ୍କର ଅଧିକାର ମଧ୍ୟ ସମାନ, ଦାୟିତ୍ୱ ମଧ୍ୟ ସମାନ । ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ଜାମ୍ମୁ-କାଶ୍ମୀରକୁ ବିଚ୍ଛିନ୍ନତାବାଦ, ଆତଙ୍କବାଦ ପରିବାରବାଦ ଏବଂ ବ୍ୟବସ୍ଥାରେ ବ୍ୟାପକ ପରିମାଣରେ ବ୍ୟାପିଥିବା ଭ୍ରଷ୍ଟାଚାର ବ୍ୟତୀତ କିଛି ଦେଇନାହିଁ । ଏହି ଦୁଇଟି ଅନୁଚ୍ଛେଦକୁ ଦେଶ ବିରୋଧରେ, କିଛି ଲୋକଙ୍କ ଭାବନାକୁ ଉତେଜିତ କରିବା ଲାଗି ପାକିସ୍ତାନ ପକ୍ଷରୁ ଏକ ଅସ୍ତ୍ର ଭାବେ ଉପଯୋଗ କରାଯାଉଥିଲା । ଏହି କାରଣରୁ ଗତ ତିନି ଦଶନ୍ଧି ମଧ୍ୟରେ ପାଖାପାଖି ୪୨ହଜାର ନିର୍ଦ୍ଦୋଷ ଲୋକଙ୍କୁ ଜୀବନ ହରାଇବାକୁ ପଡିଛି । ଆମ ଦେଶର ଗଣତନ୍ତ୍ର ସବୁ ସୁଦୃଢ । ଜାମ୍ମୁ-କାଶ୍ମୀରରେ ଦଶନ୍ଧି ଦଶନ୍ଧି ଧରି ହଜାର ହଜାର ସଂଖ୍ୟାରେ ଏପରି ଭାଇ-ଭଉଣୀ ରହୁଛନ୍ତି ଯେଉଁମାନଙ୍କ ନିକଟରେ ଲୋକସଭା ନିର୍ବାଚନରେ ଭୋଟ ଦେବାର ଅଧିକାର ତ ଥିଲା, କିନ୍ତୁ ସେମାନେ ବିଧାନସଭା ଏବଂ ସ୍ଥାନୀୟ ପଂଚାୟତ ନିର୍ବାଚନରେ ମତଦାନ କରିପାରୁନଥିଲେ । ଦେଶର ଜନସାଧାରଣଙ୍କୁ ଏ ବିଷୟରେ ଅବଗତ କରାଯିବ । 

ଏହି କର୍ମଶାଳାରେ ରାଜ୍ୟରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଅନନ୍ତ ନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ବୁଦ୍ଧିଜୀବି ପ୍ରକୋଷ୍ଠର ଆବାହକ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।