Home > ସଂମ୍ପୂର୍ଣ୍ଣ ଖବର
ବର୍ଷାରେ ଧୋଇଲା ରାସ୍ତା, ଭାଙ୍ଗିଲା କଲଭର୍ଟ, ବରଗଡରେ ଶିକ୍ଷାନୁଷ୍ଠାନ ବନ୍ଦ, ବିନିକା ସ୍ଥିତି ଅସମ୍ଭାଳ
Khabar Odisha:state-odisha-flood-in-kalahandi-bargarh-binika
କଳାହାଣ୍ଡି/ବରଗଡ/ବିନିକା, ଅଗଷ୍ଟ ୧୪ (ଖବର ଓଡିଶା) :

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ଲଘୁଚାପ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଫଳରେ ୨ଦିନ ଧରି ରାଜ୍ୟରେ ବିଭିନ୍ନ ଅଂଚଳରେ ବର୍ଷା ଛେଚୁଛି । ଏହାଦ୍ୱାରା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ, ସମ୍ବଲପୁର, ବୌଦ୍ଧ ଜିଲ୍ଲାରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯାଇଥିବା କାରଣରୁ ଲୋକମାନେ ଜଳବନ୍ଦୀ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛନ୍ତି । ଓଡ୍ରାଫ ଏବଂ ଏନଡିଆରଏଫ ଟିମଙ୍କୁ ସେମାନଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି ।  

କଳାହାଣ୍ଡି - ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ରାସ୍ତା ଧାଇଯାଇଛି । ଏଯାଏଁ ସ୍ଥିତି ସ୍ୱଭାବିକ ହୋଇନି । ଯାତାୟାତ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଛି । ଲଗାଣ ବର୍ଷାରେ ମ.ରାମପୁର ଗୌଡକର୍ଲା ଖୁଣ୍ଟା ଡାଇଭର୍ସନ ରୋଡ ଧୋଇଯାଇଛି । ସେହିଭଳି ଭାବରେ ବେଲଖଣ୍ଡି-ହାତୀଖୋଜା ରାସ୍ତାରେ କଲଭର୍ଟ ଭାଙ୍ଗି ଗମନାଗମନ ଠପ୍ ହୋଇଯାଇଛି । କର୍ଲାମୁଣ୍ଟା-ରିଞ୍ଜା ରାସ୍ତା ପୋଲ ଉପରେ ଆଣ୍ଠୁଏ ପାଣି ଜମି ରହିଛି । ଲୋକମାନେ ହନ୍ତସନ୍ତ ହେଉଛନ୍ତି । 

ଆଜି ବରଗଡରେ ଶିକ୍ଷାନୁଷ୍ଠାନ ବନ୍ଦ

ବରଗଡ- ଅପର ପକ୍ଷରେ ବରଗଡରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି । ପ୍ରବଳ ବର୍ଷା ଆଶଙ୍କାରେ ଆଜି ବରଗଡ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କାଲି ମଧ୍ୟ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । 

ବିନିକାରେ ବନ୍ୟା ସ୍ଥିତି ଅସମ୍ଭାଳ

ବିନିକା- ବିନିକା ବ୍ଲକର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଡୁଙ୍ଗୁରିପାଲି ବ୍ଲକ ମହୁଲପାଲି ଗାଁରେ କେନାଲ ପାଣି ମାଡିଯାଇଛି । ଏହାଦ୍ୱାରା ୫ଟି ଘର ଭାଙ୍ଗି ଯାଇଛି । କିନ୍ତୁ ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେହିପରି ଗୋଲାପଡା ବ୍ରିଜ ଉପରେ ୬ ଫୁଟର ପାଣି ଜମି ରହିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ରହିଛି ।