Home > ଲାଇଫ ଷ୍ଟାଇଲ
ଜଟିଳ ହେଲା ମହାରାଷ୍ଟ୍ର ସଙ୍କଟ: ଶିବସେନାକୁ ସମର୍ଥନ ଝୁଲାଇ ରଖିଲା କଂଗ୍ରେସ, ସମୟ ଦେବାକୁ ମନା କଲେ ରାଜ୍ୟପାଳ
Khabar Odisha:politics-odisha-maharashtra-government-formation-congress-ncp-and-shivsena-leader-discussion
ନୂଆଦିଲ୍ଲୀ, ନଭେମ୍ବର୧୧(ଖବର ଓଡ଼ିଶା):

ମହାରାଷ୍ଟ୍ରରେ ନୂତନ ସରକାର ଗଠନ ନେଇ ଅନିଶ୍ଚିତତା ଦେଖା ଦେଇଛି। ସରକାର ଗଠନ ନିମନ୍ତେ ପ୍ରୟାସ ଚଳାଇଥିବା ଶିବସେନାକୁ ଲାଗିଛି ବଡ଼ ଝଟକା। ଶିବସେନା ନେତା ଆଦିତ୍ୟ ଠାକରେଙ୍କ ନେତୃତ୍ଵରେ ଆଜି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିଥିଲେ ମଧ୍ୟ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିପାରିନଥିଲେ। ମାତ୍ର ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ  ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ଦୁଇ ଦିନର ସମୟ ମାଗିଥିଲେ। ମାତ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଶିବସେନାକୁ ସମୟ ଦେବାକୁ ମନା କରି ଦେଇଛନ୍ତି। ଫଳରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜଟିଳ ହୋଇ ପଡ଼ିଛି। ଅନ୍ୟପକ୍ଷେ କଂଗ୍ରେସ ଓ ଏନସିପିର ଘନଘନ ବୈଠକ ପରେ ମଧ୍ୟ ସ୍ଥିତି ସ୍ପଷ୍ଟ ହୋଇ ପାରି ନାହିଁ। 

ରାଜ୍ୟପାଳଙ୍କୁ ଭେଟିବା ପରେ ଆଦିତ୍ୟ ଠାକରେ କହିଛନ୍ତି ଯେ, ସରକାର ଗଠନ ଲାଗି ଆମନ୍ତ୍ରଣ ମିଳିବା ପରେ ଆଜି ରାଜ୍ୟପାଳଙ୍କୁ ଭେଟିଥିଲୁ। ୨୪ ଘଣ୍ଟା ଭିତରେ ସରକାର ଗଠନ ନେଇ ପଚରା ଯାଇଥିଲା। ଆମେ ଦୁଇ ଦିନର ସମୟ ମାଗିଥିଲୁ। ମାତ୍ର ରାଜ୍ୟପାଳ ସମୟ ଦେବାକୁ ମନା କରି ଦେଇଥିଲେ। କିନ୍ତୁ ଆନୁଷ୍ଠାନିକ ଭାବେ ସରକାର ପରିପ୍ରେକ୍ଷୀରେ ଆମର ଦାବି ଉପସ୍ଥାପନ ଖାରଜ କରି ନାହାନ୍ତି ରାଜ୍ୟପାଳ 

ଠାକରେ କହିଛନ୍ତି ଯେ, କଂଗ୍ରେସ ଓ ଏନସିପି ସହିତ ଆଲୋଚନା ଜାରି ରହିଛି। ବିଧାୟକଙ୍କ ସହ କଥାବର୍ତ୍ତା ଚାଲିଛି, ଦ୍ଵିତୀୟ ସବୁଠୁ ବଡ଼ ପାର୍ଟି ହୋଇଥିବାରୁ ସରକାର ଗଠନ ଆମର ଅଧିକାର ରହିଛି। ଆମେ ନିଜର ଇଚ୍ଛା ବିଷୟରେ ରାଜ୍ୟପାଳଙ୍କୁ ଜଣାଇ ଦେଇଛୁ। କିନ୍ତୁ ରାଜ୍ୟପାଳ ଦୁଇ ଦିନର ସମୟ ଦେବାକୁ ମନା କରି ଦେଇଛନ୍ତି।

ପ୍ରଥମେ ଖବର ଆସିଥିଲା ଯେ, କଂଗ୍ରେସ ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କ ସହିତ ଆଲୋଚନା କରି ଶିବସେନାକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି, ମାତ୍ର ସନ୍ଧ୍ୟା ପ୍ରାୟ ସାଢେ ସାତଟାରେ କଂଗ୍ରେସ ବୟାନ ଜାରି କରି ଶିବସେନାକୁ ସମର୍ଥନ ଝୁଲାଇ ରଖିଛି। କଂଗ୍ରେସ କହିଛି ଯେ, ସେ ଆଉ ଥରେ ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କ ସହ ଆଲୋଚନା କରିବାକୁ ଚାହୁଁଛି। ତେଣୁ ସଂପ୍ରତି ଚିତ୍ର ସ୍ପଷ୍ଟ ହୋଇପାରି ନାହିଁ ଯେ, କଂଗ୍ରେସ ଶିବସେନାକୁ ସମର୍ଥନ ଦେବ ନା ନାହିଁ। କଂଗ୍ରେସ ନେତାଙ୍କ କହିବା କଥା ମଙ୍ଗଳବାର ପାର୍ଟି ନେତା ଏନସିପି ସହିତ ବୈଠକ କରିବେ, ଯେଉଁଥିରେ କିଛି ନିଷ୍କର୍ସ ବାହାରିପାରେ। ଏମିତି ପରିସ୍ଥିତିରେ ରାଜ୍ୟପାଳ ନୂତନ ସରକାର ନେଇ କଣ ନିଷ୍ପତ୍ତି ନେବେ ତାହା ଦେଖିବା ଯୋଗ୍ୟ ରହିଲା।

ଏହା ପୂର୍ବରୁ ସନ୍ଧ୍ୟାରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଫୋନ କରି ସମର୍ଥନ ମାଗିଥିଲେ। ଟିଭି ରିପୋର୍ଟରେ କୁହାଯାଉଥିଲା ଯେ କଂଗ୍ରେସ ଶିବସେନାକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି, ମାତ୍ର କଂଗ୍ରେସ ବୟାନ ଜାରି କରି ଏନସିପି ସହିତ ଆଲୋଚନା ଜାରି ରହିଥିବା କହିଛି। 

ସୋନିଆ ଗାନ୍ଧୀ ସୋମବାର ମହାରାଷ୍ଟ୍ରର ବିଧାୟକଙ୍କ ରାୟ ମଧ୍ୟ ଜାଣିଛନ୍ତି। କଂଗ୍ରେସ ଜୟପୁର ରିସର୍ଟରେ ରହିଥିବା ନିଜର ୪୪ ବିଧାୟକଙ୍କ ସହିତ ଆଲୋଚନା କରିଛି। କୁହାଯାଉଛି ଯେ ଏହି ଆଲୋଚନାରେ ପ୍ରାୟ ସମସ୍ତ ବିଧାୟକ ଶିବସେନାକୁ ସମର୍ଥନ ଦେବା ଉପରେ ଯୁକ୍ତି ବାଢ଼ିଥିଲେ। କହିଥିଲେ ଯେ, କଂଗ୍ରେସ ସରକାରରେ ସାମିଲ  ହେବା ଉଚିତ୍।