Home > ରାଷ୍ଟ୍ରୀୟ
ଯେଉଁ ରାଜପଥରେ ହୋଇଥିଲା ହାଇଦ୍ରାବାଦ ଗଣଦୁଷ୍କର୍ମ, ସେଠାରେ ଟଳିଲେ ୪ ବଳାତ୍କାରୀ
Khabar Odisha:Nation-Accussed-Hyderabad-gangrape-incident-killed-police-encounter-NH-44

ହାଇଦ୍ରାବାଦ, ଡିସେମ୍ବର ୦୬ (ଖବର ଓଡ଼ିଶା): ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ଯେଉଁ ଜାତୀୟ ରାଜପଥ (ଏନଏଚ-୪୪) ଉପରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା, ସେହି ସ୍ଥାନରେ ଶୁକ୍ରବାର ଭୋରରୁ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ନିହତ କରିଛି । ଘଟଣା ସହିତ ଜଡ଼ିତ ୪ ଅଭିଯୁକ୍ତଙ୍କ ବିରୋଧରେ ଦେଶବ୍ୟାପୀ ପ୍ରଦର୍ଶନ ହୋଇଛି । ସଡ଼କକୁ ଓହ୍ଲାଇ ଲୋକେ ମହିଳା ସୁରକ୍ଷା ଉପରେ ପ୍ରଶ୍ନ କରିଛନ୍ତି । ପୋଲିସର ତଦନ୍ତରେ କିଛି ତଥ୍ୟ ସାମ୍ନାକୁ ଆସିଥିଲା । ଅଭିଯୁକ୍ତମାନଙ୍କ ଭିଡିଓ ଓ ଅନ୍ୟତଥ୍ୟ ପୋଲିସ ନିକଟକୁ ଆସି ଯାଇଥିଲା । ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦର କେରଳାକୁଲ୍ଲୀ ଜେଲରେ ରଖାଯାଇଥିଲା ଏବଂ ପୋଲିସ ରିମାଣ୍ଡରେ ନେଇ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରୁଥିଲା । 

ହାଇଦ୍ରାବାଦରେ ଯେତେବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ନେଇ ଥାନା ପହଂଚିଥିଲା, ଲୋକେ ଅଧିକ ଉତ୍ତେଜିତ ଦେଖାଯାଇଥିଲେ । ଏହାର କିଛି ସମୟ ପରେ ହଜାର ହଜାର ଲୋକ ଥାନାକୁ ଘେରି ଯାଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକ ଥାନା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ପୋଲିସ ଅଭିଯୁକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲା । ଏହା ପରେ ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ ଜେଲକୁ ପଠାଇ ଦେଇଥିଲା । ଜେଲରେ ଅଭିଯୁକ୍ତମାନଙ୍କୁ ଭିନ୍ନ ଭିନ୍ନ ସେଲରେ ରଖାଯାଇଥିଲା । ତଦନ୍ତରେ ଯେପରି କୌଣସି ବାଧା ନ ପହଂଚିବ, ସେଥିପାଇଁ ଅଭିଯୁକ୍ତମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରଖାଯାଇଥିଲା । 

ପୋଲିସ ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତମାନେ ପିଲା ଦିନରୁ ସାଙ୍ଗ ଥିଲେ । ଅଭିଯୁକ୍ତ ମହମ୍ମଦ ଆରିଫ ଜଣେ ଟ୍ରକ ଚାଳକ ଥିଲା । ଅନ୍ୟ ୩ ଅଭିଯୁକ୍ତ ସଫାଇ କାମ କରୁଥିଲେ । ପୋଲିସ କହିବା ଅନୁସାରେ ଗତ ନଭେମ୍ବର ୨୭ ରାତିରେ ଅଭିଯୁକ୍ତମାନେ ମହିଳା ଡାକ୍ତରଙ୍କୁ ଅପହରଣ କରିଥିଲେ । ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ବଳପୂର୍ବକ ମଦ ପିଆଇଥିଲେ । ଏହା ପରେ ଗଣଦୁଷ୍କର୍ମ ଓ ହତ୍ୟା କରିଥିଲେ । ପୀଡ଼ିତାଙ୍କ ମୁହଁ ଓ ନାକ ବନ୍ଦ କରି ଦିଆଯାଇଥିଲା । ଏଥିରେ ସେ ଅଣନିଃଶ୍ୱାସୀ ହୋଇଯାଇଥିଲେ । ଏହା ପରେ ଘଟଣାସ୍ଥଳରୁ ୨୭ କିଲୋମିଟର ନେଇଯାଇ ମୃତ ଶରୀର ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ମୃତଦେହ ନିକଟରେ ପୀଡ଼ିତାଙ୍କ ଫୋନ ଓ ଘଣ୍ଟା ଲୁଚାଇ ଦେଇଥିଲେ । 

 

  • Tags: