Home > ରାଷ୍ଟ୍ରୀୟ
ଆରମ୍ଭ ହେଲା ମୌସୁମୀ ଫେରିବା ପ୍ରକ୍ରିୟା, ୫୯ ବର୍ଷ ପରେ ପ୍ରଥମ ଥର ଏତିକି ବିଳମ୍ବ
Khabar Odisha:Nation-Monsoon-finally-begins-retreat-most-delayed-in-59-years

ନୂଆଦିଲ୍ଲୀ, ଅକ୍ଟୋବର ୧୦ (ଖବର ଓଡ଼ିଶା): ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶର ସାଧାରଣ ମୌସୁମୀ ଋତୁ ଏଥର ୪୦ ଦିନ ବିଳମ୍ବ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ୧୯୪୦ ପରେ ମୌସୁମୀ ପ୍ରଥମ ଥର ପାଇଁ ବିଳମ୍ବରେ ଫେରିଛି । ପାଣିପାଗ ବିଭାଗ ପଞ୍ଜାବ, ହରିୟାଣା ଓ ଉତ୍ତର ରାଜସ୍ଥାନରୁ ମୌସୁମୀ ଫେରିଥିବା ବୁଧବାର ଘୋଷଣା କରିଛି । ବିଭାଗ ଅନୁସାରେ ଏହା ପରେ ମୌସୁମୀ ଉତ୍ତର ଭାରତରୁ ଧୀରେ ଧୀରେ ଫେରିବା ଆରମ୍ଭ କରିବ । 

ଏହା ପୂର୍ବରୁ ମୌସୁମୀ ୧୯୬୧ ମସିହାରେ ମୌସୁମୀ ଅକ୍ଟୋବର ୧ରୁ ଫେରିବା ଆରମ୍ଭ କରିଥିଲା । ସେହି ବର୍ଷ ଦେଶର ଅନେକ ଅଞ୍ଚଳରେ ମୌସୁମୀ ସକ୍ରିୟ ଥିଲା । ବଙ୍ଗୋପ ସାଗରରେ କମ ଚାପ ରହିବା ଫଳରେ ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଫେରୁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଭାଗର କହିବା ଅନୁସାରେ ଏବେ ୨ ଦିନ ଭିତରେ ଦିଲ୍ଲୀ ସମେତ ଉତ୍ତର ପଶ୍ଚିମ ଭାରତରୁ ମୌସୁମୀ ଫେରିବା ଆରମ୍ଭ କରିବ । ଏହା ପରେ ଆଗାମୀ ୨ ଦିନ ମଧ୍ୟରେ ଭାରତରୁ ମୌସୁମୀ ଫେରିବ । ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଖୁବ ଶୀଘ୍ର ଏହା ଫେରିଯିବ ବୋଲି ପୂର୍ବାନୁମାନ କରାଯାଉଛି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ବାୟୁର ଦିଗ ପରିବର୍ତ୍ତନ ହେବାରେ ଲାଗିଛି । ଉତ୍ତର ଭାରତରେ ଆଦ୍ରତା କମିବାରେ ଲାଗିଛି । ସେହିଭଳି ତାପମାତ୍ରା ମଧ୍ୟ ହ୍ରାସ ପାଉଛି । ସାଧାରଣତଃ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଧୀରେ ଧୀରେ ମଧ୍ୟଭାରତ ଦେଇ ଏହା ଫେରିଯାଇଥାଏ ।  

  • Tags: