Home > ରାଷ୍ଟ୍ରୀୟ
କଂଗ୍ରେସର ରାଜ୍ୟସଭା ସଦସ୍ୟରୁ ଇସ୍ତଫା ପରେ ବିଜେପିରେ ସାମିଲ ହେଲେ କେସି ରାମମୂର୍ତ୍ତି
Khabar Odisha:National-news-Congress-Leader-K-C-Ramamurthy-Join-BJP-After-Resignation-From-Rajya-Sabha
ନୂଆଦିଲ୍ଲୀ, ଅକ୍ଟୋବର ୨୨ (ଖବର ଓଡ଼ିଶା):

କର୍ଣ୍ଣାଟକରୁ କଂଗ୍ରେସର ରାଜ୍ୟସଭା ସାଂସଦ କେସି ରାମମୂର୍ତ୍ତି ଇସ୍ତଫା ଦେବା ପରେ ମଙ୍ଗଳବାର ଦିନ ବିଜେପିରେ ସାମିଲ ହୋଇଛନ୍ତି ।  ପାର୍ଟିର ଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରେ ବିଜେପି ମହାସଚିବ ଅରୁଣ ସିଂହ, ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଉପସ୍ଥିତିରେ ରାମମୂର୍ତ୍ତି ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଗତ ବୁଧବାର ଦିନ ସେ ରାଜ୍ୟସଭା ସଦସ୍ୟରୁ ଇସ୍ତଫା ଦେଇଥିଲେ ।

ରାଜ୍ୟସଭାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ସଂଖ୍ୟା ହ୍ରାସ ହୋଇ ଏବେ 45ରେ ପହଞ୍ଚିଛି, ଅନ୍ୟପଟେ ଗୃହରେ ବିଜେପିର ସହିତ ଏନଡିଏର ସଦସ୍ୟ ସଂଖ୍ୟା 106 ହୋଇଛି, ବର୍ତ୍ତମାନ ରାଜ୍ୟସଭାରେ ପାଞ୍ଚଟି ଆସନ ଖାଲି ରହିଛି । ଉଚ୍ଚ ସଦନରେ ଏଆଇଡିଏମକେର 11, ବିଜେଡିର ସାତ, ଟିଆରଏସର ଛଅ, ୱାଇଏସଆର କଂଗ୍ରେସର ଦୁଇ ସଦସ୍ୟଙ୍କ ସମର୍ଥନ ବିଜେପିକୁ ମିଳିଥାଏ । 

ଏପରି ସ୍ଥିତିରେ ବିଜେପିର ବିଶ୍ୱାସ ବୃଦ୍ଧି ହୋଇଛି ଯେ ଆସନ୍ତା ଦିନରେ ଏନଡିଏର ସଦସ୍ୟଙ୍କ ସଂଖ୍ୟା ବହୁମତ ପାର କରିପାରିବ । ଏହାପରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାର କରିବା ଉଉରେ ବିରୋଧୀ ଦଳର ବିରୋଧର ସମ୍ମୁଖୀନ ହେଉଥିବା ଏନଡିଏର ସମସ୍ୟା ଅନେକାଂଶରେ ଶେଷ ହୋଇଯିବ । 

ଜୁନ 2016ରେ କେସି ରାମମୂର୍ତ୍ତି ରାଜ୍ୟସଭାର ସଦସ୍ୟ ନିର୍ବାଚିତ ହୋଇଥିଲେ । ସେହି ସମୟରେ କର୍ଣ୍ଣାଟକରୁ ଚାରୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା, ଯେଉଁଥିରୁ କଂଗ୍ରେସ ତିନୋଟି ଏବଂ ବିଜେପି ଗୋଟିଏରେ ବିଜୟୀ ହୋଇଥିଲା । ବିଜେପିର ନିର୍ମଳା ସୀତାରମଣ ରାଜ୍ୟସଭା ସଦସ୍ୟଭାବେ ନିର୍ବାଚିତ ହୋଇଥିଲେ ।