Home > ରାଷ୍ଟ୍ରୀୟ
କର୍ଣ୍ଣାଟକ ନାକଟରେ ପଡ଼ିଲା ଯବନିକା, ବିଶ୍ୱାସ ହାରିଲେ କୁମାରସ୍ୱାମୀ, ଭାଙ୍ଗିଲା କଂଗ୍ରେସ-ଜେଡିଏସ ମେଣ୍ଟ ସରକାର
Khabar Odisha:National-news-Karnataka-Government-fails-trust-vote-in-Assembly
ବେଙ୍ଗାଲୁରୁ,ଜୁଲାଇ ୨୩ (ଖବର ଓଡ଼ିଶା):

ଭାଙ୍ଗିଲା କର୍ଣ୍ଣାଟକ ସରକାର । ବହୁ ନାଟକ ପରେ କର୍ଣ୍ଣାଟକ ରାଜନୈତିକ ନାଟକର ଯବନିକା ପଡ଼ିଛି। ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭା ହୋଇଥିବା ଆସ୍ଥା ଭୋଟରେ ବହୁମତ ସାବସ୍ତ୍ୟ କରିବାରେ ବିଫଳ ହୋଇଛନ୍ତି କୁମାରସ୍ୱାମୀ । ଛଅଟି ଭୋଟରେ ହାରିଲା ମେଣ୍ଟ ସରକାର । ମେଣ୍ଟ ସରକାର ସପକ୍ଷରେ ୯୯ଟି ଭୋଟ ପଡିଥିବା ବେଳେ ବିରୋଧରେ ୧୦୫ଟି ବିଧାୟକ ପଡିଥିଲା । ଏହାପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଶୀଘ୍ର ଏଚଡି କୁମାରସ୍ଵାମୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବେ। ତାଙ୍କର ଇସ୍ତଫା ପରେ ରାଜ୍ୟର ରାଜ୍ୟପାଳ ବଜୁଭାଇ ଭାଲା  ବିଜେପି ନେତା ବିଏସ ୟେଦୁରପ୍ପାଙ୍କୁ ସରକାର  ଗଠନ ପାଇଁ ଆମନ୍ତ୍ରଣ କରି ପାରନ୍ତି। 

ବାଚସ୍ପତି ରମେଶ କୁମାର ବିଧାୟକଙ୍କୁ ଛିଡ଼ା କରାଇ ଶାସକ ଓ ବିରୋଧୀ ଦଳର ବିଧାୟକଙ୍କ ସଂଖ୍ୟା ଗଣତି କରିଥିଲେ। ବାଚସ୍ପତି ବିଧାନସଭାରେ ପ୍ରତ୍ୟେକ ଧାଡ଼ିରେ ବିଧାୟକଙ୍କୁ ଛିଡ଼ା କରାଇ ଅଧିକାରୀଙ୍କ ଦ୍ଵାରା ବିଧାୟକଙ୍କ ଗଣତି କରାଇଥିଲେ। ଅଧିକାରୀ ପ୍ରଥମେ ଶାସକ ଦଳର ସଦସ୍ୟଙ୍କ ସଂଖ୍ୟା ଗଣିଥିଲେ ଏବଂ ପୁଣି ବିରୋଧୀ ବିଧାୟକଙ୍କ ସଂଖ୍ୟା ଗଣିଥିଲେ। ସମ୍ଭବତଃ ଏମିତି ପ୍ରଥମ ଥର ବିଧାୟକଙ୍କ ସଂଖ୍ୟା ଗଣି ଆସ୍ଥା ଭୋଟ୍ କରାଯାଇଛି।

କର୍ଣ୍ଣାଟକରେ ଜାରି ଥିବା ନାଟକରେ ପ୍ରତିଦିନ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳୁଥିଲା । ରାଜ୍ୟପାଳଙ୍କ ଦ୍ୱାରା ଗୃହରେ ଆସ୍ଥା ଭୋଟକୁ ନେଇ ଦିଆଯାଇଥିବା ଦୁଇଟି ଡେଡ ଲାଇନର ସମୟସୀମା ଶେଷ ହୋଇଥିଲା । ଏହାପରେ ମଙ୍ଗଳବାର ଦିନ ବାଚସ୍ପତି ଯେକୌଣସି ପରିସ୍ଥିତିରେ ଆସ୍ଥା ଭୋଟ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅସ୍ଥା ଭୋଟ ନକରାଇ ପାରିଲେ ଇସ୍ତଫା ଦେବେ ବୋଲି ବାଚସ୍ପତି କହିଥିଲେ । ବାଚସ୍ପତି ନିଜ ଇସ୍ତଫା ପତ୍ର ମଧ୍ୟ ଧରି ବିଧାନସଭାରେ ପହଞ୍ଚିଥିଲେ । 

ଏହାପରେ ସନ୍ଧ୍ୟା ୭ଟାରେ ଆସ୍ଥା ଭୋଟ କରାଇଥିଲେ ବାଚସ୍ପତି କେ ରମେଶ କୁମାର । ଏହି ଆସ୍ଥା ଭୋଟରେ ପରାଜିତ ହୋଇଥିଲେ କୁମାରସ୍ୱାମୀ, ଏଥି ସହିତ ୧୪ ମାସ ତଳେ ଗଠନ କୁମାର ସ୍ୱାମୀ ସରକାର ପତନ ହୋଇଛି ।

ଉଲ୍ଲେଖଯୋଗ୍ୟ, ୧୫ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ ମଧ୍ୟ କଂଗ୍ରେସ ଓ ଜେଡିଏସ ସରକାର ବଞ୍ଚାଇବାକୁ ବହୁତ ଉଦ୍ୟମ କରିଥିଲେ। ଗତ କିଛି ଦିନ ହେବ ଦୁଇ ଦଳ ଆସ୍ଥା ଭୋଟ୍ ଘୁଞ୍ଚାଇବାକୁ ବହୁବାର ଚେଷ୍ଟା କରିଥିଲେ।  ମାତ୍ର ଶେଷରେ ମଙ୍ଗଳବାର ଆସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା ଏବଂ କୁମାରସ୍ଵାମୀ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିଲେ। ଏଥି ସହିତ ୧୪ ମାସର କୁମାରସ୍ଵାମୀ ସରକାର ଭଙ୍ଗ ହୋଇଛି। 

ଆସ୍ଥା ଭୋଟ୍ ପୂର୍ବରୁ ଏଚଡି କୁମାରସ୍ଵାମୀ ଭାବୁକ ଭାଷଣ ଦେଇ କହିଥିଲେ ଯେ, ତାଙ୍କୁ ପଦର କୌଣସି ଲୋଭ ନାହିଁ। ମୁଖ୍ୟମନ୍ତ୍ରୀ କୁମାରସ୍ଵାମୀ କହିଥିଲେ ଯେ,  ମୁଁ ରାଜନୀତିକୁ ଆସିବାକୁ ଚାହୁଁନଥିଲି, ମାତ୍ର ଭାଗ୍ୟ ମୋତେ ଏଠାକୁ ନେଇ ଆସିଲା। ତାଙ୍କର ଏହି ଭାବୁକ ସମ୍ବୋଧନକୁକ ବିଦାୟୀ ଭାଷଣ କୁହାଯାଉଥିଲା। ସେ କହିଥିଲେ ଯେ, ମୁଁ ବହୁତ ସମ୍ଵେଦଶୀଳ ଏବଂ ଭାବୁକ ବ୍ୟକ୍ତି। ମୁଁ ଯେବେ ମୋ ବିରୋଧରେ ନେତାଙ୍କ କାର୍ଯ୍ୟକଳାପ ଦେଖିଲି ବହୁତ ମର୍ମାହତ ହେଲି। ଏବେ ମୁଁ ପଦ ତ୍ୟାଗ କରିବାକୁ ପ୍ରସ୍ତୁତ।