Home > ରାଷ୍ଟ୍ରୀୟ
କାଶ୍ମୀର: ପୁଲୱାମାର ସଂଘର୍ଷରେ ସେନାକୁ ବଡ ସଫଳତା, ତିନି ଆତଙ୍କୀ ନିପାତ
Khabar Odisha:National-news-Terrorist-Trapped-In-An-Encounter-In-Kashmir-By-Security-Forces
ନୂଆଦିଲ୍ଲୀ, ଅକ୍ଟୋବର ୨୨ (ଖବର ଓଡ଼ିଶା):

ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ମଙ୍ଗଳବାର ଦିନ ସେନାକୁ ବଡ ସଫଳତା ମିଳିଛି  । ଆତଙ୍କୀ ଏବଂ ସେନା ମଧ୍ୟରେ ଜାରି ରହିଥିବା ସଂଘର୍ଷରେ ତିନି ଆତଙ୍କୀଙ୍କୁ ନିପାତ କରିବାରେ ସେନା ସଫଳ ହୋଇଛି । ପୁଲୱାମାର ଅବନ୍ତିପୋରା ଅଞ୍ଚଳର ରାଜପୁରା ଗାଁରେ ହୋଇଥିବା ଏହି ସଂଘର୍ଷରେ ତିନି ଆତଙ୍କୀ ସେନା ଗୁଳିର ଶିକାର ହୋଇଛନ୍ତି, ଯାହାଙ୍କ ସମ୍ପର୍କ ଜୈଶ ସହ ଥିବା କୁହାଯାଉଛି । ନିହତ ହୋଇଥିବା ଆତଙ୍କୀଙ୍କ ମଧ୍ୟରୁ 2 ଜଣ ପାକିସ୍ତାନୀ ହୋଇଥିବା ସନ୍ଦେହ କରାଯାଉଛି । 

ସୂଚନା ଅନୁସାରେ, ସେନାକୁ ମଙ୍ଗଳବାର ଦିନ ମଧ୍ୟାହ୍ନରେ ପୁଲୱାମାର ଅବନ୍ତିପୋରା ନିକଟରେ କିଛି ଆତଙ୍କୀଙ୍କ ଗତିବିଧିର ସୂଚନା ମିଳିଥିଲା । ଏହି ସୂଚନା ପରେ ତୁରନ୍ତ ସେନାର ରାଷ୍ଟ୍ରୀୟ ରାଇଫଲ୍ସସ, ଜାମ୍ମୁ-କାଶ୍ମୀର ପୁଲିସର ଏସଓଜି ଏବଂ ସିଆରପିଏଫର ଟିମକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଏହାପରେ ପୁରା ଅଞ୍ଚଳକୁ ସେନା ଘେରାବନ୍ଦୀ କରି ରାଜପୁରା ଗାଁର ସମସ୍ତ ପ୍ରବେଶ ଦ୍ୱାରକୁ ସିଲ କରିଥିଲା । 

କୁହାଯାଉଛି ଯେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀଙ୍କ ଘେରାବନ୍ଦୀ ଦେଖି ଆତଙ୍କୀମାନେ ସେନା ଉପରକୁ ଗୁଳି ଚଳାଇ ସେଠାରୁ ଫେରାର ହେବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ସେହି ଠିକଣାକୁ ଘେରିଥିଲେ ଯେଉଁଠାରେ ଆତଙ୍କୀମାନେ ଲୁଚି ଫାଏରିଂ କରିଥିଲେ । ପ୍ରାୟ 4 ଘଣ୍ଟା ପର୍ଯ୍ୟନ୍ତ ଅପରେସନ ଜାରି ରହିବା ପରେ ତିନି ଆତଙ୍କୀଙ୍କୁ ସେନା ନିପାତ କରିଥିଲା ।