Home > ରାଷ୍ଟ୍ରୀୟ
ଜାମ୍ମୁ-କାଶ୍ମୀର: ଅଗଷ୍ଟ ୧୫ରେ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବେ ଅମିତ୍ ଶାହା !
Khabar Odisha:National-odisha-amit-shah-may-hoist-tricolors-at-lal-chowk-in-srinagar-on-independence-day
ଶ୍ରୀନଗର,ଅଗଷ୍ଟ୧୩(ଖବର ଓଡ଼ିଶା):

କେନ୍ଦ୍ରୀୟ ମନ୍ତ୍ରୀ ଅମିତ୍ ଶାହା ଏଥର ଜାମ୍ମୁ-କାଶ୍ମୀରରେ ୭୩ତମ ସ୍ଵାଧୀନତା ଦିବସ ପାଳନ କରି ପାରନ୍ତି। ଖବର ଅନୁସାରେ ଅଗଷ୍ଟ ୧୪ ସନ୍ଧ୍ୟାରେ ଶାହା ଶ୍ରୀନଗର ଅଭିମୁଖେ ଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଅନୁଚ୍ଛେଦ ୩୭୦ ହଟିବା ପରେ ଏଥର ଅଗଷ୍ଟ ୧୫ ଅବସରରେ ଶ୍ରୀନଗରର ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଯିବ। ଏହି ଅବସରରେ ଅମିତ୍ ଶାହା ଲାଲ ଚୌକରେ ଉପସ୍ଥିତ ରହିବେ। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହାର ସମର୍ଥନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହିତ ଜାମ୍ମୁ-କାଶ୍ମୀରରୁ ଲଦାଖକୁ ବିଭାଜନ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିଛନ୍ତି। ଯଦି କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା ସ୍ଵାଧୀନତା ଦିବସ ଅବସରରେ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାନ୍ତି ତେବେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଏନଡିଏ ସରକାରଙ୍କ ଦ୍ଵିତୀୟ ଐତିହାସିକ ପଦକ୍ଷେପ ହେବ। ଶ୍ରୀନଗର ପରେ ଅମିତ୍ ଶାହା ଅଗଷ୍ଟ ୧୬ ଓ ୧୭ରେ ଲଦାଖ ଗସ୍ତରେ ଯିବେ। 

ଧମକ ପରେ ମଧ୍ୟ ମୋଦୀ ଲାଲ ଚୌକରେ ଉଡ଼ାଇଥିଲେ ତ୍ରିରଙ୍ଗା 

ଅଗଷ୍ଟ ୧୫  କାର୍ଯ୍ୟକ୍ରମର ପ୍ରସ୍ତୁତିକୁ ନେଇ ଆଭ୍ୟନ୍ତରୀଣ ଆଲୋଚନା କରାଯାଉଛି। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମଧ୍ୟ ଏହି ସମୟରେ ଘାଟିରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଏହାର ୨୭ ବର୍ଷ ପୂର୍ବେ ପାକିସ୍ତାନର ଆତଙ୍କୀ ସଂଗଠନଙ୍କ ଧମକ ପରେ ମଧ୍ୟ ୧୯୯୨ ଜାନୁଆରୀ ୨୬ରେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ମୁରଲୀ ମନୋହର ଯୋଶୀ ଓ ନରେନ୍ଦ୍ର ମୋଦୀ(ସେହି ସମୟରେ ଆରଏସଏସ ପ୍ରଚାରକ) ଶ୍ରୀନଗରର ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବାରେ ସଫଳ ହୋଇଥିଲେ।