Home > ରାଷ୍ଟ୍ରୀୟ
ରାତିରେ ଉରିରେ ଆତଙ୍କୀ ଅନୁପ୍ରବେଶ କରାଇବାକୁ ପାକର ଉଦ୍ୟମ, ଚକ୍ରାନ୍ତ ପଣ୍ଡ କଲେ ସୁରକ୍ଷାବଳ
Khabar Odisha:National-odisha-indian-army-foiled-a-major-infiltration-attempt-of-terrorists-backed-by-the-pakistan-army-in-the-uri-sector
ନୂଆଦିଲ୍ଲୀ/ଶ୍ରୀନଗର, ଅଗଷ୍ଟ ୧୪(ଖବର ଓଡ଼ିଶା):

 ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଅଧିକାଂଶ ପ୍ରାବଧାନକୁ ହଟାଯିବା ଭାରତର ବଡ଼ ନିଷ୍ପତ୍ତି ପରେ ପାକିସ୍ତାନ ହତାଶ ହୋଇ ପଡ଼ିଛି। ସବୁ ମୋର୍ଚ୍ଚାରେ ବିଫଳ ହେବା ପରେ ପାକିସ୍ତାନ ଏବେ ଆତଙ୍କବାଦୀଙ୍କୁ ସୀମାରେ ଅନୁପ୍ରବେଶ କରାଇ ଜାମ୍ମୁ-କାଶ୍ମୀରରେ ହିଂସା ଭିଆଇବାକୁ ଉଦ୍ୟମ ଚଳାଇଛି। ମାତ୍ର ଭାରତୀୟ ସୁରକ୍ଷାବଳଙ୍କ ସତର୍କତା ଯୋଗୁଁ ପାକିସ୍ତାନର ଏହି ହୀନ ଚକ୍ରାନ୍ତ ସଫଳ ହୋଇ ପାରିନାହିଁ। ସେନା ସୂତ୍ର ମୁତାବକ ପାକିସ୍ତାନୀ ସେନା ଦ୍ଵାରା ମଙ୍ଗଳବାର ରାତିରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ବଡ଼ ଚକ୍ରାନ୍ତକୁ ପଣ୍ଡ କରିଛନ୍ତି।

ସୂତ୍ର ମୁତାବକ ମଙ୍ଗଳବାର ରାତିରେ ଜାମ୍ମୁ-କାଶ୍ମୀରର ଉରି ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ବିପୁଳ ପରିମାଣରେ ଗୁଳିବର୍ଷଣ କରିଥିଲେ। କୁହାଯାଉଛି ଯେ, ପାକିସ୍ତାନୀ ସେନା ଆତଙ୍କବାଦୀଙ୍କ ଏକ ଗୋଷ୍ଠୀକୁ ଭାରତୀୟ ସୀମାରେ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରିଥିଲା। ଯଦ୍ଵାରା ଜାମ୍ମୁ-କାଶ୍ମୀରରେ ହମଲା କରି ପାରିବେ ଏବଂ ହିଂସା ଭିଆଇ ପାରିବେ। ମାତ୍ର ଭାରତୀୟ ସେନାଙ୍କ ମୁହଁତୋଡ଼ ଜବାବରେ ପାକିସ୍ତାନର ହୀନ ଉଦ୍ଦେଶ୍ୟ ସଫଳ ହୋଇ ପାରିନାହିଁ। ଉଲ୍ଲେଖଯୋଗ୍ୟ, ଭାରତୀୟ ସେନା ହାଇ ଆଲର୍ଟରେ ରହିଛି ଏବଂ ପାକିସ୍ତାନର ଯେ କୌଣସି ପ୍ରକାରର ଦୁଃସାହାସର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। 

ସ୍ଵାଧୀନତା ଦିବସ ସମାରୋହ ପୂର୍ବରୁ ସେନା ଓ ବିଏସଏଫ, ଭାରତ-ପାକିସ୍ତାନ ସୀମାରେ ସୁରକ୍ଷାକୁ କଡ଼ା କଡ଼ି କରିଛି। ଜାମ୍ମୁ କ୍ଷେତ୍ରରେ ଅଧିକାଂଶ ଜିଲ୍ଲାରେ ପୋଲିସ ପୂରା ସତର୍କ ରହିଛି ଏବଂ ଜାମ୍ମୁ ସହରରେ ପେଟ୍ରୋଲିଂ ବଢାଇ ଦେଇଛି। ଧାରା ୩୭୦ ପ୍ରତ୍ୟାହାର ପରେ ଏବଂ ଜାମ୍ମୁ-କାଶ୍ମୀର ଦୁଇଟି କେନ୍ଦ୍ର ଶାସିତ ରାଜ୍ୟରେ ବିଭକ୍ତ ହେବା ପରେ ରାଜ୍ୟରେ ପ୍ରଥମ ଥର ସ୍ଵାଧୀନତା ଦିବସ ପାଳନ ହେଉଛି।