Home > ରାଷ୍ଟ୍ରୀୟ
ଦୁଇ ଥର ହେଲେ ମୁଖ୍ୟମନ୍ତ୍ରୀ, ମାତ୍ର କାର୍ଯ୍ୟକାଳ ପୂରଣ କରି ପାରିଲେ ନାହିଁ
Khabar Odisha:Politics-odisha-hd-kumaraswamy-accidental-cm-of-karnataka-but-not-lucky-enough-to-complete-his-tenure
ବେଙ୍ଗାଲୁରୁ,ଜୁଲାଇ୨୩(ଖବର ଓଡ଼ିଶା):

ପୁଣି ଥରେ ଏଚଡି କୁମାରସ୍ଵାମୀଙ୍କୁ ତାଙ୍କର ଭାଗ୍ୟ ସାଥ୍ ଦେଇନି। ସେ ଦୁଇ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରୂପେ ନିଜର କାର୍ଯ୍ୟକାଳ ପୂରା କରି ପାରିନାହାନ୍ତି। ଏହା ପୂର୍ବରୁ ସେ ୨୧ ମାସ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଏଥର ସେ ମାତ୍ର ୧୪ ମାସ ସରକାର ଚଳାଇ ପାରିଛନ୍ତି। ବିଧାନସଭାରେ ଆସ୍ଥା ପ୍ରସ୍ତାବ ଉପରେ ହୋଇଥିବା ମତଦାନରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗିବା ପରେ କୁମାରସ୍ଵାମୀ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇ ପାରନ୍ତି। କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ସମୟରେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ କହିଥିଲେ ଯେ, ମୁଁ ଆକ୍ସିଡେଣ୍ଟାଲ ମୁଖ୍ୟମନ୍ତ୍ରୀ, ଭାଗ୍ୟ ମୋତେ ଏଠାକୁ ଟାଣି ଆଣିଲା।

ଖୋଦ୍ ବିଦ୍ରୋହ କରି ପ୍ରଥମ ଥର ହୋଇଥିଲେ ମୁଖ୍ୟମନ୍ତ୍ରୀ

ଏଚଡି କୁମାରସ୍ଵାମୀ ଆଜି ନିଜ ବିଧାୟକ ପାଇଁ ଯେଉଁ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି, ୨୦୦୬ରେ ଏମିତି କିଛି ବିଦ୍ରୋହ ଏଚଡି କୁମାରସ୍ଵାମୀଙ୍କ ନେତୃତ୍ଵରେ ଜେଡିଏସର ୪୨ ବିଧାୟକ କରିଥିଲେ।  ସେହି ସମୟରେ ମଧ୍ୟ କର୍ଣ୍ଣାଟକରେ କଂଗ୍ରେସ ଓ  ଜେଡିଏସର ମେଣ୍ଟ ସରକାର ଥିଲା ଏବଂ ମୁଖ୍ୟମନ୍ତ୍ରୀ ଥିଲେ କଂଗ୍ରେସ ନେତା ଧର୍ମ ସିଂହ। କୁମାରସ୍ଵାମୀ ୪୨ ବିଧାୟକଙ୍କ ସହିତ ଅଲଗା ହୋଇଯାଇଥିଲେ ଏବଂ ସରକାର ଭାଙ୍ଗି ଯାଇଥିଲା।

୨୦୦୬ ଜାନୁଆରୀ ୨୮ରେ କର୍ଣ୍ଣାଟକର ରାଜ୍ୟପାଳ ଟିଏନ ଚର୍ତୁବେଦୀ କୁମାରସ୍ଵାମୀଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରିତ କରିଥିଲେ। କୁମାରସ୍ଵାମୀଙ୍କ ନେତୃତ୍ଵରେ ଜେଡିଏସ ଓ  ବିଜେପି ମେଣ୍ଟ ସରକାର ଗଠନ  ହୋଇଥିଲା। ସର୍ତ୍ତ ଥିଲା ଯେ ପ୍ରଥମ ଅଢେଇ ବର୍ଷ ଜେଡିଏସର ନେତା ମୁଖ୍ୟମନ୍ତ୍ରୀ ପଦରେ ରହିବେ ଏବଂ ବାକି ଅଢେଇ ବର୍ଷ ବିଜେପିର ନେତା ମୁଖ୍ୟମନ୍ତ୍ରୀ ହେବେ। ୨୦୦୭ ସେପ୍ଟେମ୍ବର ୨୭ରେ କୁମାରସ୍ଵାମୀ ଘୋଷଣା କରିଥିଲେ ଯେ, ଚୁକ୍ତିନାମା ଅନୁରୂପ ସେ ଅକ୍ଟୋବର ୩ରେ ପଦରୁ ହଟିଯିବେ। ମାତ୍ର ଅକ୍ଟୋବର ୪ରେ ସେ ବିଜେପିକୁ କ୍ଷମତା ହସ୍ତାନ୍ତର କରିବାକୁ ମନା କରି ଦେଇଥିଲେ। ଅକ୍ଟୋବର ୮ରେ କୁମାରସ୍ଵାମୀ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପ୍ରଦାନ କରିଥିଲେ ଏବଂ ଦୁଇ ଦିନ ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। 

୨୦୧୮ ନିର୍ବାଚନ ପରେ ପୁଣି ଥରେ ମିଳିଲା କ୍ଷମତା

ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୧୦୪ ସିଟ୍ ଜିତି ମାତ୍ର ୯ ଟି ସିଟ୍ ପାଇଁ ସରକାର ଗଢିବାକୁ ବିଫଳ ହୋଇଥିଲା। ଏହା ପରେ କଂଗ୍ରେସ ୮୦ ସିଟ୍ ଏବଂ ଜେଡିଏସ ୩୭ ସିଟ୍ ମେଣ୍ଟ କରି ସରକାର ଗଠନ  କରିବାକୁ ପ୍ରୟାସ କରିଥିଲେ। ମାତ୍ର ୨୦୧୮ ମେରେ ବିଜେପି ନେତା ବିଏସ ୟେଦୁରପ୍ପା ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। କିନ୍ତୁ ବିଏସ ୟେଦୁରପ୍ପା ଆବଶ୍ୟଖ ସଂଖ୍ୟା  ବଳ ଯୋଗାଡ଼ କରି ପାରିନଥିଲେ ଏବଂ ୨୦୧୮ ମେ ୧୯ରେ ପଦରୁ ଇସ୍ତଫା ଦେଇଥିଲେ। 

ଅପରପକ୍ଷେ କଂଗ୍ରେସ ସହିତ ଚୁକ୍ତିନାମା ଆଧାରରେ ୨୦୧୮ ମେ ୨୩ରେ ଏଚଡି କୁମାରସ୍ଵାମୀ ୨୦୧୮ ମେ ୨୩ରେ ଦ୍ଵିତୀୟ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ମାତ୍ର ଏହି ସରକାରକୁ ମାତ୍ର ୧୪ ମାସ ଚଲାଇ ପାରିଥିଲେ। କଂଗ୍ରେସ-ଜେଡିଏସର ୧୫ ବିଧାୟକ ଇସ୍ତଫା ଦେବା ପରେ କୁମାରସ୍ଵାମୀ ସରକାରକୁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଶେଷରେ ୨୦୧୯ ଜୁଲାଇ ୨୩ରେ କୁମାରସ୍ଵାମୀ ସରକାର ଭାଙ୍ଗିଥିଲା।