Home > ରାଷ୍ଟ୍ରୀୟ
ସିକିମରେ ୦ ରୁ ୧୦ ହେଲା ବିଜେପି
Khabar Odisha:national-10-mlas-of-sikkim-democratic-front-join-bjp
ସିକିମ, ଅଗଷ୍ଟ ୧୩ (ଖବର ଓଡ଼ିଶା):

ଦିନେ ସିକିମରେ ନିଜର ଖାତା ଖୋଲି ପାରି ନ ଥିବା ଭାରତୀୟ ଜନତା ପାର୍ଟି ହାତରେ ଏବେ ଦଶ ଦଶ ଜଣ ବିଧାୟକ ଅଛନ୍ତି । ସିକିମ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏସ୍‌ଡିଏଫ୍‌) ୧୦ ଜଣ ବିଧାୟକ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି । ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଓ ସାଧାରଣ ସମ୍ପାଦକ ରାମ ମାଧବଙ୍କ ଉପସ୍ଥିତିରେ ଏମାନେ ଯୋଗ ଦେଇଛନ୍ତି । ଏସ୍‌ଡିଏଫ୍‌ ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗ ସହିତ ଆଉ ୪ ଜଣ ବିଧାୟକ ରହିଛନ୍ତି । 

ଏସ୍‌ଡିଏଫ୍‌ ପୂର୍ବରୁ ଏଡିଏରେ ଅଛି । କିନ୍ତୁ ଆଜି ପବନ କୁମାର ଚାମଲିଙ୍ଗ ସହିତ ଆଉ ୪ ଜଣ ବିଧାୟକଙ୍କୁ ଛାଡ଼ି ଅନ୍ୟ ବିଧାୟକମାନେ ବିଜେପିରେ ଯୋଗ ଦେଇଛନ୍ତି । ଜେପି ନଡ୍ଡା ଓ ରାମ ମାଧବ ସେମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏସ୍‌ଡିଏଫ୍‌ ଦୀର୍ଘ ୨୫ ଧରି ଶାସନ କରିଛି । ଗତ ବିଧାନସଭା ନିର୍ବାଚନରେ ପବନ କୁମାରଙ୍କୁ ଗାଦି ହରାଇବାକୁ ପଡ଼ିଥିଲା । ୩୨ ଆସନ ବିଶିଷ୍ଟ ବିଧାନସଭାରେ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା ବା ଏସ୍‌କେଏମ୍‌କୁ ୧୭ ଓ ଏସ୍‌ଡିଏଫ୍‌ ୧୫ ଆସନ ମିଳିଥିଲା । ସରକାର ଗଢ଼ିବାକୁ ୧୭ ଆସନ ଆବଶ୍ୟକ ଥିବାବେଳେ ଏସ୍‌କେଏମ୍‌ ସରକାର ଗଢ଼ିଥିଲା । 

୧୯୯୩ ମସିହାରେ ପବନ ଚାମଲିଙ୍ଗ ଏସ୍‌ଡିଏଫ୍‌ ଦଳ ଗଢ଼ିଥିଲେ । ଏହା ପରେ ଦଳ ଆଗାମୀ ୫ଟି ନିର୍ବାଚନରେ ବିଜୟ ହାସଲ କରିଥିଲା । ୧୯୯୪,୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ପୂର୍ଣ୍ଣ ବହୁମତ ସହିତ ଚାମଲିଙ୍ଗ ମୂଖ୍ୟମନ୍ତ୍ରୀ ହୋଇସାରିଛନ୍ତି ।

  • Tags: